Home ଜିଲ୍ଲା ପରିକ୍ରମା ସହରର ପ୍ରମୁଖ ଜଳ ନିଷ୍କାସନ ସମସ୍ୟା ପ୍ରତି ଗୁରୁତ୍ୱ ଦିଆଯାଉନାହିଁ ,ଗତକାଲିର ବର୍ଷା ସହରବାସୀଙ୍କ ଚିନ୍ତା...

ସହରର ପ୍ରମୁଖ ଜଳ ନିଷ୍କାସନ ସମସ୍ୟା ପ୍ରତି ଗୁରୁତ୍ୱ ଦିଆଯାଉନାହିଁ ,ଗତକାଲିର ବର୍ଷା ସହରବାସୀଙ୍କ ଚିନ୍ତା ବଢାଇଛି

4

ଭଦ୍ରକ, ୨୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କାଳବୈଶାଖୀ ପ୍ରଭାବରେ ଗତକାଲିର ଏକଘଂଟାର ଲଗାତର ବର୍ଷା ସହରବାସୀଙ୍କ ଚିନ୍ତାର କାରଣ ପାଲଟିଛି। ଏହି ଏକଘଂଟାର ବର୍ଷାରେ ସହରର ଗଳିକନ୍ଦି ରାସ୍ତାଘାଟରେ ଜଳାର୍ଣ୍ଣବ ପରିସ୍ଥିତି ସୃଷ୍ଟି କରିଥିଲା। ମୁଖ୍ୟ ରାସ୍ତା ସହ ବିଭିନ୍ନ ୱାର୍ଡ ଓ ଜାତୀୟ ରାଜପାଥ ପାଶ୍ୱର୍ ସର୍ଭିସ୍ ରୋଡରେ ବର୍ଷାଜଳ ଲହଡି ଭାଙ୍ଗୁଥିଲା। ବିଶେଷକରି ଭଦ୍ରକ ମହତାବ ଛକରୁ ଆଖଣ୍ଡଳମଣି ଛକ, ବନ୍ତଛକ, ବାଲ ଗୋପାଲ ମନ୍ଦିର ସମ୍ମୁଖ ରାସ୍ତା, ଗବସାହି, ସାବନ ବଜାର, ଚରମ୍ପାର ବିଭିନ୍ନ ଅଂଚଳରେ ଜଳାର୍ଣ୍ଣବ ପରିସ୍ଥିତି ସୃଷ୍ଟି ହୋଇଥିଲା। ସହରର ତଳି ଅଂଚଳରେ ନାହିଁ ନଥିବା ପରିସ୍ଥିତି ଦେଖିବାକୁ ମିଳିଛି। ଆସନ୍ତା ବର୍ଷାଋତୁରେ ୪/୫ ଦିନ ଧରି ବର୍ଷା ଜାରି ରୁହେ, ତେବେ ସହରର ପରିସ୍ଥିତି ଅସମ୍ଭାଳ ହୋଇପଡିବ ବୋଲି ସ୍ପେଶାଲ କଂଟ୍ରାକ୍ଟର ବୁଟୁ ଦାସ କୁହନ୍ତି। ସହରର ଜଳ ନିଷ୍କାସନ ସମସ୍ୟା ସମାଧାନ ହେଉନଥିବାରୁ ପ୍ରତିବର୍ଷ ବର୍ଷାରେ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ବୋଲି ସେ କହିଛନ୍ତି। ସହରରେ ଥିବା ପ୍ରାକୃତିକ ଡ୍ରେନ୍ ଗୁଡିକ ଜାମ୍ ହେଉଥିବାରୁ ଜଳ ନିଷ୍କାସନ ହୋଇପାରୁନାହିଁ। ଯାହାଫଳରେ ସାମାନ୍ୟ ବର୍ଷାରେ ସହର ଉବୁଟୁବୁ ହୋଇପଡୁଛି ବୋଲି ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ (ଜଳସେଚନ) ରବିନ୍ଦ୍ର ନାୟକ କୁହନ୍ତି। ସୂଚନାଯୋଗ୍ୟ ସହରରେ ଏହି ଜଳ ଅବରୋଧ ବିଗତ ୫୦ ବର୍ଷର ସମସ୍ୟା ଅଟେ। ନିର୍ବାଚିତ ଜନ ପ୍ରତିନିଧିମାନେ ଆସୁଛନ୍ତି, ଯାଉଛନ୍ତି। କିନ୍ତୁ ଏହି ଗୁରୁତର ସମସ୍ୟାର ସମାଧାନ ପ୍ରତି ଆଦୌ ଗୁରୁତ୍ୱ ଦେଉନାହାଁନ୍ତି। ଏପଟେ ବିଗତ ସରକାର ଅମଳରେ ସହରକୁ ସ୍ମାର୍ଟ ସିଟି କରିବା ପାଇଁ ଘୋଷଣା କରାଗଲା। ସହରର ବିକାଶ ଧାରା ଆଗେଇ ଚାଲିଛି ବୋଲି ଏବେକାର ସରକାର କହି ବୁଲୁଛନ୍ତି। ନେହେରୁ ଷ୍ଟାଡିୟମ୍‌ର ଉନ୍ନତିକରଣ, ନୂତନ ବସ୍‌ଷ୍ଟାଣ୍ଡ, ସ୍ମାର୍ଟ ସ୍ମଶାନ, ସୁଲଭ ଶୌଚାଳୟ, ଇଚି ଚାର୍ଜିଂ ଷ୍ଟେସନ ଆଦି ବିଭିନ୍ନ ଉନ୍ନୟନ କାର୍ଯ୍ୟର କୋଟି କୋଟି ଟଙ୍କା ବ୍ୟୟରେ ଭିତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦ୍‌ଘାଟନ କାର୍ଯ୍ୟକ୍ରମ ଜାରି ରହିଥିବାବେଳେ ସହରର ଏହି ପ୍ରମୁଖ ସମସ୍ୟାକୁ ଏଡାଇ ଚାଲିଛନ୍ତି। ଗତ କିଛିଦିନ ତଳେ ପ୍ରଶାସନ ଓ ସ୍ଥାନୀୟ ବିଧାୟକଙ୍କ ପକ୍ଷରୁ ମିଳିତ ଭାବେ ଡ୍ରେନେଜ୍ ସମସ୍ୟା ନେଇ ବିଭିନ୍ନ ସ୍ଥାନ କ୍ଷେତ୍ର ଅନୁଧ୍ୟାନ କରିଥିଲେ। ଏବଂ ଡ୍ରେନେଜ୍ ସମସ୍ୟାର ସମାଧାନ ପାଇଁ ଜାତୀୟ ରାଜପଥ କର୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ତେବେ ସହରର ଜଳ ନିଷ୍କାସନ ପାଇଁ ବିଶେଷକରି ଜାତୀୟ ରାଜପଥ ପାଶ୍ୱର୍ ସର୍ଭିସ୍ ରୋଡରେ ଥିବା ଡ୍ରେନ୍‌ଗୁଡିକର ପାଣି କେଉଁଠି ଛଡାଯିବ, ଏନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ଦିଆଯାଇନାହିଁ। ମାତ୍ର କେତେଟା ଦିନ ପରେ ବର୍ଷାଋତୁ ଆରମ୍ଭ ହେବ। ଅଦ୍ୟାବଧି ସହରରେ ଥିବା ଛୋଟବଡ ୩୦ଟି ଡ୍ରେନ୍ ର ଜଳ ନିଷ୍କାସନ ବ୍ୟବସ୍ଥାର କିପରି ସୁପରିଚାଳନା ହେବ, ଏ ନେଇ କୌଣସି ପଦକ୍ଷେପ ନିଆଯାଇନଥିବାର ଜଣାଯାଇଛି। ପ୍ରକାଶଯୋଗ୍ୟ ଆବାହମାନ କାଳରୁ ଭଦ୍ରକରେ ଥିବା ପ୍ରାକୃତିକ ଡ୍ରେନ୍ ଡଗମୁଣ୍ଡ ଠାରୁ ବନ୍ତଛକ ଘୋଷରା ନାଳ, ଘୋଷରା ପୋଲ ଠାରୁ ଟାଉନ୍ ହଲ ଛକ, ଥାନା ଛକ ଠାରୁ ସାଳନ୍ଦୀ ନଦୀ, ଜିଲାସ୍କୁଲ ଠାରୁ ବଙ୍କସାହି, ଚନ୍ଦନବଜାର, ନଙ୍ଗାମହଲା, ପାଟଣାସାହି, ମୁଲଣାସାହି ଦେଇ ଯାଇଥିବା ନାଜର ନାଳ ଗୁଡିକର ଜବରଦଖଲ ଉଚ୍ଛେଦ ଓ ପୁନରୁଦ୍ଧାର କାର୍ଯ୍ୟ ସୂଚାରୁ ରୂପେ ହୋଇପାରୁନଥିବାରୁ ସମଗ୍ର ସହର ଜଳବନ୍ଦୀ ହୋଇପଡୁଛି ବୋଲି ପୂର୍ବତନ କାଉନସିଲର ବରିଷ୍ଠ ସମାଜସେବୀ ସୁଧାକର ରାଉତ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.