Home ଜିଲ୍ଲା ପରିକ୍ରମା ଧାମନଗରରେ ମାଟି ମାଫିଆଙ୍କ ଦାଦାଗିରି,ରାସ୍ତା ପାଲଟିଛି ମରଣଯନ୍ତା, କାଦୁଅରେ ରକ୍ତାକ୍ତ ହେଉଛନ୍ତି ପଥିକ; ଶୋଇଛି ପ୍ରଶାସନ!

ଧାମନଗରରେ ମାଟି ମାଫିଆଙ୍କ ଦାଦାଗିରି,ରାସ୍ତା ପାଲଟିଛି ମରଣଯନ୍ତା, କାଦୁଅରେ ରକ୍ତାକ୍ତ ହେଉଛନ୍ତି ପଥିକ; ଶୋଇଛି ପ୍ରଶାସନ!

4

ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଅଂଚଳରେ ପ୍ରଶାସନିକ ଶିଥିଳତାର ସୁଯୋଗ ନେଇ କିଛି ସ୍ୱାର୍ଥନ୍ୱେଷୀ ବ୍ୟକ୍ତି ସାଧାରଣ ଜୀବନ ଜୀବିକାକୁ ବିପନ୍ନ କରିବାରେ ଲାଗିଛନ୍ତି। ଯେଉଁଠି ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ବେପରୁଆ କାର୍ଯ୍ୟକଳାପ ଯୋଗୁଁ ଧାମନଗର ବ୍ଲକ ଦଳାଙ୍ଗ ଗ୍ରାମ ପଂଚାୟତ ଜାହାଙ୍ଗୀର ଗ୍ରାମର ପାର୍ଲାମେଂଟ ଛକରୁ କାଳୀ ବଜାର ଯାଇଥିବା ମୁଖ୍ୟ ରାସ୍ତାଟି ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଏକ ସ୍ଥାୟୀ ‘ମରଣଯନ୍ତା’ ପାଲଟିଛି। ମିଳିଥିବା ସୂଚନା ମୁତାବକ, ଧାମନଗର ତହସିଲ ଅଧୀନ ଜାହାଙ୍ଗୀର ମୌଜାର ଶାନ୍ତିଲତା ରାଉତ (ସ୍ୱାମୀ- ପର୍ଶୁରାମ ରାଉତ)ଙ୍କ ନିଜସ୍ୱ ଖାତା ନମ୍ବର ୩୪୬ ଏବଂ ପ୍ଲଟ ନମ୍ବର ୯୧୫ ବିଶିଷ୍ଟ ଏକ ଦୋଫସଲି ଜଳ ଜମିରୁ ବ୍ୟାପକ ଭାବେ ମାଟି ଖୋଳାଯାଉଛି। କୌଣସି ପ୍ରଶାସନିକ ଅନୁମତି ନଥାଇ ଏହି ମାଟିକୁ ଟ୍ରାକ୍ଟର ସାହାଯ୍ୟରେ ଜାହାଙ୍ଗୀର ଦଳାଙ୍ଗ ସେବା ସମବାୟ ସମିତି ସନ୍ନିକଟକୁ ଚାଲାଣ କରାଯାଉଛି। ମାଟି ମାଫିଆଙ୍କ ଭଳି ବେପରୁଆ ଢଙ୍ଗରେ ଟ୍ରାକ୍ଟରଗୁଡ଼ିକ ଓଭରଲୋଡିଂ ହୋଇ ଯାତାୟାତ କରିବା ଫଳରେ, ମୁଖ୍ୟ ପିଚୁ ରାସ୍ତା ସାରା ମାଟି ଅଜାଡ଼ି ହୋଇ ପଡ଼ିଥିଲା । ଗତ କିଛି ଦିନ ହେବ ବର୍ଷା ଜାରି ରହିଥିବାରୁ ରାସ୍ତାରେ ପଡ଼ିଥିବା ସେହି ମାଟି ଏବେ ପିଚ୍ଛିଳ ଗହୀର କାଦୁଅରେ ପରିଣତ ହୋଇଛି। ଏହି ବାଟ ଦେଇ ଯାଉଥିବା ସାଧାରଣ ପଥଚାରୀ ଏବଂ ବିଶେଷ କରି ଦୁଇଚକିଆ ଯାନ ଚାଳକମାନେ ନିୟନ୍ତ୍ରଣ ହରାଇ କାଦୁଅରେ ଖସି ପଡ଼ୁଛନ୍ତି ଏବଂ ଲଗାତାର ଦୁର୍ଘଟଣାର ଶିକାର ହୋଇ ହାତଗୋଡ଼ ଭାଙ୍ଗି ରକ୍ତାକ୍ତ ହେଉଛନ୍ତି। ଜଣଙ୍କର ବ୍ୟକ୍ତିଗତ ମାଟି ବୋହିବା ନିଶା ଆଜି ସମଗ୍ର ଅଞ୍ଚଳବାସୀଙ୍କୁ ଏକ ବଡ଼ ବିପଦ ମଧ୍ୟକୁ ଠେଲି ଦେଇଛି। ସବୁଠାରୁ ଆଶ୍ଚର୍ଯ୍ୟ ଓ ଦୁର୍ଭାଗ୍ୟର ବିଷୟ ହେଉଛି, ଦିନଦ୍ୱିପ୍ରହରରେ ଏଭଳି ସର୍ବସାଧାରଣ ରାସ୍ତାକୁ ନଷ୍ଟ କରାଯାଉଥିଲେ ମଧ୍ୟ ସ୍ଥାନୀୟ ତହସିଲ ପ୍ରଶାସନ ଏବଂ ପୋଲିସ କାହିଁକି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି! ଜଣେ ବ୍ୟକ୍ତିର ସ୍ୱାର୍ଥ ରକ୍ଷା ପାଇଁ କାହା ଛତ୍ରଛାୟାରେ ଏହି ବେଆଇନ କାର୍ଯ୍ୟ ଚାଲିଛି ବୋଲି ସ୍ଥାନୀୟ ଲୋକେ ଉଗ୍ର ପ୍ରଶ୍ନ କରିଛନ୍ତି। ଅଂଚଳରେ ଏହାକୁ ନେଇ ତୀବ୍ର ଜନଆକ୍ରୋଶ ସୃଷ୍ଟି ହୋଇଛି। ଯଦି ତୁରନ୍ତ ରାସ୍ତା ସଫା କରାନଯାଏ ଏବଂ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତେବେ ଉତ୍ୟକ୍ତ ଜନସାଧାରଣ ରାସ୍ତାରୋକ ଭଳି ବଡ଼ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.