ଭଦ୍ରକ, ୩୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଥାନା ଅନ୍ତର୍ଗତ ବରଗଡ଼ିଆ ଛକ ନିକଟରେ ମଙ୍ଗଳବାର ଧାମନଗର ବନ ବିଭାଗରର ବୋଲେରୋ ଓ ଏକ ପିକଅପ୍ ଭ୍ୟାନ ମଧ୍ୟରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଧାମନଗର ବନଖଣ୍ଡ ଅଧିକାରୀ ବବୁଲ ମଲ୍ଲିକ(ରେଞ୍ଜର) ଅଳ୍ପକେ ବର୍ତିଯାଇଛନ୍ତି। ସୂଚନାନୁସାରେ, ବନଖଣ୍ଡ ଅଧିକାରୀ ବବୁଲ ମଲ୍ଲିକ ସରକାରୀ କାର୍ଯ୍ୟ ସାରି ୪ଟା ସମୟରେ ଭଦ୍ରକରୁ ଧାମନଗର ଫେରୁଥିବା ବେଳେ ଧାମନଗର ବଜାର ପଟରୁ ଦ୍ରୁତଗତିରେ ଆସୁଥିବା ଏକ ପିକଅପ୍ ଭ୍ୟାନ ସହ ବରଗଡ଼ିଆ ଛକ ନିକଟରେ ସାମ୍ନାସାମ୍ନି ଧକ୍କା ହୋଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ବନବିଭାଗର ବୋଲେରୋ ଗାଡ଼ିର ଡାହାଣ ପାର୍ଶ୍ୱ ପଛ ଚକା ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ସହ ଗାଡ଼ିର ବିଭିନ୍ନ ଅଂଶ କ୍ଷତିଗ୍ରସ୍ତ ହୋଇଥିଲା। ଅନ୍ୟପକ୍ଷେ ପିକଅପ୍ ଭ୍ୟାନର ସାମ୍ନା ଭାଗ ମଧ୍ୟ ଭାଙ୍ଗିଯାଇଛି। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଉଭୟ ଗାଡ଼ିର ଚାଳକଙ୍କ ଅନ୍ୟମନସ୍କତା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ଖବର ପାଇ ଧାମନଗର ପୋଲିସ ଘଟଣାସ୍ଥଳରେ ପହଂଚି ପିକଅପ୍ ଭ୍ୟାନକୁ ଜବତ କରି ଥାନାକୁ ନେଇଥିବା ବେଳେ ଘଟଣାର ତଦନ୍ତ ଜାରି ରଖିଛି। ବନବିଭାଗ ବୋଲେରୋ ଗାଡ଼ିଟି ନଷ୍ଟ ହୋଇଥିବାର ଘଟଣାସ୍ଥଳରେ ପଡ଼ି ରହିଥିବା ଜଣାପଡ଼ିଛି। ତେବେ ଏଥିରେ କାହାରି କିଛି କ୍ଷତି ଘଟି ନଥିବା ସୂଚନା ମିଳିଛି।








