Home ଜିଲ୍ଲା ପରିକ୍ରମା ଓଡ଼ିଶାରେ ବୟସ୍କ ବ୍ୟକ୍ତିଙ୍କ ଦେଶାନ୍ତରୀୟ ଅଧ୍ୟୟନ,ଭଦ୍ରକରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ସର୍ଭେ

ଓଡ଼ିଶାରେ ବୟସ୍କ ବ୍ୟକ୍ତିଙ୍କ ଦେଶାନ୍ତରୀୟ ଅଧ୍ୟୟନ,ଭଦ୍ରକରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ସର୍ଭେ

5

ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ରିସର୍ଚ୍ଚ ଆଣ୍ଡ ଡେଭେଲପମେଂଟ ଇନିସିଏଟିଭ୍ (ଆରଡିଆଇ), ନୂଆଦିଲ୍ଲୀ ଦ୍ୱାରା ଭାରତରେ ବୟସ୍କ ବ୍ୟକ୍ତିଙ୍କ ଦେଶାନ୍ତରୀୟ ଅଧ୍ୟୟନର ଦ୍ୱିତୀୟ ପର୍ଯ୍ୟାୟ ସର୍ଭେକ୍ଷଣ ଭଦ୍ରକ ଜିଲ୍ଲାରେ ଆରମ୍ଭ ହୋଇଛି। ଏହି ସର୍ଭେ କୁଡ଼ିଆମାଳ, ସମିଆ, ବହୁଦରଡ଼ା ଏବଂ ଭଦ୍ରକ ପୌରାଞ୍ଚଳର ୧୧ ଓ ୨୯ ନମ୍ବର ୱାର୍ଡରେ କରାଯାଉଛି। ସର୍ଭେ ସମୟରେ ବୟସ୍କ ବ୍ୟକ୍ତିଙ୍କ ରକ୍ତଚାପ, ଚକ୍ଷୁ, ଉଚ୍ଚତା, ଓଜନ ଏବଂ ଫୁସଫୁସ ସମ୍ବନ୍ଧୀୟ ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ଟିମ୍‌ର ଡା. ସଂଜୀବ ପଟେଲ ଓ ଅନ୍ୱେଷ ମହାନ୍ତଙ୍କ ତତ୍ୱାବଧାନରେ କ୍ଷେତ୍ର ପରିଚାଳକ ବଳରାମ ବେହେରା, ଅନିଲ ସ୍ୱାଇଁ, ଅଭିଷେକ ସେଠୀ, ବର୍ଷାରାଣୀ ସାହୁ, ଦୀପ୍ତୀରାଣୀ ଜେନା ଏବଂ ଏଏନଏମ୍ ସରୋଜିନୀ ବେହେରା ଏହି କାର୍ଯ୍ୟରେ ସାମିଲ ଅଛନ୍ତି। ଡା. ପଟେଲଙ୍କ କହିବାନୁସାରେ, ୪୫ ବର୍ଷରୁ ଅଧିକ ବୟସର ନାଗରିକମାନଙ୍କ ସାମାଜିକ, ଅର୍ଥନୈତିକ, ଶାରୀରିକ, ମାନସିକ ଏବଂ ପାରିପାର୍ଶ୍ୱିକ ପରିବେଶ ଉପରେ ଏହି ଅଧ୍ୟୟନ କରାଯାଉଛି। ଏହାର ଫଳାଫଳ ଭବିଷ୍ୟତରେ ବୟସ୍କ ନାଗରିକଙ୍କ ପାଇଁ ସରକାରୀ ନୀତି ଓ ଯୋଜନା ପ୍ରଣୟନରେ ସହାୟକ ହେବ। ଜନସଂଖ୍ୟା ବିଶାରଦ ଜମ୍ବୁବତୀ ମୁଦୁଲି ସୂଚନା ଦେଇଛନ୍ତି ଯେ, ପ୍ରଥମ ପର୍ଯ୍ୟାୟ ସର୍ଭେର ଫଳାଫଳ ଆଧାରରେ କେନ୍ଦ୍ର ସରକାର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ଆୟୁଷ୍ମାନ ସ୍ୱାସ୍ଥ୍ୟ କାର୍ଡ ଏବଂ ବୟସ୍କଙ୍କ ପାଇଁ ଚିକିତ୍ସାଳୟରେ ସଂରକ୍ଷିତ ଶଯ୍ୟା ଭଳି ବିଭିନ୍ନ ଯୋଜନା ପ୍ରଚଳନ କରିଛନ୍ତି। ପ୍ରକଳ୍ପ ନିର୍ଦ୍ଦେଶକ ସୁଶୀଲ ସାହୁ, ଡା. ସଂଜୀବ ପଟେଲ ଓ ରାଜ୍ୟ ସଂଯୋଜକ ହେମରାଜ କୁମାର ଏହି ସର୍ଭେକୁ ସଫଳ କରିବା ପାଇଁ ଆଶା, ଅଙ୍ଗନବାଡ଼ି କର୍ମୀ, ସିଏଚଓ, ଏଏନଏମ୍‌, ଜନପ୍ରତିନିଧି ଓ ସାଧାରଣ ଗ୍ରାମବାସୀଙ୍କ ସହଯୋଗ କାମନା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.