ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଚାନ୍ଦବାଲି ବ୍ଲକ ବାଂଶଡା ଥାନା ଅଧିନସ୍ଥ ବାଲିଆପାଳ ନଦୀ ଉପରେ ପ୍ରସ୍ତାବିତ ବ୍ରିଜ ନିର୍ମାଣ ପାଇଁ ରୋଡ଼ ଏବଂ ସର୍ଭେ କାର୍ଯ୍ୟ ଚାଲିଥିବା ବେଳେ ଏକ ଅଘଟଣ ଘଟିଛି। ସର୍ଭେ କାମରେ ନିୟୋଜିତ ତିନି ଜଣ ଯୁବକ ମନ୍ତେଇ ନଦୀ ଏକ ଡ଼ଙ୍ଗା ରେ ପାର ହେଉଥିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ନଦୀ ମଝିରେ ଡଙ୍ଗାଟି ଭାରସାମ୍ୟ ହରାଇବାରୁ ତିନି ଜଣ ଯୁବକ ପାଣିରେ ପଡ଼ିଯାଇଥିଲେ।ଘଟଣା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ଯୁବକ ନଦୀର ପ୍ରବଳ ସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଥିଲେ। ନିଖୋଜ ଯୁବକ ଜଣକ ବାଂଶଡା ଥାନା ଅଧୀନ ଯଶିପୁର ଗ୍ରାମର ଚକ୍ରଧର ବେହେରାଙ୍କ ଏକମାତ୍ର ପୁଅ ବିଜୟ ବେହେରା ବୋଲି ଜଣାପଡ଼ିଛି।ଖବର ପାଇ ଘଣ୍ଟେଶ୍ୱର ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଯୁବକଙ୍କ ସନ୍ଧାନ ପାଇଁ ଖୋଜାଖୋଜି ଆରମ୍ଭ କରିଛନ୍ତି। ନଦୀର ପ୍ରବଳ ସ୍ରୋତ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ବୋଟ ମଧ୍ୟ ଅଚଳ ହୋଇ ପଡିଥିଲା। ଖବର ଲେଖା ହେବା ପର୍ଯ୍ୟନ୍ତ ନିଖୋଜ ଥିବା ଯୁବକ ର କୌଣସି ପତା ମିଳି ନଥିବା ଜଣା ଯାଇଛି।







