ଭଦ୍ରକ, ୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ରାଷ୍ଟ୍ରୀୟ ଶିକ୍ଷାନୀତି ଆଧାରରେ ପିଲାର ମୂଳଦୁଆକୁ ସୁଦୃଢ କରିବା ପାଇଁ ସରକାର ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଇଛନ୍ତି। ଏହି ଆଧାରରେ ପ୍ରତିଟି ପଂଚାୟତରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଲକ୍ଷ୍ୟଧାର୍ଯ୍ୟ ରଖାଯାଇଛି। ଏହି ଅବସରରେ ଆସନ୍ତାକାଲି ରବିବାର ରାଜ୍ୟରେ ୧୯୮ ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତିପ୍ରସ୍ତର ଭର୍ଚୁଆଲ ମୋଡରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ଥାପନ କରିବେ। ଏହାମଧ୍ୟରୁ ଭଦ୍ରକ ଜିଲାରେ ୫ଟି ସ୍କୁଲରେ ଏହି ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହେବ। ବନ୍ତ ବ୍ଲକ୍ର ନିଳୋକ ପଂଚାୟତର ହରିହର ନୋଡାଲ ୟୁପି ସ୍କୁଲ, ଓଡଙ୍ଗ ପଂଚାୟତର ସରକାରୀ ୟୁପି ସ୍କୁଲ ମଙ୍ଗୁଳି, ବସନ୍ତିଆ ପଂଚାୟତର ସରକାରୀ ୟୁପି ସ୍କୁଲ ଆପଣ୍ଡା ୩ଟି ସ୍ଥାନରେ ଭିତିପ୍ରସ୍ତର ସ୍ଥାପନ ହେବ। ସେହିପରି ତିହିଡି ବ୍ଲକ୍ର ଶ୍ୟାମସୁନ୍ଦରପୁର ଗ୍ରାମପଂଚାୟତର ଜୟଦୁର୍ଗା ନୋଡାଲ ୟୁପି ସ୍କୁଲ ଉପରଦୁମୁକା ଓ ଧାମନଗର ବ୍ଲକ୍ର ବୟାଙ୍ଗଡିହି ପଂଚାୟତର ଉତ୍କଳମଣି ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ପ୍ରତ୍ୟେକ ବିଦ୍ୟାଳୟ ୬ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯିବ। ୨୭ ହଜାର ୪୩୮ ସ୍କୋୟାରଫୁଟ୍ ପରିମିତ ଜମିରେ ଏହି ବିଦ୍ୟାଳୟ ନିର୍ମାଣ କରାଯିବ। ଏହାମଧ୍ୟରୁ ୨୫୫୦ ସ୍କୋୟରମିଟର ସ୍କୁଲ ବିଲ୍ଡିଂ ନିର୍ମାଣ ହେବ। ଏହାବ୍ୟତୀତ ମଲ୍ଟି ପ୍ରୋପଜ୍ ହଲ, ଷ୍ଟାଫ୍ କ୍ୱାର୍ଟର, ବଏଜ୍ ଓ ଗାର୍ଲସ୍ ହଷ୍ଟେଲ, ଖେଳପଡିଆ, ଡାଇନିଂ ହଲ୍, କିଚେନ, ଟଏଲେଟ୍, କୋର୍ଟ ୱାର୍ଡ, ଚିଲଡ୍ରେନସ୍ ପ୍ଲେ ଏରିଆ ଆଦି ନିର୍ମାଣ କରାଯିବ। ପ୍ରକାଶଯୋଗ୍ୟ ଗତ ମାର୍ଚ୍ଚ ମାସରେ ସରକାରଙ୍କ ତରଫରୁ ବରଣ୍ଡୁଆ, ଘେଂଟଶ୍ୱର ଓ ଦୋବଲରେ ଏହି ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ ହେବାପାଇଁ ଏବେ ମାଟି ପରୀକ୍ଷା କାର୍ଯ୍ୟ ଚାଲିଛି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଏହି ଭର୍ଚୁଆଲ ଭିତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲା ଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି।








