ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକର ସିନ୍ଦୋଳ ପଂଚାୟତ ଅଧୀନ ନୂଆସାହି ସମେତ ବିଭିନ୍ନ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀରେ ଶୁକ୍ରବାର ମକଡ୍ରିଲ(ସାମୁହିକ ଅଭ୍ୟାସ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ, ବ୍ଲକ ପ୍ରଶାସନ ଓ ବାତ୍ୟା ଆଶ୍ରୟ ସ୍ଥଳୀର ପରିଚାଳନା ଓ ରକ୍ଷଣାବେକ୍ଷଣ ସମିତିର ମିଳିତ ସହଯୋଗରେ ଏହା ଅନୁଷ୍ଠିତ ହୋଇଥିଲା । ନୂଆସାହି ବାତ୍ୟା ଆଶ୍ରୟସ୍ଥଳୀରେ ଅନୁଷ୍ଠିତ ମକଡ୍ରିଲରେ ତିହିଡି଼ ଓ ଗଦି ଅଗ୍ନିଶମ ବିଭାଗର କର୍ମଚାରୀମାନେ ସାମୁହିକ ଅଭ୍ୟାସ ପ୍ରଦର୍ଶନ କରିଥିଲେ । ବନ୍ୟା, ବାତ୍ୟା ପରି ବିପର୍ଯ୍ୟୟ ସମୟରେ ବିପନ୍ନମାନଙ୍କୁ ଉଦ୍ଧାର କରାଯିବା, ଭାଙ୍ଗି ପଡ଼ିଥିବା ଗଛକୁ କାଟି ସଫା କରାଯିବା, ଗ୍ୟାସ ସିଲିଣ୍ଡରରେ ଆକସ୍ମିକ ଭାବେ ଲାଗିଯାଇଥିବା ନିଆଁ ଲିଭାଯିବା, ଅଗ୍ନି ବିପନ୍ନଙ୍କୁ ଘରର ଉପରତାଲାରୁ ଉଦ୍ଧାର କରାଯିବା ଇତ୍ୟାଦି କୌଶଳ ପ୍ରଦର୍ଶନ କରାଯାଇଥିଲା । ଅଗ୍ନିଶମ ବିଭାଗ ଅଧିକାରୀ ସୁବାସ ଚନ୍ଦ୍ର ରାଉତ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଥିବା ବିଭିନ୍ନ ଯନ୍ତ୍ରର କୌଶଳ ପ୍ରଦର୍ଶନ କରି ବିପର୍ଯ୍ୟୟ ସମୟରେ କେମିତି ନିଜେ ସୁରକ୍ଷିତରହି ଅନ୍ୟକୁ ସୁରକ୍ଷା ଦେଇହେବ ସେ ସମ୍ପର୍କରେ ଶିଖାଇଥିଲେ । ଏହି ଅବସରରେ ସରପଂଚ ତଥା ବାତ୍ୟା ଆଶ୍ରୟ ସ୍ଥଳ ସଭାପତି ସୁପ୍ରଭା ପାଣିଙ୍କ ପୌରହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟଅତିଥି ଭାବେ ତହସିଲଦାର ସୁବାଶିଷ ସାହୁ ଯୋଗଦେଇ ବିପର୍ଯ୍ୟୟକୁ କୌଶଳ ମାଧ୍ୟମରେ ଧୈର୍ଯ୍ୟରସହ ମୁକାବିଲା କରିବା ଆବଶ୍ୟକ ବୋଲି କହିଥିଲେ । ମୁଖ୍ୟବକ୍ତାଭାବେ ବିଡ଼ିଓ ନିରଞ୍ଜନ ବାରିକ, ବରେଣ୍ୟ ଅତିଥି ଭାବେ ଓସଡ଼ମା ରାଜ୍ୟ ସଂଯୋଜକ ମେଘନାଥ ବେହେରା, ଜିଲ୍ଲା ପ୍ରୋଗ୍ରାମ ଅଧିକାରୀ ଅମ୍ଳାନ ଅନୁପମ ସେନାପତି,ଏବିଡ଼ିଓ ମୀନକେତନ ବାରିକ, ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ନିରାକାର ଜେନା,କୃଷି ଅଧିକାରୀ ଅମର ପ୍ରସାଦ ସାହୁ, ସିଡିପିଓ ବାସନ୍ତୀ ନାଏକ ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଞ୍ଜନ ରାଉତ ପ୍ରମୁଖ ଯୋଗଦେଇ ବିପର୍ଯ୍ୟୟରୁ ନିଜେ ରକ୍ଷା ପାଇବା ସହ ଅନ୍ୟମାନଙ୍କୁ ଉଦ୍ଧାର କରିବା କୌଶଳ ସମସ୍ତେ ଶିଖିବା ଆବଶ୍ୟକ ବୋଲି କହିଥିଲେ । ଶେଷରେ ତ୍ରିବେଣୀ ଟ୍ରଷ୍ଟ ଅଧ୍ୟକ୍ଷା ରାଞ୍ଜୁଲତା ଗାହାଣ ଧନ୍ୟବାଦ ଦେଇଥିଲେ।ବାତ୍ୟା ଆଶ୍ରୟସ୍ଥଳୀ ସମ୍ପାଦକ ଦୀପକ ଦାସଙ୍କ ସମେତ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବ୍ଲକର ବାରୋ, ସୟା, ବାରସର, ଗୋବିନ୍ଦପୁର, ଶ୍ୟାମସୁନ୍ଦରପୁର, ବାହାବଳପୁର ପ୍ରମୁଖ ବହୁମୂଖୀ ବାତ୍ୟା ଆଶ୍ରୟସ୍ଥଳୀରେ ମଧ୍ୟ ମକଡ୍ରିଲ ଅନୁଷ୍ଠିତ ହୋଇ ବିଭିନ୍ନ କୌଶଳ ପ୍ରଦର୍ଶନ କରାଯାଇଥିଲା।
Home ଜିଲ୍ଲା ପରିକ୍ରମା ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳୀରେ ସାମୂହିକ ଅଭ୍ୟାସ କାର୍ଯ୍ୟକ୍ରମ,କୌଶଳ ପ୍ରୟୋଗକରି ବିପର୍ଯ୍ୟୟକୁ ମୁକାବିଲା କରିବା ଉଚିତ








