Home ଜିଲ୍ଲା ପରିକ୍ରମା ରାଜସ୍ୱ ନା ମଦୁଆ ସୃଷ୍ଟିର ପ୍ରତିଯୋଗିତା, ୫ ବର୍ଷରେ ଅବକାରୀ ଟାର୍ଗେଟ୍ ଆକାଶଛୁଆଁ, ଧାମନଗର ବ୍ଲକରେ...

ରାଜସ୍ୱ ନା ମଦୁଆ ସୃଷ୍ଟିର ପ୍ରତିଯୋଗିତା, ୫ ବର୍ଷରେ ଅବକାରୀ ଟାର୍ଗେଟ୍ ଆକାଶଛୁଆଁ, ଧାମନଗର ବ୍ଲକରେ ମଦ ମାଫିଆ ସୃଷ୍ଟିର ଆଶଙ୍କା

4

ଭଦ୍ରକ, ୧୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ସରକାରୀ ଲାଇସେନ୍ସପ୍ରାପ୍ତ ଠିପି ବନ୍ଦ ବିଦେଶୀ ମଦ ଦୋକାନ ଗୁଡ଼ିକ ପାଇଁ ସରକାର ଧାର୍ଯ୍ୟ କରିଥିବା ନୂତନ ଲକ୍ଷ୍ୟ ଏବେ ସ୍ଥାନୀୟ ଅଂଚଳରେ ତୀବ୍ର ଚର୍ଚ୍ଚା ଓ ଅସନ୍ତୋଷର ବିଷୟ ପାଲଟିଛି। ୨୦୨୧ ମସିହା ତୁଳନାରେ ୨୦୨୬ରେ ସରକାରଙ୍କ ଅବକାରୀ ନୀତି ଓ ଟାର୍ଗେଟ ରେ ଯେଉଁ ଅହେତୁକ ବୃଦ୍ଧି ଘଟିଛି, ତାହା ସାଧାରଣ ଲୋକଙ୍କୁ ଚକିତ କରିଛି। ପରିମାଣ ବଦଳରେ କେବଳ ମୋଟା ଅଙ୍କର ନଗଦ ଟଙ୍କା ଆଦାୟ କରିବାକୁ ସରକାର ଯେଉଁ ବାଧ୍ୟତାମୂଳକ ନିୟମ ଆଣିଛନ୍ତି, ତାହା ପରୋକ୍ଷରେ ଗ୍ରାମାଂଚଳରେ ମଦର ବନ୍ୟା ଛୁଟାଇ ବାକୁ ସରକାରୀ ପ୍ରୋତ୍ସାହନ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରୁଛନ୍ତି। ୨୦୨୧ ମସିହାରେ ସରକାରୀ ନୀତି ଅନୁଯାୟୀ, ମଦ ଦୋକାନଗୁଡ଼ିକୁ ‘ସର୍ବନିମ୍ନ ଗ୍ୟାରେଂଟି ପ୍ରାପ୍ତ ପରିମାଣ’ (ଏମ୍‌ଜିକ୍ୟୁ) ଆଧାରରେ ମାସିକ କେତେ ଲିଟର ବା ବୋତଲ ମଦ କିଣିବା/ବିକ୍ରି କରିବାକୁ ହେବ, ତାହାର ଏକ ସୀମିତ କୋଟା ରହୁଥିଲା। ସେତେବେଳେ ମାସିକ କୌଣସି ନିର୍ଦ୍ଦିଷ୍ଟ ଟଙ୍କାର ଲକ୍ଷ୍ୟ ନଥିଲା। ମାତ୍ର ନୂତନ ଅବକାରୀ ନୀତିରେ ସରକାର ସମ୍ପୂର୍ଣ୍ଣ ଆର୍ôଥକ ଟାର୍ଗେଟ ଅର୍ଥାତ ‘ସର୍ବନିମ୍ନ ଗ୍ୟାରେଂଟି ପ୍ରାପ୍ତ ଅବକାରୀ ରାଜସ୍ୱ’ (ଏମ୍‌ଜିଇଆର) ଧାର୍ଯ୍ୟ କରିଛନ୍ତି। ଏହାର ଅର୍ଥ ହେଉଛି, ଦୋକାନୀଙ୍କୁ ପ୍ରତି ମାସରେ ଲକ୍ଷ ଲକ୍ଷ ଟଙ୍କାର ମଦ ସରକାରଙ୍କଠାରୁ ଉଠାଇବାକୁ କିମ୍ବା ସେହି ଅନୁଯାୟୀ ରାଜସ୍ୱ ଦେବାକୁ ବାଧ୍ୟ କରାଯାଉଛି।