Home ଜିଲ୍ଲା ପରିକ୍ରମା ମହରମ ପର୍ବ ପାଳନରେ ୩୮ ତାଜିଆ ଶୋଭାଯାତ୍ରା ବାହାରିବ,ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୨୦ ପ୍ଲାଟୁନ ଫୋର୍ସ...

ମହରମ ପର୍ବ ପାଳନରେ ୩୮ ତାଜିଆ ଶୋଭାଯାତ୍ରା ବାହାରିବ,ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୨୦ ପ୍ଲାଟୁନ ଫୋର୍ସ ନିୟୋଜିତ

11

ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାତି ପାହିଲେ ସମ୍ବେଦନଶୀଳ ଭଦ୍ରକ ସହରରେ ମୁସଲିମ୍ ସମ୍ପ୍ରଦାୟ ପକ୍ଷରୁ ମହରମ ପର୍ବ ପାଳିତ ହେବ। ଏଥିପାଇଁ ଭଦ୍ରକ ସହର ବିଶେଷକରି ପୁରୁଣାବଜାର ଚଳଚଂଚଳ ହୋଇଉଠିଛି। ଶୋଭାଯାତ୍ରାରେ ବାହାରିବାକୁ ଥିବା ବିଭିନ୍ନ ସାହି ବସ୍ତିର ତାଜିଆ ଗୁଡିକର ନିର୍ମାଣ କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି। ଭଦ୍ରକ ସହରର ପୁରୁଣାବଜାର ଥାନା ଅଂଚଳରେ ଥିବା ବିଭିନ୍ନ ସାହି ବସ୍ତିରୁ ୨୨ଟି, ଟାଉନ୍ ଥାନା ଅଂଚଳରୁ ୭ଟି, ଚନ୍ଦନବଜାର ରୁଟ୍‌ରେ ୮ଟି ଓ ଚରମ୍ପାରେ ଗୋଟିଏ, ମୋଟ ୩୮ଟି ତାଜିଆ (କାଫେଲା) ବାହାରିବ। ଭଦ୍ରକ ସହରାଂଚଳ ଓ ଗ୍ରାମାଂଚଳରେ ଥିବା ବିଭିନ୍ନ ସାହି ବସ୍ତିର ମସ୍‌ଜିଦ୍‌ରେ ଆସନ୍ତାକାଲି ପର୍ବ ପାଳନ ନେଇ ଗତ ୧୬ ତାରିଖରୁ ଆଜିଯାଏ ୧୦ ଦିନ ଧରି ଉତ୍ସବମୁଖର ହେବା ସହ ଖିଚିଡି ଭୋଗ ଓ ସର୍ବତ ବଂଟନ (ଫାତିଆ) କାର୍ଯ୍ୟକ୍ରମ ଜାରି ରହିଛି। ଏହାବ୍ୟତୀତ ହଜରତ ଇମାମ ହୁସେନଙ୍କ ଉପରେ ଆଧାରିତ ଜୀବନୀ ପାଠ ଜାରି ରହିଛି। ଆସନ୍ତକାଲି ଦିନ ୪ଟାରୁ ବିଭିନ୍ନ ସାହି ବସ୍ତିରୁ ତାଜିଆ ଶୋଭାଯାତ୍ରା ବାହାରିବ। ଶୋଭାଯାତ୍ରା ସମୟରେ ମୁସଲିମ୍ ଭକ୍ତଙ୍କ ଦ୍ୱାରା ହଜରତ ମହମ୍ମଦଙ୍କ ଉପରେ ଆଧାରିତ ଜୀବନୀ ସହ କରବୁଲା ପାଠ କରାଯିବ ବୋଲି ଭଦ୍ରକ ଚଉଦ ମହଲା ମୁସଲିମ୍ ଜମାତର ସଂପାଦକ ମହମ୍ମଦ ମୁକିତ୍ କହିଛନ୍ତି। ଶୋଭାଯାତ୍ରା ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଭଲେଂଟିୟର ଓ ସାହିବସ୍ତିର ସର୍ଦ୍ଦାରମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଏହାବ୍ୟତୀତ ମହମ୍ମଦ ମୁକିତ୍ ପର୍ବ ପାଳନର ବିଶେଷତ୍ୱ ସଂପର୍କରେ କୁହନ୍ତି ଆସନ୍ତାକାଲିର ଦିନରେ ଅର୍ଥାତ୍ ଜୁନ୍ ୨୬ ତାରିଖରେ ହଜରତ ମହମ୍ମଦଙ୍କ ନାତି ହଜରତ ଇମାମ ହୁସେନଙ୍କ ସହ ୭୨ ଜଣ ଇରାକ ଦେଶରେ କରବୁଲା ସ୍ଥାନରେ ବିଧର୍ମୀମାନଙ୍କ ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଲଢେଇ କରି ପ୍ରାଣତ୍ୟାଗ କରିଥିଲେ। ଏହି ଦିବସର ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ବଳିଦାନ ଦିବସ ଭାବେ ମହରମ ପର୍ବ ପାଳନ କରାଯାଉଛି ବୋଲି ସେ କହିଥିଲେ। ଆସନ୍ତାକାଲିର ଏହି ପର୍ବ ପାଳନ େଇ ଜିଲା ପୁଲିସ୍ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଅତିରିକ୍ତ ଏସ୍‌ପି ୩ ଜଣ, ଡିଏସ୍‌ପି ୯ ଜଣ, ଇନ୍ସିପେକ୍ଟର ୨୪ ଜଣଙ୍କ ସହ ୨୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି । ଏହାବ୍ୟତୀତ ସମ୍ବେଦନଶୀଳ ସ୍ଥାନମାନଙ୍କରେ ଅଧିକ ସଂଖ୍ୟକ ପୁଲିସ୍ ନିଯୁକ୍ତି ଦିଆଯାଇଛି। ସିସିଟିଭି ଲଗାଯିବା ସହ ସୋସିଆଲ ମିଡିଆ ପ୍ରତି ତୀକ୍ଷ୍ଣ ନଜର ରଖାଯାଇଛି ବୋଲି ଅତିରିକ୍ତ ଏସ୍‌ପି (ଡିଆଇବି) ଅଂଶୁମାନ ଦ୍ୱିବେଦୀ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.