Home ଜିଲ୍ଲା ପରିକ୍ରମା ଦଇପୁର କେନାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବାଇକ୍ ଚାଳକ ମୃତ୍ୟୁ

ଦଇପୁର କେନାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବାଇକ୍ ଚାଳକ ମୃତ୍ୟୁ

5

ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ଥାନା ଅନ୍ତର୍ଗତ ଦଇପୁର କେନାଲ ନିକଟରେ ଆଜି ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ହବିବନଗର ଗ୍ରାମର ଶେଖ ମଞ୍ଜୁଙ୍କ ପୁଅ ଶେଖ କାଲା (୪୫)। ତାଙ୍କ ଅକାଳ ବିୟୋଗରେ ପରିବାର ଓ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରାପ୍ତ ସୂଚନା ଅନୁସାରେ, ଶେଖ କାଲା କୌଣସି ବ୍ୟକ୍ତିଗତ କାର୍ଯ୍ୟରେ ଭଦ୍ରକ ଯାଇଥିଲେ। କାର୍ଯ୍ୟ ସାରି ସେ ନିଜର ଗ୍ଲେମର ମୋଟରସାଇକେଲରେ ସାତଭୌଣି-ଧାମନଗର ରାସ୍ତା ଦେଇ ଘରକୁ ଫେରୁଥିଲେ। ତେବେ ଦଇପୁର କେନାଲ ନିକଟରେ ହଠାତ୍ ଭାରସାମ୍ୟ ହରାଇ ତାଙ୍କ ବାଇକ୍ ରାସ୍ତାକଡ଼ରେ ଥିବା ଏକ ଅର୍ଜୁନ ଗଛକୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ବାଇକ୍‌ର ସାମ୍ନା ଅଂଶ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଶେଖ କାଲା ରାସ୍ତାକଡ଼କୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। ଘଟଣା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳକୁ ଧାଇଁ ଆସି ତାଙ୍କୁ ଉଦ୍ଧାର କରିଥିଲେ। ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ମାତ୍ର ଚିକିତ୍ସାଳୟରେ ପହଂଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ଗାଁରେ ପହଂଚିବା ପରେ ପରିବାର ସଦସ୍ୟଙ୍କ ମଧ୍ୟରେ କାନ୍ଦବୋବାଳି ପଡ଼ିଥିବା ବେଳେ ଗ୍ରାମବାସୀମାନେ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି। ଖବର ପାଇ ଧାମନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି। ବାଇକ୍‌ର ଗତି, ରାସ୍ତାର ସ୍ଥିତି ଏବଂ ଅନ୍ୟ କୌଣସି କାରଣ ଦୁର୍ଘଟଣା ପଛରେ ରହିଛି କି ନାହିଁ, ସେନେଇ ପୋଲିସ ତଦନ୍ତ ଚଳାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.