ସରକାରଙ୍କ ଧାର୍ଯ୍ୟ ଟାର୍ଗେଟ ଅନୁସାରେ ଧୁଷୁରୀ ମଦ ଦୋକାନ ସବୁଠାରୁ ଆଗରେ ରହିଛି। ୨୦୨୧ରେ ମାସିକ ସର୍ବନିମ୍ନ ୩,୬୦୦ ବଲ୍କ ଲିଟର (ପ୍ରାୟ ୫,୫୩୮ ବୋତଲ) ବିୟର ଏବଂ ୨,୪୦୦ ଲଣ୍ଡନ ପ୍ରୁଫ୍ ଲିଟର (ପ୍ରାୟ ୪,୨୬୬ ବୋତଲ) ବିଦେଶୀ ମଦ ବିକ୍ରିର ଲକ୍ଷ୍ୟ ଥିଲା। ଏବଂ କସନ୍ ମନି ଥିଲା ୬୩,୩୬୦ ଟଙ୍କା। ୨୦୨୬ରେ ଗ୍ରାମାଞ୍ଚଳରେ ଥିବା ଏହି ଦୋକାନ ଉପରେ ସରକାର ଏବେ ମାସିକ ଧାର୍ଯ୍ୟ କରିଛନ୍ତି ସର୍ବାଧିକ ୬୬,୨୮,୦୦୦ ଟଙ୍କା । ୨୦୨୧ର ପ୍ରାରମ୍ଭିକ ଆଧାର ତୁଳନାରେ ଏହା ପ୍ରାୟ ୧୦୪.୬୧ ଗୁଣା ଅଧିକ। ସେହିପରି ଧାମନଗର ମଦ ଦୋକାନରେ ୨୦୨୧ରେ ବିୟର ଟାର୍ଗେଟ୍ ୪,୫୦୦ ବଲ୍କ ଲିଟର (୬,୯୨୩ ବୋତଲ) ଓ ବିଦେଶୀ ମଦ ୩,୦୦୦ ଏଲପିଏଲ୍ (୫,୩୩୩ ବୋତଲ) ଥିଲା। କସନ୍ ମନି ଥିଲା ୭୯,୨୦୦ ଟଙ୍କା। ୨୦୨୬ରେ ଏହି ଦୋକାନ ପାଇଁ ମାସିକ ସର୍ବନିମ୍ନ ରାଜସ୍ୱ ଲକ୍ଷ୍ୟ ୫୬,୧୭,୦୦୦ ଟଙ୍କା କରାଯାଇଛି। ଦୋବଲ ବିଦେଶୀ ମଦ ଦୋକାନର ୨୦୨୧ରେ ବିୟର ଟାର୍ଗେଟ୍ ୩,୬୦୦ ବଲ୍କ ଲିଟର (୫,୫୩୮ ବୋତଲ) ଧାର୍ଯ୍ୟ କରାଯାଇଥିଲା. ବିଦେଶୀ ମଦ ୨,୪୦୦ ଲଣ୍ଡନ ପ୍ରୁଫ୍ ଲିଟର (୪,୨୬୬ ବୋତଲ) ଧାର୍ଯ୍ୟ ହୋଇଥିଲା.। ୨୦୨୧ରେ ଦୋକାନ ପାଇଁ କସନ୍ ମନି ୬୩,୩୬୦ ଟଙ୍କା ରହିଥିଲା.୨୦୨୬ ମସିହାର ନୂତନ ସରକାରୀ ଗାଇଡଲାଇନ୍ ଅନୁଯାୟୀ, ଏବେ ବୋତଲ ବା ଲିଟର ପରିବର୍ତେ ‘ସର୍ବନିମ୍ନ ଗ୍ୟାରେଂଟି ପ୍ରାପ୍ତ ଅବକାରୀ ରାଜସ୍ୱ’ ବା ମାସିକ କେତେ ଟଙ୍କାର ମଦ କିଣିବାକୁ ହେବ, ତାହାର କଠୋର ଲକ୍ଷ୍ୟ ରଖାଯାଇଛି। ବର୍ତମାନ ଏହାର ମାସିକ ସର୍ବନିମ୍ନ ରାଜସ୍ୱ ଲକ୍ଷ୍ୟ ହେଉଛି ୩୮,୬୦,୦୦୦ ଟଙ୍କା। ୫ ବର୍ଷ ପରେ ଉଭୟ ଦୋକାନର କସନ୍ ମନି ବୃଦ୍ଧି ପାଇ ସମାନ ଭାବେ ୧,୩୩,୦୦୦ ଟଙ୍କାରେ ପହଞ୍ଚିଛି। ଏହାର ନୂତନ ଟାର୍ଗେଟ୍ ୨୦୨୧ ମସିହା ତୁଳନାରେ ପ୍ରାୟ ୬୦.୯୨ ଗୁଣା ଅଧିକ।