Home ଜିଲ୍ଲା ପରିକ୍ରମା ମନ୍ତ୍ରୀଙ୍କ ଦ୍ୱାରା ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଲୋକାର୍ପଣ

ମନ୍ତ୍ରୀଙ୍କ ଦ୍ୱାରା ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଲୋକାର୍ପଣ

1

ଭଦ୍ରକ, ୨୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଏହି ଜିଲାର ଧାମନଗର ବିଧାୟକ ତଥା ରାଜ୍ୟ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୋହଡ଼ା ପଂଚାୟତର ବିଭିନ୍ନ ଗ୍ରାମ ପାଇଁ ପ୍ରାୟ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଅନେକ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିବା ସହ କେତେକ ସମ୍ପୂର୍ଣ୍ଣ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଏହି ମେଗା କାର୍ଯ୍ୟକ୍ରମରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ମଧ୍ୟ ମନ୍ତ୍ରୀଙ୍କ ସହ ସାମିଲ ହୋଇଥିଲେ ସୋହଡ଼ା ପଞ୍ଚାୟତର ପ୍ରମୁଖ ୯ଟି ଗାଁ ଯଥା ପିତେଇପୁର, ଡାଙ୍ଗୁଆପାଟଣା, ଗୌରାଙ୍ଗପୁର-ଦୁଲାରପୁର-ପାଟୁଳି, କଂଟାପାରି, ବେଦପୁର, ଷେଣ୍ଢପୁର, ମିଶ୍ରପୁର, ସୋହଡ଼ା ଓ ବାଲିପଡ଼ାର ସର୍ବାଙ୍ଗୀନ ବିକାଶ ପାଇଁ ମୋଟ ୨,୦୧,୪୬,୪୩୪ ଟଙ୍କା ବ୍ୟୟ ଅଟ୍ଟକଳରେ ସର୍ବମୋଟ ୭୮ଟି ପ୍ରକଳ୍ପ ହାତକୁ ନିଆଯାଇଛି। ଗ୍ରାମୀଣ ଭିତିଭୂମିର ସୁଦୃଢ଼ୀକରଣ ପାଇଁ ରାସ୍ତା ନିର୍ମାଣ କାର୍ଯ୍ୟକୁ ସର୍ବାଧିକ ପ୍ରାଥମିକତା ଦିଆଯାଇ ୨୫ଟି ପ୍ରକଳ୍ପ ଚିହ୍ନଟ କରାଯାଇଛି। ସେହିପରି ଶିକ୍ଷା ଓ ଶିଶୁ ବିକାଶ କ୍ଷେତ୍ରରେ ୧୬ଟି ସ୍କୁଲର ମରାମତି ଓ ୧୨ଟି ଅଙ୍ଗନୱାଡି କେନ୍ଦ୍ରର ନିର୍ମାଣ ଓ ପୁନରୁଦ୍ଧାର ହେବ। ସାମାଜିକ କାର୍ଯ୍ୟ ପାଇଁ ୧୧ଟି ଗୋଷ୍ଠୀ କେନ୍ଦ୍ର, ଆଧ୍ୟାତ୍ମିକ ଭାବନା ରକ୍ଷା ପାଇଁ ୭ଟି ମନ୍ଦିର/ଭୋଗମଣ୍ଡପ, ବାଲିପଡ଼ାଠାରେ ନୂତନ ମାର୍କେଟ କମ୍ପେ୍ଲକ୍ସ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମରାମତି, ବେଦପୁରରେ ଜଗନ୍ନାଥ ଦାସ ସ୍ମାରକୀ ଗ୍ରନ୍ଥାଗାର ଓ ବୈକୁଣ୍ଠି ଆଦର୍ଶ ପୁଷ୍କରିଣୀ ସଂରକ୍ଷଣ, ପିତେଇପୁରରେ ପାଲା ମଣ୍ଡପ ଏବଂ ଷେଣ୍ଢପୁରଠାରେ ଏକ ଛୋଟ ପୋଲ ନିର୍ମାଣ ଏହି ଯୋଜନାର ଅନ୍ତର୍ଭୁକ୍ତ। ଏହି ଗସ୍ତକାଳରେ ପିତେଇପୁରଠାରେ ପବିତ୍ର ବୈତରଣୀ ନଦୀରେ ନିର୍ମିତ ନୂତନ ସୁଦୃଶ୍ୟ ସ୍ନାନଘାଟ ତଥା ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଲୋକାର୍ପଣ ହୋଇଯାଇଛି। ଆଗାମୀ ଦିନରେ ପବିତ୍ର କାର୍ତିକ ପୂର୍ଣ୍ଣିମା ଅବସରରେ ଶ୍ରଦ୍ଧାଳୁମାନଙ୍କ ପାଇଁ ପୁଣ୍ୟତୋୟା ବୈତରଣୀରେ ବୁଡ଼ ପକାଇବା ଅଧିକ ସହଜ ଏବଂ ସୁରକ୍ଷିତ ହେବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଂଚ, ସମିତି ସଭ୍ୟ ଓ ବହୁ ସଂଖ୍ୟାରେ ଗ୍ରାମବାସୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.