Home ଜିଲ୍ଲା ପରିକ୍ରମା ତିହିଡି – ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନକୁ ସର୍ବଦଳୀୟ ବୈଠକ, ୩୦ରୁ ୭ଦିନ ଧରି...

ତିହିଡି – ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନକୁ ସର୍ବଦଳୀୟ ବୈଠକ, ୩୦ରୁ ୭ଦିନ ଧରି ବୁଥରେ ଚାଲିବ ଭୋଟ ପଞ୍ଜିକରଣ ପ୍ରକ୍ରିୟା, ବୁଥ ସଂଖ୍ୟା ୧୭୨ରୁ ୨୧୮କୁ ବୃଦ୍ଧି

3

ଭଦ୍ରକ, ୨୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ କାର୍ଯ୍ୟାଳୟସ୍ଥିତ ଓସ୍ୱାନ ହଲରେ ମଙ୍ଗଳବାର ଅପରାହ୍ନରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର)କୁ ନେଇ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଡ଼ିଓ ଅଧ୍ୟକ୍ଷତାକରି ସୂଚନା ଦେଇ କହିଥିଲେଯେ,ଭୋଟର ତାଲିକା ପ୍ରସ୍ତୁତିକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ତଥା ଏହାକୁ କ୍ରିୟାଶୀଳ କରିବା ନେଇ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଆସନ୍ତା ୩୦ତାରିଖ ଠାରୁ ୭ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ବୁଥରେ ଭୋଟରଙ୍କ ନାମ ପଞ୍ଜିକରଣ, ତ୍ରୁଟି ସଂଶୋଧନ ଏବଂ ସ୍ଥାନାନ୍ତରଣ ପ୍ରକ୍ରିୟାକୁ କିପରି ସରଳୀକରଣ କରାଯାଇ ପାରିବ ସେନେଇ ବ୍ୟବସ୍ଥା କରାଯାଇଛି । ଏହି ଅଭିଯାନରେ କୌଣସି ଯୋଗ୍ୟ ଭୋଟର ଯେପରି ବାଦ ନପଡ଼ନ୍ତି ସେଥିପ୍ରତି ସତର୍କ ଦୃଷ୍ଟି ଦିଆଯିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ବିଡ଼ିଓ ଶ୍ରୀ ବାରିକ ସୂଚନା ଦେଇଥିଲେ । ବୁଥରେ ଭୋଟ ପଞ୍ଜିକରଣ ପରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପାଇଁ ବିଏଲଓମାନେ ଘରକୁ ଘର ବୁଲି ସର୍ଭେ ପ୍ରକ୍ରିୟାକୁ ସ୍ୱଚ୍ଛ, ସରଳ ଓ ଗୁଜବ ମୁକ୍ତ କରାଯିବା ନେଇ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ତିହିଡି଼ ବ୍ଲକ ତିନୋଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ଅଟେ।ବ୍ଲକରେ ପୂର୍ବରୁ ୧୭୨ଟି ବୁଥ ଥିଲା । ଏବେ ତାହା ବୃଦ୍ଧି ପାଇ ୨୧୮ ହୋଇଛି । ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଅଧିନ ତିହିଡି଼ ବ୍ଲକର ୯ପଂଚାୟତରେ ପୁର୍ବରୁ ୫୨ବୁଥ ଥିବାବେଳେ ୧୫ଟି ବୁଥ, ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅଧୀନ ବ୍ଲକର ୯ପଂଚାୟତରେ ପୂର୍ବରୁ ୪୯ଟି ବୁଥ ଥିବାବେଳେ ୧୧ଟି ବୁଥ , ଧାମନଗର ନିର୍ବାଚନ ମଣ୍ଡଳୀ ଅଧୀନ ବ୍ଲକର ୧୩ପଂଚାୟତରେ ପୂର୍ବରୁ ୭୧ଟି ବୁଥ ଥିବାବେଳେ ୨୦ଟି ବୁଥ ବୃଦ୍ଧି ପାଇଥିବା ବିଡ଼ିଓ ଶ୍ରୀ ବାରିକ ସୂଚନା ଦେଇଥିଲେ । ଏହି ବୈଠକରେ ଏବିଡ଼ିଓ ମୀନକେତନ ବାରିକ, ସହକାରୀ ନିର୍ବାହୀ ଯନ୍ତ୍ରୀ ସୁକାନ୍ତ ମିଶ୍ର, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଞ୍ଜନ ରାଉତ, ସାଂସଦଙ୍କ ପ୍ରତିନିଧି ସୀତାକାନ୍ତ ନାୟକ, ବିଜେଡ଼ି ବ୍ଲକ ସଭାପତି ସୁରେନ୍ଦ୍ର କୁମାର ନାୟକ, ବାସୁଦେପୁର ବିଧାୟକଙ୍କ ପ୍ରତିନିଧି ସରୋଜ କୁମାର ଦାସ, ଓଡ଼ିଶା କୃଷକ ସଭା ବ୍ଲକ ସଭାପତି ଭାଗବତ ସେନାପତି, ରାଜାରାମ ମହାକୁଡ଼, ଗଣେଶ କର ପ୍ରମୁଖ ବୈଠକରେ ଅଂଶଗ୍ରହଣ କରି ସଘନ ସଂଶୋଧନ ନେଇ ଆଲୋଚନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.