ଭଦ୍ରକ, ୧୧ା୬ ( ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରର ପ୍ରମୁଖ କ୍ରୀଡ଼ା କେନ୍ଦ୍ର ନେହେରୁ ଷ୍ଟାଡିୟମ୍ର ବହୁ ପ୍ରତୀକ୍ଷିତ ଉନ୍ନତିକରଣ ଓ ବିକାଶ ପ୍ରକଳ୍ପର ଶିଳାନ୍ୟାସ ଉତ୍ସବ ଆଜି ଆଡ଼ମ୍ବରପୂର୍ଣ୍ଣ ଓ ଉତ୍ସାହପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ପ୍ରାୟ ୨୩ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ଷ୍ଟାଡିୟମ୍ର ସମଗ୍ର ଉନ୍ନତିକରଣ କରାଯିବାକୁ ଥିବାବେଳେ ଏହାକୁ ଜିଲ୍ଲାର କ୍ରୀଡ଼ା ଭିତିଭୂମି ବିକାଶ କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ ବୋଲି କୁହାଯାଇଛି। ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମାନ୍ୟବର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହି ଅବସରରେ ଭଦ୍ରକ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ର, ଭଦ୍ରକ ଲୋକସଭା ସାଂସଦ ଅଭିମନ୍ୟୁ ସେଠୀ, ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ, ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଦେବବ୍ରତ ମହାପାତ୍ର ଓ ଏଚଏସସିଏଲ୍ର ବରିଷ୍ଠ ଯନ୍ତ୍ରୀ ଯତୀନ୍ଦ୍ର ବେହେରାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ, କ୍ରୀଡ଼ାବିତ୍ ଓ କ୍ରୀଡ଼ାପ୍ରେମୀ ଉପସ୍ଥିତ ଥିଲେ। ମାନ୍ୟବର ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଆଧୁନିକ ଖେଳ ସୁବିଧା, ଉନ୍ନତ ଭିତିଭୂମି ଓ ଖେଳାଳିମାନଙ୍କ ପାଇଁ ସମସ୍ତ ଆବଶ୍ୟକୀୟ ସୁବିଧା ସହ ନେହେରୁ ଷ୍ଟାଡିୟମ୍କୁ ଏକ ଆଦର୍ଶ କ୍ରୀଡ଼ା କେନ୍ଦ୍ରରେ ପରିଣତ କରାଯିବ। ରାଜ୍ୟ ସରକାର କ୍ରୀଡ଼ା କ୍ଷେତ୍ରର ବିକାଶକୁ ସର୍ବାଧିକ ପ୍ରାଥମିକତା ଦେଉଥିବାବେଳେ ଭଦ୍ରକ ସମେତ ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ୍ରେ କ୍ରୀଡ଼ା ଭିତିଭୂମି ସୁଦୃଢ଼ କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସେ କହିଥିଲେ। ଲୋକସଭା ସାଂସଦ ଅଭିମନ୍ୟୁ ସେଠୀ ଜିଲ୍ଲାର କ୍ରୀଡ଼ା କ୍ଷେତ୍ରର ସାମଗ୍ରିକ ବିକାଶ ପାଇଁ ସମସ୍ତଙ୍କ ସହଯୋଗ ଓ ସମନ୍ୱୟର ଆହ୍ୱାନ ଜଣାଇଥିଲେ। ଭଦ୍ରକ ବିଧାୟକ ଓ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ର ଏହି ପ୍ରକଳ୍ପକୁ ଭଦ୍ରକର କ୍ରୀଡ଼ା ଇତିହାସରେ ଏକ ମାଇଲଖୁଂଟ ବୋଲି ଅଭିହିତ କରିଥିଲେ। ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ଜିଲ୍ଲାର ଯୁବ ଖେଳାଳିମାନେ ଉନ୍ନତ ପ୍ରଶିକ୍ଷଣ ଓ ପ୍ରତିଯୋଗିତା ସୁବିଧା ପାଇବା ସହ ଭଦ୍ରକ ଏକ ପ୍ରମୁଖ କ୍ରୀଡ଼ା କେନ୍ଦ୍ର ଭାବେ ପରିଚିତ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ। ଜିଲ୍ଲା କ୍ରୀଡ଼ା ଅଧିକାରୀ ଦେବବ୍ରତ ମହାପାତ୍ର ପ୍ରସ୍ତାବିତ ଉନ୍ନତିକରଣ କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ ପ୍ରକଳ୍ପ ମାଧ୍ୟମରେ ଷ୍ଟାଡିୟମ୍ରେ ଆଧୁନିକ କ୍ରୀଡ଼ା ଭିତିଭୂମି ସୃଷ୍ଟି, ଖେଳ ପଡ଼ିଆର ଉନ୍ନତି ଏବଂ ଖେଳାଳିମାନଙ୍କ ପାଇଁ ଉନ୍ନତ ପ୍ରଶିକ୍ଷଣ ସୁବିଧା ଯୋଗାଇ ଦିଆଯିବ। ଏହା ଜିଲ୍ଲାରେ କ୍ରୀଡ଼ା ପ୍ରତିଭାର ବିକାଶ ଓ ରାଜ୍ୟ ତଥା ଜାତୀୟ ସ୍ତରୀୟ ପ୍ରତିଯୋଗିତା ଆୟୋଜନର ସୁଯୋଗ ସୃଷ୍ଟି କରିବ ବୋଲି ସେ କହିଥିଲେ। ଆରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିବାବେଳେ, ଏଚଏସସିଏଲ୍ର ବରିଷ୍ଠ ଯନ୍ତ୍ରୀ ଯତୀନ୍ଦ୍ର ବେହେରା ପ୍ରକଳ୍ପର ବୈଷୟିକ ଦିଗ ଓ ଉନ୍ନତିକରଣ ଯୋଜନା ଉପସ୍ଥାପନ କରିଥିଲେ। ଶେଷରେ ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ ଧନ୍ୟବାଦ ଅର୍ପଣ କରିଥିଲେ। କାଦମ୍ବରୀ କର ଶର୍ମା ସମଗ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ନେହେରୁ ଷ୍ଟାଡିୟମ୍ର ଏହି ଉନ୍ନତିକରଣ ପ୍ରକଳ୍ପ ଭଦ୍ରକ ଜିଲ୍ଲାର କ୍ରୀଡ଼ା କ୍ଷେତ୍ରକୁ ନୂତନ ଗତି ପ୍ରଦାନ କରିବା ସହ ଯୁବ ଖେଳାଳିମାନଙ୍କ ପାଇଁ ଉନ୍ନତ ପ୍ରଶିକ୍ଷଣ ଓ ପ୍ରତିଯୋଗିତାର ନୂଆ ସୁଯୋଗ ସୃଷ୍ଟି କରିବ ବୋଲି ଉପସ୍ଥିତ କ୍ରୀଡ଼ାପ୍ରେମୀମାନେ ମତ ପ୍ରକାଶ କରିଥିଲେ।
Home ଜିଲ୍ଲା ପରିକ୍ରମା ୨୩ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ଭଦ୍ରକ ନେହେରୁ ଷ୍ଟାଡିୟମ୍ର ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ୟାସ,...








