ଭଦ୍ରକ, ୩୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧୂଷୁରୀ ଥାନା ଅଧୀନସ୍ଥ ହସନବାଦ ଗ୍ରାମଂପଚାୟତର ବହୁ ଗ୍ରାମବାସୀ ଆଜି ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ରବି ନାରାୟଣ ସାହୁ ଓ ସରୋଜ ଦତଙ୍କୁ ଭେଟି ଲଟେରୀ ଉଠାଣ ମାଧ୍ୟମରେ ନୂଆ ମଦ ଦୋକାନ ସ୍ଥାପନକୁ କିଛି ଗ୍ରାମବାସୀ ବିରୋଧ କରୁଥିବା ନେଇ ପୃଥକ୍ ପୃଥକ୍ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଆଗାମୀ ଦିନରେ ଅପ୍ରିତିକର ପରିସ୍ଥିତି ଘଟିବାର ସମ୍ଭାବନା ଥିବାରୁ ସେମାନେ ଜିଲାପାଳଙ୍କ ସମେତ ଅତିରିକ୍ତ ଜିଲା ଆରକ୍ଷୀ ଅଧୀକ୍ଷକ ଅରୂପ ଅଭିଷେକ ବେହେରା ଏବଂ ଜିଲା ଅବକାରୀ ଅଧୀକ୍ଷକ ନରୋତମ ମିଶ୍ରଙ୍କୁ ଭେଟି ସମସ୍ୟାର ସମାଧାନ ଦାବି କରିଛନ୍ତି। ହସନାବାଦ ପଂଚାୟତବାସୀଙ୍କ ମଧ୍ୟରେ ସୁଶାନ୍ତ କୁମାର ମହାନ୍ତି, ପ୍ରବୋଧ କୁମାର ନାୟକ, ଅମରେନ୍ଦ୍ର ରାଉତ, ବିଷ୍ଣୁଚରଣ ବସନ୍ତିଆ, ଉମାକାନ୍ତ ମହାଳିକଙ୍କ ସମେତ ବହୁ ଗ୍ରାମବାସୀ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦେଇଥିବା ଦାବିପତ୍ର ମୂଳେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ନୂତନ ଭାବେ ପାଇଥିବା ମଦ ଦୋକାନକୁ କେତେକ ସ୍ଥାନୀୟ ଲୋକେ ନିଜ ସ୍ୱାର୍ଥ ଉଦ୍ଦେଶ୍ୟ ରଖି ବିରୋଧ କରି ଖୋଲାଇ ଦେଉନାହାଁନ୍ତି। ଏହି ଦୋକାନଟି ହସନାବାଦ ଧୁଷୁରୀ ମଝିରେ ଖୋଲିବାକୁ ଯାଉଛି। ପୂର୍ବରୁ ଥିବା ଦୋକାନ ନଦୀଗାଁ ମୌଜାରେ ଥିବାରୁ ନୂଆ ଦୋକାନଟି ସେହି ମୌଜାରେ ଖୋଲିବାକୁ ଘର ଏଗ୍ରିମେଂଟ ହୋଇଛି। କିନ୍ତୁ ଏହି ଦୋକାନକୁ ସ୍ଥାନୀୟ ହରିହଂସ ଗ୍ରାମର କିଛି ଗ୍ରାମବାସୀ ବିରୋଧ କରୁଛନ୍ତି। ଗତ ୪ ବର୍ଷ ଧରି ସେହି ମୌଜାରେ ପୂର୍ବ ଦୋକାନଟି ଚାଲିଥିବାବେଳେ ହସନାବାଦ ପଂଚାୟତ ଲୋକଙ୍କର କୌଣସି ଅସୁବିଧା ଓ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିବାର ନଜିର ନାହିଁ। ମାତ୍ର ପୁରୁଣା ଦୋକାନ ଠାରୁ ନୂଆ ଦୋକାନ ଦୂରତା ମାତ୍ର ୫୦ ମିଟର ଥିବାବେଳେ ଏହାକୁ ବିରୋଧ କରିବା ସଂପୂର୍ଣ୍ଣ ସ୍ୱାର୍ଥନ୍ୱେଷୀ କାର୍ଯ୍ୟ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏଣୁ ନୂଆ ଦୋକାନଟିକୁ ଖୋଲିବାକୁ ନଦିଆଗଲେ ଚୋରା ଅପମିଶ୍ରିତ ମଦ କାରବାର ବୃଦ୍ଧି ପାଇ ସ୍ଥାନୀୟ ଅଂଚଳବାସୀଙ୍କର କ୍ଷତି ହେବ ବୋଲି ସେମାନେ କହିଛନ୍ତି। ଏବଂ ନୂଆ ମଦ ଦୋକାନଟିକୁ ସେହି ନଦୀଗାଁ ମୌଜାରେ ସରକାରୀ ନିୟମ ଅନୁସାରେ ଖୋଲାଯିବାରେ ପ୍ରଶାସନ ସାହାଯ୍ୟ କରିବାକୁ ସେମାନେ ଅନୁରୋଧ କରିଛନ୍ତି। ସେହିପରି ଧୁଷୁରୀ ଏନଏସି ଅଧୀନସ୍ଥ ବର୍ତମାନ ସ୍ଥାନରେ ଥିବା ବିଦେଶୀ ମଦ ଦୋକାନଟିକୁ ପୂର୍ବଭଳି କାର୍ଯ୍ୟକ୍ଷମ ରଖିବା ପାଇଁ ଏନଏସି ଓ ସ୍ଥାନୀୟ ଗ୍ରାମବାସୀ ଜିଲାପାଳ, ଜିଲା ଆରକ୍ଷୀ ଅଧୀକ୍ଷକ ଓ ଜିଲା ଅବକାରୀ ଅଧୀକ୍ଷକଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେମାନଙ୍କ ଅଭିଯୋଗ ମୂଳେ ବର୍ତମାନ ସ୍ଥାନରେ ଥିବା ଦେଶୀ ଓ ବିଦେଶୀ ମଦ ଦୋକାନ ଗତ ୧୦ ବର୍ଷ ଧରି ସୂଚାରୁ ରୂପେ ଚାଲିଆସୁଛି। ଏହି ଦୋକାନ ଗୁଡିକ ଚାଲୁ ରହିଥିବା ସମୟ ମଧ୍ୟରେ କୌଣସି ଆଇନ୍ ଶୃଙ୍ଖଳା ସମସ୍ୟା ଘଟିନାହିଁ। ଏପରିକି ଏହା ବିରୁଦ୍ଧରେ କୌଣସି ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଆପତିର ସ୍ୱର ଉଠିନାହିଁ। ଭୌଗୌଳିକ ଦୃଷ୍ଟିକୋଣରୁ ଏହା ନିକଟରେ କୌଣସି ଜନବସତି ବଜାର, ବିଦ୍ୟାଳୟ, ମହାବିଦ୍ୟାଳୟ, ଚିକିତ୍ସାଳୟ ଓ ଅନ୍ୟାନ୍ୟ ସମ୍ବେଦନଶୀଳ ପ୍ରତିଷ୍ଠାନ ନଥିବାରୁ ସାଧାରଣ ଜନଜୀବନ ଉପରେ କୌଣସି କୁରୁପ ପ୍ରଭାବ ପଡୁନାହିଁ। ଏପରିସ୍ଥଳେ ଏନଏସି ଓ ଏହାର ନିକଟବର୍ତୀ ସ୍ଥାନର କେତେକ ଅଂଚଳବାସୀଙ୍କ ସ୍ୱାର୍ଥ ଓ ସାର୍ବଜନୀନ ମତାମତକୁ ବିଚାର କରି ଏହି ମଦ ଦୋକାନକୁ ପୂର୍ବଭଳି ସେହି ସ୍ଥାନରେ ଚାଲୁ ରଖିବା ପାଇଁ ଆବଶ୍ୟକ ଅନୁମତି ପ୍ରଦାନ କରିବାକୁ ସଂଜୟ ମହାନ୍ତି, ନନ୍ଦକିଶୋର ବିଶ୍ୱାଳ, ମାନସ ରାଉତ, ଅମୀୟଜ୍ୟୋତି ନାୟକ, ରାଜେନ୍ଦ୍ର କୁମାର ଚୌହାନ ପ୍ରମୁଖ ଦାବି କରିଛନ୍ତି।








