Home ଜିଲ୍ଲା ପରିକ୍ରମା ଝାଟିଆସାହି–ମଙ୍ଗଳପୁର ରାସ୍ତା ବେହାଲ; ୪୦ ସ୍ଥାନରେ ଖାଲ, ୯ କଲଭର୍ଟ କ୍ଷତିଗ୍ରସ୍ତ, ତୁରନ୍ତ ମରାମତି ଦାବି

ଝାଟିଆସାହି–ମଙ୍ଗଳପୁର ରାସ୍ତା ବେହାଲ; ୪୦ ସ୍ଥାନରେ ଖାଲ, ୯ କଲଭର୍ଟ କ୍ଷତିଗ୍ରସ୍ତ, ତୁରନ୍ତ ମରାମତି ଦାବି

4

ଭଦ୍ରକ, ୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ ଅଧୀନ ରାଧାବଲ୍ଲଭପୁର ପଞ୍ଚାୟତ ଝାଟିଆସାହି ଠାରୁ ଖପରପଦା ପଞ୍ଚାୟତ ମଙ୍ଗଳପୁର ଛକ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅଧୀନରେ ନିର୍ମିତ ୭.୩୫୦ କିଲୋମିଟର ରାସ୍ତା ବର୍ତ୍ତମାନ ସମ୍ପୂର୍ଣ୍ଣ ବେହାଲ ଅବସ୍ଥାରେ ପହଞ୍ଚିଛି। ରାସ୍ତାର ପ୍ରାୟ ୪୦ଟି ସ୍ଥାନରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଥିବା ବେଳେ ୯ଟି କଲଭର୍ଟ ମଧ୍ୟ କ୍ଷତିଗ୍ରସ୍ତ ହୋଇପଡ଼ିଛି। ଫଳରେ ପ୍ରତିଦିନ ଏହି ରାସ୍ତାରେ ଯାତାୟାତ କରୁଥିବା ଶତାଧିକ ଯାନବାହନ ଓ ସାଧାରଣ ଲୋକ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତାର ବିଭିନ୍ନ ସ୍ଥାନରେ ଗଭୀର ଖାଲ ସୃଷ୍ଟି ହୋଇଥିବାରୁ ଦୁର୍ଘଟଣା ଏଡ଼ାଇବା ପାଇଁ ସ୍ଥାନୀୟ ଲୋକେ ଗଛ ଡାଳ ପକାଇ ସତର୍କ ସଙ୍କେତ ଦେଉଛନ୍ତି। ବର୍ଷା ଋତୁ ଆରମ୍ଭ ହୋଇଥିବାରୁ ପରିସ୍ଥିତି ଆହୁରି ସଙ୍କଟଜନକ ହେବାର ଆଶଙ୍କା ଦେଖାଦେଇଛି। ଏହି ରାସ୍ତା ଦେଇ ପ୍ରତିଦିନ ଛାତ୍ରଛାତ୍ରୀ, କୃଷକ, ରୋଗୀଙ୍କ ସମେତ ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀ ଗାଡି ଚଳାଚଳ କରୁଥିବାରୁ ସାଧାରଣ ଲୋକଙ୍କ ସୁରକ୍ଷା ନେଇ ଚିନ୍ତା ବଢ଼ିଛି।ସୂଚନା ଅନୁଯାୟୀ, ଝାଟିଆସାହିରୁ ମଙ୍ଗଳପୁର ପର୍ଯ୍ୟନ୍ତ ଏହି ରାସ୍ତା ନିର୍ମାଣ ପାଇଁ ପ୍ରାୟ ୪ କୋଟି ୨୩ ଲକ୍ଷ ୩୪ ହଜାର ଟଙ୍କା ବ୍ୟୟ ହୋଇଥିବା ବେଳେ ୫ ବର୍ଷର ରକ୍ଷଣାବେକ୍ଷଣ ପାଇଁ ୧୮.୯୨ ଲକ୍ଷ ଟଙ୍କା ବ୍ୟବସ୍ଥା ରହିଛି। ୨୦୨୨ ଜାନୁଆରୀ ୫ରେ କାର୍ଯ୍ୟ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପକୁ ଠିକାଦାର କୁମାର ଅଗ୍ରୱାଲ ସମ୍ପାଦନ କରିଥିଲେ ଏବଂ ଭଦ୍ରକ ଗ୍ରାମ୍ୟ ଉନ୍ନୟନ ବିଭାଗ-୨ ତତ୍ତ୍ୱାବଧାନରେ କାର୍ଯ୍ୟକାରୀ କରାଯାଇଥିଲା।ଏବେ ରକ୍ଷଣାବେକ୍ଷଣ ପାଇଁ ସ୍ୱତନ୍ତ୍ର ଅର୍ଥ ବ୍ୟବସ୍ଥା ଥିଲେ ମଧ୍ୟ ସମୟୋପଯୋଗୀ ମରାମତି କାମ କରାଯାଉନାହିଁ। ଫଳରେ ରାସ୍ତାର ଅବସ୍ଥା ଦିନକୁ ଦିନ ଅଧିକ ବିପଦପୂର୍ଣ୍ଣ ହେଉଛି। ବର୍ଷା ଦିନରେ ଏହି ରାସ୍ତା ଯେକୌଣସି ସମୟରେ ବଡ଼ ଦୁର୍ଘଟଣାର କାରଣ ହୋଇପାରେ ବୋଲି ସ୍ଥାନୀୟ ଲୋକେ ଆଶଙ୍କା ପ୍ରକାଶ କରିଛନ୍ତି।ତେଣୁ ରାସ୍ତାର ସମସ୍ତ ଖାଲ ଓ କ୍ଷତିଗ୍ରସ୍ତ କଲଭର୍ଟଗୁଡ଼ିକର ଯଥାଶୀଘ୍ର ମରାମତି କରି ସୁରକ୍ଷିତ ଯାତାୟାତ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଅଞ୍ଚଳବାସୀ ଦାବି ଜଣାଇଛନ୍ତି।ଏନେଇ ବିଭାଗୀୟ ଯନ୍ତ୍ରୀ ରୂପ କୁମାରଙ୍କୁ ପଚାରିବାରୁ ସେ କହିଛନ୍ତି, ଝାଟିଆସାହି ଠାରୁ ମଙ୍ଗଳପୁର ରାସ୍ତା କ୍ଷତିଗ୍ରସ୍ତ ହୋଇଥିବା ନେଇ ବିଭାଗ ନିକଟକୁ ଅଭିଯୋଗ ଆସିଛି। ଏହାର ମରାମତି ପାଇଁ ସମ୍ପୃକ୍ତ ଠିକାଦାରଙ୍କୁ କୁହାଯିବ। ଯଦି ଠିକାଦାର ମରାମତି କାର୍ଯ୍ୟ କରିବାକୁ ରାଜି ନ ହୁଅନ୍ତି, ତେବେ ସରକାରୀ ନିୟମ ଅନୁଯାୟୀ ଅନ୍ୟ ଠିକାଦାରଙ୍କ ମାଧ୍ୟମରେ କାମ ସମ୍ପନ୍ନ କରାଯିବ। ଅନ୍ୟପକ୍ଷେ ଏହି ରାସ୍ତାଟି ପୂର୍ତ୍ତ ବିଭାଗ ଅଧିନକୁ ଯିବା ପାଇଁ ଚିଠି ହୋଇଛି। ଆମେ ବହୁ ଶୀଘ୍ର ଏହାକୁ ହସ୍ତାନ୍ତର କରିବାକୁ ବ୍ୟବସ୍ତା କରୁଛୁ ବୋଲି ଯନ୍ତ୍ରୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.