ଅସୁରାଳି ମଦ ଦୋକାନରେ ୨୦୨୧ରେ ବିୟର ଟାର୍ଗେଟ୍ ୩,୬୦୦ ବଲ୍କ ଲିଟର (୫,୫୩୮ ବୋତଲ) ବିଦେଶୀ ମଦ ୨,୪୦୦ ଲଣ୍ଡନ ପ୍ରୁଫ୍ ଲିଟର (୪,୨୬୬ ବୋତଲ) ଥିଲା। ସେହି ସମୟରେ ଲାଇସେନ୍ସଧାରୀଙ୍କ କସନ୍ ମନି ୬୩,୩୬୦ ଟଙ୍କା ଧାର୍ଯ୍ୟ ହୋଇଥିଲା। ୨୦୨୬ରେ ଏହି ଦୋକାନ ପାଇଁ ମାସିକ ସର୍ବନିମ୍ନ ରାଜସ୍ୱ ଲକ୍ଷ୍ୟ ୫୬,୧୭,୦୦୦ ଟଙ୍କା ରଖାଯାଇଛି। କସନ୍ ମନି ମଧ୍ୟ ଦୁଇ ଗୁଣରୁ ଅଧିକ ବୃଦ୍ଧି ପାଇ ୧,୩୩,୦୦୦ ଟଙ୍କାରେ ପହଂଚିଛି। ପୂର୍ବଥର ଅପେକ୍ଷା ଏଥର କାରବାର ଲକ୍ଷ୍ୟ ପ୍ରାୟ ୮୮ ଗୁଣରୁ ଅଧିକ ବୃଦ୍ଧି ପାଇଛି। ଏଥର ଆବେଦନ ଦେୟ ଅତ୍ୟଧିକ ବୃଦ୍ଧି କରାଯାଇଛି ଏବଂ ଏହା ସମ୍ପୂର୍ଣ୍ଣ ଭାବେ ‘ଅଣ-ଫେରସ୍ତଯୋଗ୍ୟ’ ବୋଲି ଧାର୍ଯ୍ୟ ହୋଇଛି। ଆବେଦନ ଦେୟ ଫେରସ୍ତ ମିଳିବାକୁ ନଥିବାରୁ ଏବଂ ଆର୍ôଥକ ରିସ୍କ ଅଧିକ ଥିବାରୁ ସାଧାରଣ ବା ନୂତନ ବ୍ୟବସାୟୀମାନେ ଏହି ଟେଣ୍ଡର ପ୍ରକ୍ରିୟାରେ ଭାଗ ନେବାକୁ ଆଦୌ ଆଗ୍ରହ ଦେଖାଉ ନାହାନ୍ତି। ଫଳରେ, ଯେଉଁମାନଙ୍କର ପୂର୍ବରୁ ଭିତିଭୂମି ରହିଛି ଏବଂ ଯେଉଁ ପୁରୁଣା ପ୍ରଭାବଶାଳୀ ଲୋକମାନେ ମଦ ଲାଇସେନ୍ସ ପାଇଥିଲେ, ସେହିମାନେ ହିଁ କେବଳ ଚଳିତ ବର୍ଷ ଆବେଦନ କରୁଛନ୍ତି। ବୁଦ୍ଧିଜୀବୀ ମହଲର ଅଭିଯୋଗ ଅନୁଯାୟୀ, ସରକାରଙ୍କ ଏହି ନୀତି ଯୋଗୁଁ ବଜାରରେ କିଛି ନିର୍ଦ୍ଦିଷ୍ଟ ପ୍ରଭାବଶାଳୀ ଗୋଷ୍ଠୀଙ୍କର ଏକଚାଟିଆ ଅଧିକାର ସୃଷ୍ଟି ହେବ, ଯାହା ଆଗାମୀ ଦିନରେ ଅଂଚଳରେ ଭୟଙ୍କର ‘ମଦ ମାଫିଆ’ ସୃଷ୍ଟି ହେବାର ଆଶଙ୍କାକୁ ବଢ଼ାଇ ଦେଇଛି। ପ୍ରଶ୍ନ ଉଠୁଛି, ରାଜସ୍ୱ ବାହାନାରେ ସରକାର ନିଜର ଆଭ୍ୟନ୍ତରୀଣ ପାଣ୍ଠି ବଢ଼ାଇବାକୁ ଯାଇ ଧାମନଗର ଭଳି ଏକ ସାଂସ୍କୃତିକ ଅଂଚଳକୁ ମଦୁଆଙ୍କ ଗଡ଼ରେ ପରିଣତ କରିବାକୁ ଚାହୁଁଛନ୍ତି କି। ସରକାରଙ୍କ ଏହି ଜନବିରୋଧୀ ଅବକାରୀ ନୀତି ବିରୋଧରେ ଆଗାମୀ ଦିନରେ ସ୍ଥାନୀୟ ମହିଳା ସଂଗଠନ ଓ ସଚେତନ ନାଗରିକମାନେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ସଜବାଜ ହେଉଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.