ଭଦ୍ରକ, ୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଭଦ୍ରକ କଲେଜର ଇନଚାର୍ଜ ପ୍ରିନ୍ସପାଲ ଭାବେ ଡଃ ଲଳିତ ରଞ୍ଜନ ସାହୁ କାର୍ଯ୍ୟରେ ଯୋଗ ଦେଇଥିଲେ। ପୂର୍ବତନ ଅଧ୍ୟକ୍ଷ ଡଃ ରଜତ କୁମାର ପ୍ରଧାନ ଆଜିଯାଏଁ ତାଙ୍କୁ ଦାୟିତ୍ୱ ବହନ କରିବାର ସୁଯୋଗ ଦେଉନାହାଁନ୍ତି। ପ୍ରିନ୍ସପାଲଙ୍କ କାର୍ଯ୍ୟାଳୟରେ ତାଲା ପକାଇ ଚାବିକାଠି ନିଜ ପାଖରେ ରଖିଛନ୍ତି। ଫଳରେ ନୂଆ ଭାରପ୍ରାପ୍ତ ଅଧ୍ୟକ୍ଷ ଡଃ ସାହୁ କାର୍ଯ୍ୟରେ ଯୋଗଦେବା ଦିନ ଠାରୁ ବସିବାକୁ ଜାଗା ପାଉନାହାଁନ୍ତି। କଲେଜର ବିଭିନ୍ନ ଦପ୍ତରରେ ବସି ନିଜ ଦାୟିତ୍ୱ ନିର୍ବାହ କରିବାକୁ ପଡୁଛି। କଲେଜର ଏପରି ଅଚଳାବସ୍ଥାକୁ ନେଇ ଏକ ଖବର ପ୍ରକାଶ ପାଇଥିଲା। ବାଲେଶ୍ୱର ରିଜିଓନାଲ ଡାଇରେକ୍ଟର ପ୍ରିନ୍ସପାଲ କାର୍ଯ୍ୟାଳୟର ଇନଭେଂଟୋରୀ କଲେଜର ସମସ୍ତ ରେକର୍ଡ, ଡକ୍ୟୁମେଂଟସ୍, ଫାଇଲ, ରେଜିଷ୍ଟର, ଆସବାବ ପତ୍ର ଓ ପୂର୍ବତନ ଅଧ୍ୟକ୍ଷ ଡଃ ପ୍ରଧାନଙ୍କ ନିକଟରେ ଥିବା ଚାବିକାଠିକୁ ଉଦ୍ଧାର କରିବା ପାଇଁ ଜିଲାପାଳଙ୍କୁ ଏକ ଚିଠି ଲେଖିଛନ୍ତି। ଯାହାର ଚିଠି ନଂ ୧୫୧୪/ଆରଡିଇ, ତା ୦୧.୦୬.୨୦୨୬ ରିଖ। ରିଜିଓନାଲ ଡାଇରେକ୍ଟରଙ୍କ ଚିଠି ପାଇବା ପରେ ଜିଲାପାଳ ଡଃ ଦିଲ୍ଲୀପ ରାଉତରାଏଙ୍କ ପକ୍ଷରୁ ଆସନ୍ତା ୫ ତାରିଖ ସକାଳ ୧୦ ଘଟିକା ସମୟରେ ଇନଭେଂଟୋରୀ ପାଇଁ ଆଜି ନିର୍ଦ୍ଦେଶନାମା ଜାରି ହୋଇଛି। ଯାହାର ପତ୍ର ସଂଖ୍ୟା ୭୫୧୬, ତା୦୩.୦୬.୨୬ ରିଖ। ଏହାସହିତ ନୂଆ ଅଧ୍ୟକ୍ଷ ଡଃ ସାହୁଙ୍କୁ କଲେଜରେ ୫ ଜଣିଆ ବରିଷ୍ଠ ଅଧ୍ୟାପକଙ୍କୁ ନେଇ ଏକ ଇନଭେଂଟୋରୀ ଟିମ୍ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଇନଭେଂଟୋରୀ କାର୍ଯ୍ୟ ପରିଚାଳନା କରିବା ପାଇଁ ଭଦ୍ରକ ତହସିଲଦାର, ଅତିରିକ୍ତ ତହସିଲଦାର ରଞ୍ଜନ କୁମାର ସିଂ ଙ୍କୁ ଏକ୍ଜିକୁଟିଭ୍ ମାଜିଷ୍ଟ୍ରେଟ୍ ଭାବେ ନିଯୁକ୍ତି ଦିଆଯାଇଛି। ସୂଚନାଯୋଗ୍ୟ ଡଃ ସାହୁ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗଙ୍କ ଦ୍ୱାରା ନିଯୁକ୍ତି ପାଇଥିଲେ। ଯାହାର ନିର୍ଦ୍ଦେଶନାମା ନଂ ୨୭୬୫୨/ଏଚଇ, ତା୨୬.୦୫.୨୬ ରିଖ ଅଟେ। ପୂର୍ବତନ ଅଧ୍ୟକ୍ଷ ଡଃ ପ୍ରଧାନ ଢେଙ୍କାନାଳ ବଦଳି ହୋଇଥିଲେ ମଧ୍ୟ ସେ କାର୍ଯ୍ୟରେ ଯୋଗ ଦେଇନଥିଲେ। ଅପରପକ୍ଷରେ କଲେଜରେ ତାଲା ପକାଇ ଦେଇଥିଲେ। ଫଳରେ କଲେଜର ପ୍ରଶାସନିକ ବ୍ୟବସ୍ଥାର ସୁଧାର ଆଣିବା ପାଇଁ ଉଚ୍ଚଶିକ୍ଷା ବିଭାଗ ଗତ ତା ୧୯.୦୫.୨୬ ରିଖରେ ତାଙ୍କୁ ସେଂଟ୍ରାଲି ରିଲିଫ୍ କରିବା ସହ ନୂଆ ଅଧ୍ୟକ୍ଷଙ୍କୁ ଦାୟିତ୍ୱ ଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ।







