Home ଜିଲ୍ଲା ପରିକ୍ରମା ଗଛ କଟା ମାମଲା,ଧାମନଗରରେ ସରକାରୀ ଜମିରୁ ୧ ଲକ୍ଷରୁ ଅଧିକ ଟଙ୍କାର ଚକୁଣ୍ଡା ଗଛ ଚୋରି...

ଗଛ କଟା ମାମଲା,ଧାମନଗରରେ ସରକାରୀ ଜମିରୁ ୧ ଲକ୍ଷରୁ ଅଧିକ ଟଙ୍କାର ଚକୁଣ୍ଡା ଗଛ ଚୋରି ଅଭିଯୋଗ, ଥାନାରେ ଏତଲା

6

ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମପଂଚାୟତ କାର୍ଯ୍ୟାଳୟ ନିକଟରେ ଥିବା ସରକାରୀ ଜଙ୍ଗଲ ଜମିରୁ ବେଆଇନ ଭାବେ ଗଛ କାଟିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କ ବିରୋଧରେ ସଙ୍ଗୀନ ମାମଲା ରୁଜୁ ହୋଇଛି । ଗୋବିନ୍ଦପୁର ଗ୍ରାମର ସାଧୁ ଚରଣ ସେଠୀଙ୍କ ପୁଅ ରବୀନ୍ଦ୍ର ସେଠୀଙ୍କ ବିରୋଧରେ ସରକାରୀ ସମ୍ପତିର ବ୍ୟାପକ କ୍ଷତି କରିବା ସହ ପରିବେଶ ନଷ୍ଟ କରିଥିବା ନେଇ ଧାମନଗର ତହସିଲଦାର ଲିଖିତ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଗତ ଜୁନ୍ ୨, ୨୦୨୬ (ମଙ୍ଗଳବାର) ଦିନ ଗୋବିନ୍ଦପୁର ପଞ୍ଚାୟତ ଅଫିସ ପାର୍ଶ୍ୱରେ ଥିବା ଖାତା ନମ୍ବର ୪୩୮ (ରକ୍ଷିତ), ପ୍ଲଟ୍ ନମ୍ବର ୫୪୧ (କିସମ: ଗ୍ରାମ୍ୟ ଜଙ୍ଗଲ, ସରକାରୀ ଜମି) ରୁ ଏକ ବିଶାଳ ଚାକୁଣ୍ଡା ଗଛକୁ ଅଭିଯୁକ୍ତ ରବୀନ୍ଦ୍ର ସେଠୀ ବେଆଇନ ଭାବେ କାଟି ପକାଇଥିଲେ। ଏ ସମ୍ପର୍କରେ ଖବର ପାଇ ଅସୁରାଳି ରାଜସ୍ୱ ନିରୀକ୍ଷକ (ଆର.ଆଇ) ଘଟଣାସ୍ଥଳ ପରିଦର୍ଶନ କରି ଏକ ସବିଶେଷ ରିପୋର୍ଟ ତହସିଲଦାରଙ୍କୁ ପ୍ରଦାନ କରିଥିଲେ । ଅସୁରାଳି ଆର.ଆଇ.ଙ୍କ ତଦନ୍ତ ସୂଚନା ଆଧାରରେ ଧାମନଗର ତହସିଲଦାର ଜ୍ଞାନରଞ୍ଜନ ସାହୁ ଗତ ଜୁନ୍ ୪ ତାରିଖ ସନ୍ଧ୍ୟା ୭:୩୦ ମିନିଟ୍ ସମୟରେ ଧାମନଗର ଥାନାରେ ଏକ ଲିଖିତ ଏଫ୍‌ଆଇଆର ଦାୟର କରିଥିଲେ । ତହସିଲଦାରଙ୍କ ଅଭିଯୋଗ ଅନୁଯାୟୀ, ରବୀନ୍ଦ୍ର ସେଠୀ ଜଣେ ଅଭ୍ୟାସଗତ ଅପରାଧୀ ଏବଂ ସେ ପୂର୍ବରୁ ମଧ୍ୟ ବିନା କୌଣସି ସରକାରୀ ଅନୁମତିରେ ଅନେକ ଗଛ କାଟିଛନ୍ତି । କଟାଯାଇଥିବା ଗଛଗୁଡ଼ିକର ଆନୁମାନିକ ମୂଲ୍ୟ ପ୍ରାୟ ୧,୦୦,୦୦୦ (ଏକ ଲକ୍ଷ) ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି, ଯାହାଦ୍ୱାରା ସରକାରୀ ସମ୍ପତିର ବ୍ୟାପକ କ୍ଷତି ଘଟିଛି । ତହସିଲଦାରଙ୍କ ଲିଖିତ ଅଭିଯୋଗ ଆଧାରରେ ଧାମନଗର ଥାନା ଅଧିକାରୀ ଶୁଭ୍ରଜିତ ଦାସଙ୍କ ନିର୍ଦ୍ଦେଶକ୍ରମେ ଥାନା କେସ୍ ନମ୍ବର ୦୨୪୪/୨୦୨୬ ରେ ଭାରତୀୟ ନ୍ୟାୟ ସଂହିତା ୨୦୨୩ ର ଧାରା ୩୦୩ (ଚୋରି) ଏବଂ ଧାରା ୩୨୪(୫) (ସରକାରୀ ସମ୍ପତି ନଷ୍ଟ କରିବା) ଅଧୀନରେ ଏକ ସଙ୍ଗୀନ ମାମଲା ରୁଜୁ କରାଯାଇଛି। ଏହି ମାମଲାର ତଦନ୍ତ ଭାର ଉପ-ନିରୀକ୍ଷକ ନାରାୟଣ ନାୟକଙ୍କୁ ହସ୍ତାନ୍ତର କରାଯାଇଛି । ଘଟଣାସ୍ଥଳରୁ ଗଛ ପକାଇବା ପାଇଁ ବ୍ୟବହୃତ ଦୁଇଟି ମୋଟା ଦଉଡ଼ି ଏବଂ ଦୁଇଟି କାଠ କଟା କରତ ଜବତ କରାଯାଇ ତହସିଲ ହେପାଜତରେ ରଖାଯାଇଛି। ଏଥିସହ ଜବତ ଚାକୁଣ୍ଡା ଗଛକୁ ପରବର୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ଧାମନଗର ବନ ବିଭାଗ ଅଧିକାରୀ ଙ୍କୁ ହସ୍ତାନ୍ତର କରାଯାଇଛି। ସରକାରୀ ସମ୍ପତି ସୁରକ୍ଷା ଏବଂ ଜନସ୍ୱାର୍ଥ ଦୃଷ୍ଟିରୁ ଏହି ମାମଲାକୁ ପ୍ରଶାସନ ପକ୍ଷରୁ ଅତ୍ୟନ୍ତ ଗୁରୁତ୍ୱର ସହ ନିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.