ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଦ୍ୟୁତ କାର୍ଯ୍ୟ ସମୟରେ ଘଟିଥିବା ଏକ ଦୁର୍ଘଟଣାରେ ଠିକା କର୍ମଚାରୀ ଚନ୍ଦ୍ରକାନ୍ତ ଗାହାଣଙ୍କ ମୃତ୍ୟୁ ଘଟିଥିବା ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।ଭଦ୍ରକ ସହରର ଚରମ୍ପା ଠାରେ ପ୍ରାୟ ୧୫ ଦିନ ତଳେ ବିଦ୍ୟୁତ ଖୁଂଟରେ ଚଢ଼ି କାମ କରୁଥିବା ବେଳେ ସେ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଭାବେ ଭୁବନେଶ୍ୱର ହାଇଟେକ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଗତକାଲି ରାତିରେ ମୃତ୍ୟୁ ବରଣ କରିଥିଲେ। ଆଜି ପରିବାର ଲୋକେ ଶବକୁ ଆଣି ଭଦ୍ରକ ବାଇପାସ ସ୍ଥିତ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ରଖି ଧାରଣା ଦେଇ କ୍ଷତି ପୂରଣ ଦାବି କରିଥିଲେ। ସେଠାରେ ଉତେଜନା ପ୍ରକାଶ ପାଇଥିବା ସୂଚନା ମିଳିଛି। ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକେ ଘଟଣାର ନିରପେକ୍ଷ ତଦନ୍ତ, ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ ପରିବାରକୁ ଯଥୋଚିତ କ୍ଷତିପୂରଣ ଓ ସହାୟତା ପ୍ରଦାନ ଦାବି କରିଥିଲେ । ଘଟଣାର ପ୍ରକୃତ କାରଣ କଣ ଏବଂ ସୁରକ୍ଷା ବ୍ୟବସ୍ଥାରେ କୌଣସି ତ୍ରୁଟି ଥିଲା କି ନାହିଁ, ସେନେଇ ତଦନ୍ତ ପରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ବୋଲି ସାଧାରଣରେ ଆଲୋଚନା ହେଉଛି। “ଚନ୍ଦ୍ରକାନ୍ତଙ୍କ ଅକାଳ ମୃତ୍ୟୁ କେବଳ ଏକ ପରିବାରର କ୍ଷତି ନୁହେଁ, ବରଂ ସମଗ୍ର ଅଂଚଳ ପାଇଁ ଏକ ଅପୂରଣୀୟ କ୍ଷତି’ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ପରେ ସହରାଂଚଳ ଥାନାଧିକାରୀ ପ୍ରଭାଂଶୁ ମିଶ୍ରଙ୍କ ଉପସ୍ଥିତିରେ ଏକ ଆଲୋଚନା ହୋଇ ବିଭାଗୀୟ ଅଧିକାରୀ ମୃତକଙ୍କ ପରିବାରରୁ ଜଣଙ୍କୁ ନିଯୁକ୍ତି ଦେବାର ପ୍ରତିଶୃତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଛି। ଏବଂ ଚନ୍ଦ୍ରକାନ୍ତଙ୍କ ଶବକୁ ତାଙ୍କର ଗ୍ରାମ ବାଲେଶ୍ୱର ଜିଲ୍କାର ଅଣ୍ଡରେଇରେ ଏକ ଶୋକାକୁଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଚନ୍ଦ୍ରକାନ୍ତଙ୍କ ଅକାଳ ବିୟୋଗରେ ପରିବାର ଭାଙ୍ଗି ପଡ଼ିଛି। ପୁଅର ମୃତ୍ୟୁ ଖବର ଶୁଣି ବାପା ଶୋକାକୁଳ ହୋଇପଡ଼ିଥିବା ବେଳେ ମା’ ମଧ୍ୟ ପୁଅକୁ ହରାଇ ଭାଙ୍ଗି ପଡ଼ିଛନ୍ତି। ପରିବାରର କାନ୍ଦବୋବାଳ ପରିବେଶକୁ ଗମ୍ଭୀର କରିଦେଇଛି।








