Home ଜିଲ୍ଲା ପରିକ୍ରମା ଶିଶୁଙ୍କ ସୁରକ୍ଷିତ ବାଲ୍ୟାବସ୍ଥା ପାଇଁ ଆଇନ ସଚେତନତା ଜରୁରୀ, ବାପୁଜୀ ନୋଡାଲ ସ୍କୁଲରେ ‘ସୁରକ୍ଷିତ ବଚପନ...

ଶିଶୁଙ୍କ ସୁରକ୍ଷିତ ବାଲ୍ୟାବସ୍ଥା ପାଇଁ ଆଇନ ସଚେତନତା ଜରୁରୀ, ବାପୁଜୀ ନୋଡାଲ ସ୍କୁଲରେ ‘ସୁରକ୍ଷିତ ବଚପନ ଅଭିଯାନ’

1

ଭଦ୍ରକ, ୨୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶିଶୁଙ୍କ ଅଧିକାରର ସୁରକ୍ଷା, ଯୌନ ଶୋଷଣର ନିରାକରଣ ଏବଂ ଏକ ସୁରକ୍ଷିତ ବାଲ୍ୟାବସ୍ଥା ନିଶ୍ଚିତ କରିବା ଦିଗରେ ଆଇନ ସଚେତନତାର ଗୁରୁତ୍ୱ ଅପରିସୀମ। ଏହି ଉଦ୍ଦେଶ୍ୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭଦ୍ରକ ପକ୍ଷରୁ ‘ସୁରକ୍ଷିତ ବଚପନ ଅଭିଯାନ’ ଅନ୍ତର୍ଗତ ‘ଯୌନ ଅପରାଧରୁ ଶିଶୁଙ୍କୁ ସୁରକ୍ଷା’ ଶୀର୍ଷକ ଏକ ସଚେତନତା କାର୍ଯ୍ୟକ୍ରମ ଗେଲପୁରସ୍ଥିତ ବାପୁଜୀ ନୋଡାଲ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ତପନ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ପୁଣ୍ୟଶ୍ଲୋକ ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଆଶିଷ କୁମାର ଦେ ସମ୍ମାନିତ ଅତିଥି ଏବଂ ଶିଶୁ ସୁରକ୍ଷା ଶାଖାର ସାମାଜିକ ଶିଶୁ ଆଇନ ଅଧିକାରୀ ସୁବ୍ରତ ଦାସ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ପାରାଲିଗାଲ୍ କର୍ମୀ ଅନ୍ନପୂର୍ଣ୍ଣା ସାହୁ ସଭା ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ରଥ ନିଜ ବକ୍ତବ୍ୟରେ ଶିଶୁଙ୍କ ଅଧିକାରର ସୁରକ୍ଷା ଏବଂ ସେମାନଙ୍କୁ ଯୌନ ଅପରାଧରୁ ସୁରକ୍ଷିତ ରଖିବା ପାଇଁ ପ୍ରଚଳିତ ଆଇନଗତ ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ। ଶିଶୁଙ୍କ ପ୍ରତି ହେଉଥିବା ଅନ୍ୟାୟ ଓ ଶୋଷଣକୁ ରୋକିବା ସହ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ଦିଗରେ ଆଇନ ସଚେତନତାର ଭୂମିକା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସମ୍ମାନିତ ଅତିଥି ବିଚାରପତି ଶ୍ରୀ ଦେ ଶିଶୁଙ୍କ ସୁରକ୍ଷା ନିମନ୍ତେ ରହିଥିବା କଠୋର ଆଇନଗତ ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇଥିଲେ। ଅନ୍ୟପକ୍ଷରେ, ମୁଖ୍ୟ ବକ୍ତା ଶ୍ରୀ ଦାସ ପ୍ରତ୍ୟେକ ଶିଶୁ ନିଜର ଅଧିକାର ସମ୍ପର୍କରେ ସଚେତନ ହେବା ସହ ନିଜ ପ୍ରତି କିମ୍ବା ଅନ୍ୟ ଶିଶୁଙ୍କ ପ୍ରତି ହେଉଥିବା ଅନ୍ୟାୟ ଓ ଶୋଷଣ ବିରୋଧରେ ସ୍ୱର ଉତୋଳନ କରିବା ଆବଶ୍ୟକ ବୋଲି କହିଥିଲେ। ଏଥିସହ ବିଦ୍ୟାଳୟ ଓ ଅଭିଭାବକମାନେ ମିଳିତ ଭାବେ ଶିଶୁଙ୍କ ପାଇଁ ଏକ ସୁରକ୍ଷିତ, ନିରାପଦ ଓ ଭୟମୁକ୍ତ ପରିବେଶ ଗଢ଼ି ତୋଳିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ସରସ୍ୱତୀ ଖଣ୍ଡେଇଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ‘କାନୁନ ଜାଣ, ବଚପନ ବଚାଓ’ ଏବଂ ‘ଜାଗରୁକ ବଚପନ, ସଶକ୍ତ ଭାରତ’ ଭଳି ସଚେତନତାମୂଳକ ସ୍ଲୋଗାନ ଦେଇ ଶିଶୁ ସୁରକ୍ଷାର ବାର୍ତା ପ୍ରଚାର କରିଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମୀ ଶିବାନୀ ତ୍ରିପାଠୀ ଓ ସରୋଜ ସେଠୀ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ। ଶେଷରେ ପ୍ରଧାନଶିକ୍ଷକ ତପନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.