ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନ ବୋଡ଼କ ପଞ୍ଚାୟତ ଅଧିନ ରେବ ନଈ କୂଳରୁ ଶୁକ୍ରବାର ସକାଳେ କବିତା ବେହେରା ନାମ୍ନୀ ଜଣେ ମହିଳାଙ୍କ ମୃତଦେହ ପୋଲିସ ଜବତ କରି ତଦନ୍ତ ଆରମ୍ଭ କରିଥିଲେ।ପତ୍ନୀର ଚରିତ୍ରକୁ ନେଇ ସ୍ୱାମୀ ସନ୍ଦେହ କରୁଥିଲେ । ଏହାକୁ ନେଇ ଅଧିକାଂଶ ବେଳେ ଦମ୍ପତିଙ୍କ ମଧ୍ୟରେ କଳହ ଲାଗି ରହୁଥିଲା । ପତ୍ନୀକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା ସ୍ୱାମୀ ପ୍ରଫୁଲ୍ଲ । ଗତ ମାସ ୨୮ତାରିଖ ରାତିରେ ସ୍ୱାମୀ ଏଥିରେ ସଫଳ ହେବାପରେ ସ୍ତ୍ରୀର ମୃତ ଦେହକୁ ନିଜ ଭାଇ ସହାୟତାରେ ଏକ ବାଇକରେ ନେଇ ତିହିଡି଼ ଥାନା ବୋଡ଼କ ପଞ୍ଚାୟତର ରେବ ନଈକୂଳରେ ଫିଙ୍ଗି ଦେଇଥିଲେ । ତେବେ ଆଇଆଇସି ଲୋପାମୁଦ୍ରା ନାୟକ ସୋମବାର ମଧ୍ୟାହ୍ନରେ ଅଭିଯୁକ୍ତ ସ୍ୱାମୀ ପ୍ରଫୁଲ୍ଲ ବେହେରାଙ୍କୁ ଘଟଣାସ୍ଥଳକୁ ନେଇ ସିନ ରିକ୍ରିଏସନ କରିବା ପରେ ଅପରାହ୍ନରେ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ଏଏସପି ଅରୁପ ଅଭିଷେକ ବେହେରା ସୂଚନା ଦେଇ କହିଥିଲେ ଯେ ,ଗତ ୨୯ତାରିଖ ସକାଳେ ତିହିଡି଼ ଥାନା ଅଧୀନ ବୋଡ଼କ ପଂଚାୟତର ରେବ ନଈକୂଳରେ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ପଡ଼ିଥିବା ଆଇଆଇସି ନାୟକ ଖବର ପାଇ ଘଟଣାସ୍ଥଳରେ ପହଂଚିଥିଲେ । ତଦନ୍ତ ପରେ ମହିଳାଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ଜଣା ଯାଇଥିଲା । ପରେ ବୋଡ଼କ ପଂଚାୟତ ସରପଂଚ ସୁଭାଷିନୀ ଜେନାଙ୍କ ଅଭିଯୋଗ କ୍ରମେ ଏକ ମାମଲା(ନଂ ୨୧୭/୨୬)ରୁଜୁ କରି ପୋଲିସ ମୃତା ମହିଳାଙ୍କ ପରିଚୟ ପାଇବାକୁ ଉଦ୍ୟମ କରିଥିଲା । ସେହିଦିନ ରାତିରେ ପୋଲିସକୁ ଖବର ମିଳିଥିଲା ଯେ ମୃତା ମହିଳାଙ୍କ ନାଁ କବିତା ବେହେରା (୩୫) ଏବଂ ସେ ଧୂଷୁରୀ ଥାନା କଟସାହି ପଂଚାୟତ ଅଧୀନ ପଥରଡିହ ଗ୍ରାମର ପ୍ରଫୁଲ୍ଲ ବେହେରାଙ୍କ ପତ୍ନୀ । ମହିଳାଙ୍କ ପରିଚୟ ମିଳିବା ପରେ ଆଇଆଇସି ନାୟକ ପଥରଡିହ ଗ୍ରାମକୁ ଯାଇ ଏହାର ତଦନ୍ତ ଚଳାଇଥିଲେ । ତେବେ ହତ୍ୟା ଅଭିଯୁକ୍ତ ସ୍ୱାମୀ ଏବଂ ତାଙ୍କ ପରିବାରର ଅନ୍ୟ ସଦସ୍ୟ ପ୍ରଫୁଲ୍ଲଙ୍କ ୨ନାବାଳିକା ଝିଅକୁ ଘରେ ଛାଡ଼ି ଗିରଫ ଭୟରେ ଫେରାର ହୋଇଯାଇଥିଲେ । ଆଇଆଇସି ନାୟକ ତଦନ୍ତ ବେଳେ ଜାଣିବାକୁ ପାଇଥିଲେ ଯେ ପ୍ରଫୁଲ୍ଲ ୧୭/୧୮ ବର୍ଷ ପୂର୍ବେ ହାଇଦ୍ରାବାଦରେ କାମ କରୁଥିଲେ । ସେଠାରେ କାମ କରୁଥିବା ବିହାର ରାଜ୍ୟର କବିତାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପରେ ପ୍ରଫୁଲ୍ଲ ତାଙ୍କୁ ବିବାହ କରି ନିଜ ଗ୍ରାମ ପଥରଡିହକୁ ନେଇ ଆସିଥିଲେ । ବୈବାହିକ ଜୀବନ ବିତାଇବା ମଧ୍ୟରେ ତାଙ୍କର ୨ଟି କନ୍ୟା ଜନ୍ମ ହୋଇଥିଲେ । ତେବେ ପତ୍ନୀଙ୍କ ଚରିତ୍ରଗତ ତ୍ରୁଟି ନେଇ ଅଧିକାଂଶ ବେଳେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଉପୁଜୁଥିଲା । ଏପରିକି ଗତ ୨୭ତାରିଖରେ କବିତା ତାଙ୍କ ସ୍ୱାମୀଙ୍କ ସହ ଆଉ ରହିବାକୁ ଚାହୁଁ ନାହାନ୍ତି ବୋଲି ଧୂଷୁରୀ ଥାନାରେ ଲିଖିତ ଭାବେ ଜଣାଇଥିଲେ । ଏହିସବୁ କାରଣକୁ ନେଇ ପ୍ରଫୁଲ୍ଲ ପ୍ରତିଶୋଧ ପରାୟଣ ହୋଇ ପଡ଼ିଥିଲେ । ଗୁରୁବାର ବିଳମ୍ବିତ ରାତିରେ କବିତା ଶୋଇଥିବା ଅବସ୍ଥାରେ ତାଙ୍କ ମୁଣ୍ଡକୁ ଏକ ହେମଦସ୍ତା ବାଡ଼ି ସହାୟତାରେ ବାରମ୍ବାର ଆଘାତ କରିଥିଲେ । କବିତା ଚିତ୍କାର କରି ଘର ବାହାରକୁ ଆସି ତଳେ ସ୍ୱାମୀ ପ୍ରଫୁଲ୍ଲ ତାଙ୍କ ତଂଟି ଚିପି ହତ୍ୟା କରିଥିଲେ । ପରେ ମୃତଦେହକୁ ଏକ ପଲିଥିନରେ ଗୁଡ଼ାଇ ନିଜ ମଝିଆଁ ଭାଇ ରଙ୍ଗାଧର ସହ ବାଇକ ଯୋଗେ ନେଇ ନଈକୂଳରେ ଫିଙ୍ଗି ଦେଇଥିବା ପୋଲିସ ସାମ୍ନାରେ ସ୍ୱୀକାର କରିଥିଲା । ସିନ ରିକ୍ରିଏସନ ସମୟରେ ପ୍ରଫୁଲ୍ଲ ମଧ୍ୟ ପଥରଡିହ ଗ୍ରାମ ଓ ରେବ ନଈ କୂଳକୁଯାଇ ରିକ୍ରିଏସନ କରି ଦେଖାଇଥିଲେ । ସିନ ରିକ୍ରିଏସନ ସମୟରେ ଚାନ୍ଦବାଲି ଏସଡିପିଓ ପ୍ରଭାସ ଚନ୍ଦ୍ର ସାହୁ, ତିହିଡି଼ ଥାନା ଆଇଆଇସି ନାୟକ, ଧୂଷୁରୀ ଥାନା ଆଇଆଇସି ଅଜୟ ସୁଦର୍ଶନ ବାଗେ, ତିହିଡି଼ ଥାନା ଏସଆଇ ରୋଜନ କୁମାର ମୁର୍ମୁ, ଏଏସଆଇ ଲଷ୍ମଣ କୁମାର ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଗିରଫ ଅଭିଯୁକ୍ତ ପ୍ରଫୁଲ୍ଲକୁ କୋର୍ଟ ଚାଲାଣ କରାଯାଇଛି । ତାଙ୍କ ଭାଇ ରଙ୍ଗାଧର ଫେରାର ଥିବାବେଳେ ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ବାଇକ, ହେମଦସ୍ତା ବାଡ଼ି ଓ ୨ଟି ମୋବାଇଲ ଜବତ କରାଯାଇଥିବା ଏଏସପି ଶ୍ରୀ ବେହେରା ସୂଚନା ଦେଇଥିଲେ।ସମ୍ବାଦିକ ସମ୍ମିଳନୀରେ ଚାନ୍ଦବାଲି ଏସଡ଼ିପିଇଓ ପ୍ରଭାସ ଚନ୍ଦ୍ର ସାହୁ,ଆଇଆଇସି ଲୋପାମୁଦ୍ରା ନାୟକ ଉପସ୍ଥିତ ଥିଲେ।
Home ଜିଲ୍ଲା ପରିକ୍ରମା ନଈକୂଳରୁ ମହିଳାଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ପତ୍ନୀ ହତ୍ୟା କାରୀ ସ୍ୱାମୀ...








