Home ଜିଲ୍ଲା ପରିକ୍ରମା ସରକାରଙ୍କର କୌଣସି ନିର୍ଦ୍ଧାରିତ ନିୟମ ନାହିଁ, ତଥାପି ୧୦୦ ଟଙ୍କାରେ ସୀମିତ ପେଟ୍ରୋଲ, ବଢ଼ୁଛି ଜନଅସନ୍ତୋଷ

ସରକାରଙ୍କର କୌଣସି ନିର୍ଦ୍ଧାରିତ ନିୟମ ନାହିଁ, ତଥାପି ୧୦୦ ଟଙ୍କାରେ ସୀମିତ ପେଟ୍ରୋଲ, ବଢ଼ୁଛି ଜନଅସନ୍ତୋଷ

6

ଭଦ୍ରକ, ୧୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମଧ୍ୟପ୍ରାଚ୍ୟ ