Home ଜିଲ୍ଲା ପରିକ୍ରମା ସାଇବର ଠକେଇର ଶିକାର ହେଲେ ବରିଷ୍ଠ ପୋଲିସ ଅଧିକାରୀ,ଧାମନଗର ଏସଡିପିଓଙ୍କ ଆକାଉଂଟରୁ ଗାଏବ ହେଲା ୯୯...

ସାଇବର ଠକେଇର ଶିକାର ହେଲେ ବରିଷ୍ଠ ପୋଲିସ ଅଧିକାରୀ,ଧାମନଗର ଏସଡିପିଓଙ୍କ ଆକାଉଂଟରୁ ଗାଏବ ହେଲା ୯୯ ହଜାର ଟଙ୍କା

1

ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାଇବର ଠକଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଥର ସାଇବର ଲୁଟେରାଙ୍କ ଶିକାର ହୋଇଛନ୍ତି ସ୍ୱୟଂ ଜଣେ ବରିଷ୍ଠ ପୋଲିସ ଅଧିକାରୀ। ଭଦ୍ରକ ଜିଲ୍ଲା ଧାମନଗର ଏସଡିପିଓ ଅନିରୁଦ୍ଧ ମୁଦୁଲିଙ୍କ ବ୍ୟାଙ୍କ ଆକାଉଂଟରୁ ଜାଲିଆତି କରି ପ୍ରାୟ ୯୮,୯୨୮ ଟଙ୍କା ଲୁଟି ନିଆଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ଧାମନଗର ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ, ଏସ୍‌ଡିପିଓ ମୁଦୁଲିଙ୍କର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ରେ ଏକ ସଂଚୟ ଖାତା ରହିଛି। ଗତ ଜୁନ୍ ୩ ତାରିଖ ସନ୍ଧ୍ୟା ପ୍ରାୟ ୫ଟା ୩୧ ମିନିଟ୍ ସମୟରେ ତାଙ୍କ ମୋବାଇଲ ନମ୍ବରକୁ ଏକ ମେସେଜ୍ ଆସିଥିଲା, ଯେଉଁଥିରେ ତାଙ୍କ ଆକାଉଂଟରୁ ୯୮,୫୦୦ ଟଙ୍କା ୟୁପିଆଇ ମାଧ୍ୟମରେ ଶୁଭଜିତ୍ କ୍ଷେତ୍ରୀ ନାମକ ଜଣେ ବ୍ୟକ୍ତିଙ୍କ ଖାତାକୁ ସ୍ଥାନାନ୍ତର ହୋଇଥିବା ଉଲ୍ଲେଖ ଥିଲା। ତାଙ୍କ ଅଗୋଚରରେ ଏହି ବଡ଼ ଅଙ୍କର କାରବାର ହୋଇଥିବା ଦେଖି ସେ ସନ୍ଦେହ ପ୍ରକାଶ କରିଥିଲେ। ଏହାପରେ ସେ ତୁରନ୍ତ ବ୍ୟାଙ୍କ ଶାଖାକୁ ଯାଇ ନିଜ ଆକାଉଂଟର ଟ୍ରାଞ୍ଜାକସନ୍ ଡିଟେଲ୍ସ (ବିବରଣୀ) ଯାଂଚ କରିଥିଲେ। ଯାଂଚ ପରେ ଜଣାପଡ଼ିଥିଲା ଯେ କେବଳ ସେହି ଦିନ ନୁହେଁ, ବରଂ ପୂର୍ବରୁ ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ତାଙ୍କ ଆକାଉଂଟରୁ ଟଙ୍କା ଗାଏବ କରାଯାଇଛି। ଗତ ମେ’ ୨୬ ତାରିଖରେ ୧ ଟଙ୍କା, ମେ’ ୨୮ରେ ୨୦ ଟଙ୍କା, ମେ’ ୩୧ରେ ୬ ଟଙ୍କା ଏବଂ ଜୁନ୍ ୧ ତାରିଖରେ ପୁଣି ୧ ଟଙ୍କା ୟୁପିଆଇ ମାଧ୍ୟମରେ କାଟି ନିଆଯାଇଥିଲା। ଅତି ଚତୁରତାର ସହ ଆକାଉଂଟ ସକ୍ରିୟ ଅଛି କି ନାହିଁ ପରଖିବା ପାଇଁ ପ୍ରଥମେ ଛୋଟ ଛୋଟ ଅଙ୍କର ଟଙ୍କା ଏବଂ ପରେ ଏକାଥରକେ ବଡ଼ ଅଙ୍କର ଟଙ୍କା ଲୁଟି ନିଆଯାଇଥିବା ସନ୍ଦେହ କରାଯାଉଛି। ସର୍ବମୋଟ ୯୮,୯୨୮ ଟଙ୍କା ଅଜ୍ଞାତ ଅଭିଯୁକ୍ତମାନେ ଲୁଟି ନେଇଛନ୍ତି। ଠକାମିର ଶିକାର ହେବା ପରେ ବ୍ୟାଙ୍କ ଆକାଉଂଟକୁ ଫ୍ରିଜ୍ (ସୁରକ୍ଷିତ ବନ୍ଦ) କରିବା ପ୍ରକ୍ରିୟାରେ ବ୍ୟସ୍ତ ଥିବା ଯୋଗୁଁ ଏଫଆଇଆର ଦେବାରେ ସାମାନ୍ୟ ବିଳମ୍ବ ହୋଇଥିଲା। ଗତ ଜୁନ୍ ୬ ତାରିଖରେ ଧାମନଗର ଥାନାରେ ଏ ସମ୍ପର୍କରେ ଏକ ଲିଖିତ ଅଭିଯୋଗ ହେବା ପରେ, ପୋଲିସ କେସ୍ ନମ୍ବର ୨୪୯/୨୦୨୬ ରେ ଭାରତୀୟ ନ୍ୟାୟ ସଂହିତା ର ଧାରା ୩୦୩(୨) ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଆକ୍ଟ ର ଧାରା ୬୬ ଓ ୬୬(ସି) ଅଧୀନରେ ମାମଲା ରୁଜୁ କରିଛି। ଧାମନଗର ଥାନା ଆଇଆଇସି ସୁଭ୍ରଜିତ୍ ଦାସ ନିଜେ ଏହି ହାଇପ୍ରୋଫାଇଲ୍ ସାଇବର ଲୁଟ୍ ମାମଲାର ତଦନ୍ତ ଭାର ଗ୍ରହଣ କରିଛନ୍ତି। ଧାମନଗର ପୋଲିସ ସାଇବର ସେଲ୍ ସହାୟତାରେ ଅଭିଯୁକ୍ତ ଏବଂ ସଂପୃକ୍ତ ୟୁପିଆଇ ଆକାଉଂଟଗୁଡ଼ିକୁ ଚିହ୍ନଟ କରିବା ପାଇଁ ପ୍ରକ୍ରିୟା ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.