ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମୁସଲିମ୍ ସମ୍ପ୍ରଦାୟର ମହରମ୍ ପର୍ବ ପାଳନ ନେଇ ପ୍ରଶାସନ ତରଫରୁ ଶାନ୍ତି ସମନ୍ୱୟ କମିଟିର ଆଜି ଏକ ବୈଠକ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଜିଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲାପାଳ ରବିନାରାୟଣ ସାହୁ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅରୂପ ଅଭିଷେକ ବେହେରା, ସିଟି ଡିଏସ୍ପି ଅନୀଲ ପ୍ରଧାନ, ଉପଜିଲାପାଳ ସୌରଭ ଚକ୍ରବର୍ତୀ, ତହସିଲଦାର ସଂଗ୍ରାମ ପ୍ରିୟଦର୍ଶୀ ଖୁଂଟିଆ, ଡେପୁଟି କଲେକ୍ଟର (ଜୁଡିସିଆଲ) କାର୍ତିକନାଥ ମଣ୍ଡଳଙ୍କ ସହ ଲାଇନ୍ ଡିପାର୍ଟମେଂଟର ଇଂଜିନିୟରମାନେ ଉପସ୍ଥିତ ଥିଲେ। ଅନୁଷ୍ଠିତ ବୈଠକରେ ମହରମ ପର୍ବ ପାଳନର ନିର୍ଦ୍ଦିଷ୍ଟ ଦିନ ନିର୍ଣ୍ଣୟ କରାଯାଇପାରିନଥିଲା। ଜହ୍ନ ଦେଖିବା ପରେ ଆସନ୍ତା ୨୬ କିମ୍ବା ୨୭ ତାରିଖରେ ପାଳନ ହେବ ବୋଲି ମୁସଲିମ୍ ଜମାତ ପକ୍ଷରୁ ସୂଚନା ଦିଆଯାଇଥିଲା। ତେବେ ଏହି ପର୍ବ ପାଳନ ପୂର୍ବରୁ ଦଶଦିନ ଧରି ମସ୍ଜିଦ୍ ମାନଙ୍କରେ ‘କରବଲା’ ର ବିବରଣୀ ପାଠ ଓ ହଜରତ ଏମାମ ହୋସେନଙ୍କ ଜୀବନୀ ଉପରେ ଆଲୋଚନା ଜାରି ରହିଛି। ଆସନ୍ତା ମହରମ ପର୍ବ ପାଳନ ନେଇ ସହରର ୪ଟି ଜୋନ୍ରେ ପାଖାପାଖି ୪୦ ଟି ତାଜିଆ ବାହାରିବ ବୋଲି ମୁସ୍ଲିମ୍ ଜମାତ ପକ୍ଷରୁ ସୂଚନା ଦିଆଯାଇଥିଲା। ପୁରୁଣାବଜାର ଅଂଚଳରୁ ୨୩ ତାଜିଆ ବାହାରିବାକୁ ଥିବାବେଳେ କଚେରୀ ଓ ଚନ୍ଦନବଜାର ଅଂଚଳରୁ ୮ଟି ଲେଖାଏଁ ୧୬ଟି ତାଜିଆ ଓ ଚରମ୍ପାରୁ ଗୋଟିଏ ତାଜିଆ ବାହାରିବ ବୋଲି କୁହାଯାଇଥିଲା। ଶୋଭାଯାତ୍ରା ସମୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଜିଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାଉତ ସହରବାସୀଙ୍କ ସହଯୋଗ କାମନା କରିଥିଲେ। ଅପରପକ୍ଷରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁଲିସ୍ ପ୍ରଶାସନ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣରେ ପୁଲିସ୍ ମୁତୟନ କରାଯିବା ସହ ସମ୍ବେଦନଶୀଳ ସ୍ଥାନରେ ସିସିଟିଭି ଲଗାଯିବ। ପ୍ରତ୍ୟେକ ତାଜିଆ ପୁଲିସ୍ ସହାୟତାରେ ପରିଚାଳନା ହେବ। ଅନ୍ୟପକ୍ଷରେ ଗୁଜବ ଓ ସୋସିଆଲ ମିଡିଆରେ ଆପତି ଜନକ ମନ୍ତବ୍ୟ ଉପରେ କଟକଣା ଜାରି ରଖିବାକୁ ବୈଠକରେ ମତପ୍ରକାଶ ପାଇଥିଲା। ଏହାବ୍ୟତୀତ ରାସ୍ତାଘାଟର ମରାମତି, ପୁରୁଣାବଜାର ହସ୍ପିଟାଲରେ ଆମ୍ବୁଲାନ୍ସର ବ୍ୟବସ୍ଥା, ପାନୀୟ ଜଳର ବ୍ୟବସ୍ଥା ଓ ନିରବଚ୍ଛିନ୍ନ ବିଦ୍ୟୁତ୍ ସରବରାହ ଜାରି ରଖିବା ପାଇଁ ବୈଠକରେ କୁହାଯାଇଥିଲା। ଅନୁଷ୍ଠିତ ବୈଠକରେ ଏସସି ଇଲେକ୍ଟ୍ରିକାଲ, ଆରଡବ୍ଲ୍ୟୁଏସଏସର କର୍ତୃପକ୍ଷ, ମେଡିକାଲ କର୍ତୃପକ୍ଷ, ଅବକାରୀ ବିଭାଗ ସମେତ ମୁସଲିମ୍ ଜମାତର ଉପସଭାପତି ଜକାଉଲ୍ଲା, ସଂପାଦକ ମହମ୍ମଦ ମୁକିତ୍, ସାଧାରଣ ସଂପାଦକ ସେକ୍ ଇନାମ ମହମ୍ମଦଙ୍କ ସହ ଅନ୍ୟ ସଦସ୍ୟ ଓ ହିନ୍ଦୁ ସୁରକ୍ଷା ସମିତିର ସଭାପତି ବିଦ୍ୟାଧର ସାହୁ ଯୋଗ ଦେଇଥିଲେ।
Home ଜିଲ୍ଲା ପରିକ୍ରମା ମହରମ ପର୍ବ ପାଳନ ନେଇ ପ୍ରଶାସନର ପ୍ରସ୍ତୁତି ବୈଠକ, ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ସହଯୋଗ କାମନା...








