Home ଜିଲ୍ଲା ପରିକ୍ରମା ଖେଳପଡ଼ିଆ ପାଇଁ ସରକାରୀ ଜମି ମାପଚୁପ, ଦୋବଲରେ ଉତେଜନା, ପୋଲିସ ଉପସ୍ଥିତିରେ କାର୍ଯ୍ୟ ଶେଷ

ଖେଳପଡ଼ିଆ ପାଇଁ ସରକାରୀ ଜମି ମାପଚୁପ, ଦୋବଲରେ ଉତେଜନା, ପୋଲିସ ଉପସ୍ଥିତିରେ କାର୍ଯ୍ୟ ଶେଷ

4

ଭଦ୍ରକ, ୨୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଦୋବଲ ପଂଚାୟତସ୍ଥିତ ସୌକତ ଅଲ୍ଲି ଜଲାଲୁଦ୍ଦିନ (ଏସ୍‌ଏଜେ) ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରସ୍ତାବିତ ଖେଳପଡ଼ିଆ ପାଇଁ ଆଜି ଜମି ଚିହ୍ନଟ ଓ ମାପଚୁପ ପ୍ରକ୍ରିୟା ସଂପନ୍ନ ହୋଇଛି। ତେବେ ଏହି ମାପଚୁପ ସମୟରେ ସ୍ଥାନୀୟ ଅଂଚଳରେ କିଛି ସମୟ ପାଇଁ ଉତେଜନା ପ୍ରକାଶ ପାଇଥିଲା। ଜଣେ ବ୍ୟକ୍ତି ସରକାରୀ ଜମି ମାପକୁ ତୀବ୍ର ବିରୋଧ କରିଥିଲେ ମଧ୍ୟ ପ୍ରଶାସନର ଦୃଢ଼ ଆଭିମୁଖ୍ୟ ଓ ବ୍ୟାପକ ପୋଲିସ ଫୋର୍ସ ମୁତୟନ ଯୋଗୁଁ ଶେଷରେ ସୀମା ନିର୍ଦ୍ଧାରଣ କାର୍ଯ୍ୟ ସଫଳତାର ସହ ଶେଷ ହୋଇଛି। ଏହି ବିଦ୍ୟାଳୟକୁ ରାଜ୍ୟ ସରକାରଙ୍କ ମହତ୍ୱକାଂକ୍ଷୀ ‘ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଯୋଜନାରେ ସାମିଲ କରାଯାଇଛି। ଗତ ଜାନୁଆରି ୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏହି ସାରସ୍ୱତ ଯୋଜନାର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଦୋବଲର ଏସ୍‌ଏଜେ ନୋଡାଲ ହାଇସ୍କୁଲକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଏହି ଯୋଜନା ଅଧୀନରେ ବିଦ୍ୟାଳୟର ବ୍ୟାପକ ଭିତିଭୂମି ବିକାଶ ସହ ଛାତ୍ରଛାତ୍ରୀଙ୍କ ଖେଳକୁଦ ପାଇଁ ଏକ ଆଧୁନିକ ଖେଳ ପଡ଼ିଆ ନିର୍ମାଣ କରିବାକୁ ସରକାରୀ ସ୍ତରରେ ବ୍ଲୁ-ପ୍ରିଂଟ ପ୍ରସ୍ତୁତ ହୋଇଛି। ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା କାର୍ଯ୍ୟକାରୀ ହେଲେ ବିଦ୍ୟାଳୟ ସମ୍ପୂର୍ଣ୍ଣ ଏକ ନୂଆ ରୂପ ନେବ। ଏଠାରେ ସମସ୍ତ ସୁବିଧା ସୁଯୋଗ ସମ୍ପନ୍ନ ନୂଆ କ୍ଲାସ ରୁମ୍ ଓ ସ୍ମାର୍ଟ ବୋର୍ଡ ରହିବ। ଏହାସହ ଆଧୁନିକ ଜ୍ଞାନକୌଶଳରେ ଡିଜିଟାଲ ଲାଇବ୍ରେରୀ ଓ ଲାଙ୍ଗୁଏଜ୍ ଲ୍ୟାବ୍ (ଭାଷା ଗବେଷଣାଗାର) ମଧ୍ୟ ସ୍ଥାପନ କରାଯିବ। ସେହିପରି ପିଲାଙ୍କୁ ପ୍ରାଥମିକ ସ୍ତରରୁ ହିଁ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରି ଯୁଗୋପଯୋଗୀ କରାଯିବାର ଲକ୍ଷ୍ୟ ରଖାଯାଇଛି। ତା ସହିତ ଏହି ଯୋଜନା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଶାରୀରିକ ବିକାଶ ପାଇଁ ଆନୁଷଙ୍ଗିକ ସୁବିଧା ସହ ଖେଳ ପଡିଆ ନିର୍ମାଣ କରାଯିବ। ସ୍କୁଲରେ ବାଳକ ଓ ବାଳିକାଙ୍କ ପାଇଁ ସ୍ୱଚ୍ଛ ପୃଥକ ଶୌଚାଳୟ ଏବଂ ଡାଇନିଙ୍ଗ ହଲ୍ ନିର୍ମିତ ହେବ। ବିଦ୍ୟାଳୟ ପରିସରକୁ ସବୁଜ ପରିବେଶରେ ପରିଣତ କରାଯିବା ସହ ପିଲାଙ୍କ ସାମଗ୍ରିକ ବିକାଶ ପାଇଁ ଉଚ୍ଚକୋଟୀର ସାଂସ୍କୃତିକ ଶିକ୍ଷା ମଧ୍ୟ ପ୍ରଦାନ କରାଯିବାର ଉଦ୍ଦେଶ୍ୟ ରହିଛି। ଏହି ବୃହତ ଯୋଜନାର ପ୍ରଥମ ପରିପ୍ରେକ୍ଷୀରେ ଖେଳ ପଡ଼ିଆ ପାଇଁ ଆବଶ୍ୟକ ହେଉଥିବା ଜମି ଯୋଗାଇଦେବା ଲାଗି ବିଦ୍ୟାଳୟର ପ୍ରଧାନଶିକ୍ଷକ ଭଦ୍ରକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଜରିଆରେ ଜିଲ୍ଲା ପ୍ରଶାସନକୁ ବିଧିବଦ୍ଧ ନିବେଦନ କରିଥିଲେ। ସ୍କୁଲର ଉନ୍ନତି ଓ ସରକାରୀ ଯୋଜନାର ସଫଳ ରୂପାୟନକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏନେଇ ଧାମନଗର ତହସିଲଦାରଙ୍କୁ ଜମି ଯୋଗାଇଦେବାକୁ ଜରୁରୀ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ତହସିଲଦାର ବିଦ୍ୟାଳୟ ନିକଟରେ ଥିବା ସୋଧ ରାଜସ୍ୱ ମଣ୍ଡଳର ଦୋବଲ ଗାଁର ସରକାରୀ ଜମିକୁ ସ୍କୁଲ ପାଇଁ ହସ୍ତାନ୍ତର କରିବାକୁ ନିଷ୍ପତି ନେଇଥିଲେ। ଏଥିପାଇଁ ଦୋବଲ ଗ୍ରାମର ଖାତା ନମ୍ବର ୩୮୦ର ପ୍ଲଟ ନମ୍ବର ୪୪୧ରେ ଥିବା ୯୦୦ ଡିସିମିଲ୍ ଜମି ଏବଂ ପ୍ଲଟ ନମ୍ବର ୪୪୨ର ୮.୧୦୦୦ ଡିସିମିଲ ସରକାରୀ ଜମିକୁ ଚିହ୍ନଟ କରାଯାଇଥିଲା। ତେବେ ରାଜସ୍ୱ ନଥିପତ୍ର ଅନୁସାରେ ଏହି ଦୁଇଟିଯାକ ପ୍ଲଟର କିଛି ଗୁରୁତ୍ୱପୂର୍ଣ୍ଣ ଅଂଶ ସ୍ଥାନୀୟ ଲୋକଙ୍କ ଦ୍ୱାରା ବେଆଇନ ଭାବେ ଜବରଦଖଲରେ ଥିଲା। ଏହି ସମସ୍ୟାର ସମାଧାନ ପାଇଁ ତହସିଲଦାରଙ୍କ ପକ୍ଷରୁ ତୁରନ୍ତ ଉକ୍ତ ଜମିର ସୀମା ନିର୍ଦ୍ଧାରଣ କରି ବିଦ୍ୟାଳୟ କର୍ତୃପକ୍ଷଙ୍କୁ ଯୋଗାଇଦେବାକୁ ନିର୍ଦ୍ଦେଶ ଜାରି ହୋଇଥିଲା। ଆଜି ତହସିଲଦାରଙ୍କ ସ୍ପଷ୍ଟ ଆଦେଶନାମା ଭିତିରେ ସୋଧ ରାଜସ୍ୱ ନିରୀକ୍ଷକ ଚୁଲବୁଲ ସିଂହଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ଏବଂ ସ୍ଥାନୀୟ ପୋଲିସର କଡ଼ା ସୁରକ୍ଷା ବଳୟ ମଧ୍ୟରେ ସରକାରୀ ଅମିନ ଘଟଣାସ୍ଥଳରେ ପହଂଚି ମପାମପି କାର୍ଯ୍ୟ ଆରମ୍ଭ କରିଥିଲେ। ମାପଚୁପ ଚାଲିଥିବା ସମୟରେ ଜବରଦଖଲକାରୀଙ୍କ ପକ୍ଷରୁ ଜଣେ ସ୍ଥାନୀୟ ବ୍ୟକ୍ତି ଏହାକୁ ଅଟକାଇବାକୁ ଚେଷ୍ଟା କରି ବିରୋଧ ପ୍ରଦର୍ଶନ କରିଥିଲେ, ଯାହାକୁ ନେଇ କିଛି ସମୟ ପାଇଁ ସେଠାରେ ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। କିନ୍ତୁ ଉପସ୍ଥିତ ପୋଲିସ ପ୍ରଶାସନର ବୁଝାସୁଝା ଓ ଦୃଢ଼ ଆଭିମୁଖ୍ୟ ଯୋଗୁଁ ବିରୋଧ କରୁଥିବା ବ୍ୟକ୍ତିଜଣକ ପଛଘୁଞ୍ଚା ଦେଇଥିଲେ ଏବଂ ଶାନ୍ତିପୂର୍ଣ୍ଣ ଭାବେ ସମଗ୍ର ମାପଚୁପ ପ୍ରକ୍ରିୟା ସଫଳତାର ସହ ଶେଷ ହୋଇଥିଲା। ଉଭୟ ପ୍ଲଟର ସୀମା ନିର୍ଦ୍ଧାରଣ ହେବା ପରେ ଏବେ ଖେଳପଡ଼ିଆ ପାଇଁ ରାସ୍ତା ସଫା ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.