Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲାରେ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ର ଭବ୍ୟ ଶୁଭାରମ୍ଭ, ଆଭାସି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସିଧାପ୍ରସାରଣ...

ଭଦ୍ରକ ଜିଲ୍ଲାରେ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ର ଭବ୍ୟ ଶୁଭାରମ୍ଭ, ଆଭାସି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିଲେ ଜିଲ୍ଲାବାସୀ

14

ଭଦ୍ରକ, ୧୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟର ପ୍ରତ୍ୟେକ ଗରିବ ଓ ଅଭାବୀ ପରିବାର ପାଇଁ ଖାଦ୍ୟ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ବହୁ ପ୍ରତୀକ୍ଷିତ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ର ଜିଲ୍ଲାସ୍ତରୀୟ ଶୁଭାରମ୍ଭ ଭଦ୍ରକ ଟାଉନ ହଲ୍ ପରିସରରେ ଭବ୍ୟ ଭାବେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ଜନସାଧାରଣ ଓ ଅତିଥିମାନେ ଆଭାସି ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିଥିଲେ। ଏହାପରେ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସିତାଂଶୁ ଶେଖର ମହାପାତ୍ରଙ୍କ କରକମଳରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମର ଔପଚାରିକ ଉଦ୍ଘାଟନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଏହି ଭବ୍ୟ ସମାରୋହରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ, ଭଦ୍ରକ ପୌରପାଳିକା ଅଧ୍ୟକ୍ଷା ଗୁଲମକି ହବିବ, ମୁଖ୍ୟ ଉନ୍ନୟନ ଅଧିକାରୀ ସୁଭେନ୍ଦ୍ର ସାମଲ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ମନମୋହନ ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ମାନ୍ୟବର ବିଧାୟକ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ସମ୍ପର୍କରେ କହିଥିଲେ ଯେ, ଏହା ରାଜ୍ୟ ସରକାରଙ୍କର ଏକ ଐତିହାସିକ ଓ ଜନକଲ୍ୟାଣମୂଳକ ପଦକ୍ଷେପ। ଏହି ଯୋଜନା ମାଧ୍ୟମରେ ଗରିବ ଓ ଯୋଗ୍ୟ ହିତାଧିକାରୀମାନଙ୍କୁ ଅତ୍ୟନ୍ତ ସୁଲଭ ମୂଲ୍ୟରେ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉଛି, ଯାହା ଖାଦ୍ୟ ନିରାପତା ସୁନିଶ୍ଚିତ କରିବା ସହ ସେମାନଙ୍କ ଆର୍ôଥକ ବୋଝକୁ ହ୍ରାସ କରିବ। ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ସମାଜର ଶେଷ ଧାଡ଼ିର ଲୋକଙ୍କ ନିକଟରେ କଲ୍ୟାଣମୂଳକ ଯୋଜନାର ସୁଫଳ ପହଂଚାଇବା ପାଇଁ ପ୍ରତିବଦ୍ଧ ରହିଛନ୍ତି। ଏହି ଯୋଜନା ସାମାଜିକ ନ୍ୟାୟ ଓ ସମାବେଶୀ ବିକାଶ ଦିଗରେ ଏକ ମାଇଲଖୁଂଟ ସାବ୍ୟସ୍ତ ହେବ ବୋଲି ସେ ମତ ପ୍ରକାଶ କରିଥିଲେ। ଏହି ଯୋଜନା ଅଧୀନରେ ଏନଏଫଏସଏ-ପିଏମଜିକେଏୱାଇ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ସମସ୍ତ ଯୋଗ୍ୟ ରାସନ କାର୍ଡଧାରୀଙ୍କୁ ସେମାନଙ୍କ ନିୟମିତ ପ୍ରାପ୍ୟ ବ୍ୟତୀତ ହିତାଧିକାରୀ ପିଛା ପ୍ରତିମାସ ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ସମ୍ପୂର୍ଣ୍ଣ ମାଗଣାରେ ପ୍ରଦାନ କରାଯିବ। ଯୋଜନାଟି ଚଳିତ ବର୍ଷ ଏପ୍ରିଲ ମାସରୁ ଲାଗୁ ହୋଇଥିବାରୁ ହିତାଧିକାରୀମାନେ ଏକକାଳୀନ ଭାବେ ଏପ୍ରିଲ, ମେ ଓ ଜୁନ ମାସର ମୋଟ ୧୫ କିଲୋଗ୍ରାମ ଅତିରିକ୍ତ ଚାଉଳ ନିଶୁଳ୍କରେ ପାଇପାରିବେ। ଭଦ୍ରକ ଜିଲ୍ଲାରେ ସର୍ବସାଧାରଣଙ୍କୁ ଖାଦ୍ୟ ସୁରକ୍ଷା ସୁବିଧା ପ୍ରଦାନ ପାଇଁ ଯୋଗାଣ ବିଭାଗ ପକ୍ଷରୁ ସୁଦୃଢ଼ ସାର୍ବଜନୀନ ବିତରଣ ବ୍ୟବସ୍ଥା କାର୍ଯ୍ୟକରୀ କରାଯାଇଛି। ଜିଲ୍ଲାରେ ୭ଟି ବ୍ଲକ, ୭ଟି ତହସିଲ, ୨ଟି ପୌରପାଳିକା ଏବଂ ୨ଟି ଏନ୍‌ଏସି ରହିଥିବା ବେଳେ ୨୦୧୧ ଜନଗଣନା ଅନୁସାରେ ଜନସଂଖ୍ୟା ୧୫,୦୬,୩୩୭ ରହିଛି। ଜିଲ୍ଲାରେ ମୋଟ ୪୪୫ଟି ନ୍ୟାୟମୂଲ୍ୟ ଦୋକାନ କାର୍ଯ୍ୟ କରୁଛି। ସେଥିମଧ୍ୟରୁ ୧୩୬ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ , ୨୯ଟି ଗ୍ରାମ ପଂଚାୟତ, ୧ଟି ସମବାୟ ସମିତି ଏବଂ ୨୭୯ଟି ବ୍ୟକ୍ତିଗତ ଡିଲରଙ୍କ ଦ୍ୱାରା ପରିଚାଳିତ ହେଉଛି। ଜିଲ୍ଲାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ୩,୪୪,୪୬୨ ପରିବାରର ୧୧,୫୧,୧୯୧ ଜଣ ସଦସ୍ୟ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ୧୯,୧୩୧ ପରିବାରର ୩୬,୬୭୦ ଜଣ ସଦସ୍ୟ ଅନ୍ତର୍ଭୁକ୍ତ ଅଛନ୍ତି। ଏହିପରି ମୋଟ ୩,୬୩,୫୯୩ ପରିବାରର ୧୧,୮୭,୮୬୧ ଜଣ ସଦସ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ଲାଭ ପାଉଛନ୍ତି। ପ୍ରତିମାସରେ ଏନଏଫଏସଏ ଅଧୀନରେ ୬୫,୬୭୧ କ୍ୱିଂଟାଲ ଏବଂ ଏସଏଫଏସଏସ ଅଧୀନରେ ୧,୫୫୫.୫୫ କ୍ୱିଂଟାଲ ଚାଉଳ ଆବଂଟନ କରାଯାଉଥିବା ବେଳେ ମୋଟ ୬୭,୨୨୬.୫୫ କ୍ୱିଂଟାଲ ଚାଉଳ ବଂଟନ ପାଇଁ ଯୋଗାଇ ଦିଆଯାଉଛି। ସେହିପରି ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଅଧୀନରେ ତିନି ମାସ ପାଇଁ ୧,୭୮,୧୭୯.୧୫ କ୍ୱିଂଟାଲ ଚାଉଳ ଆବଂଟନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.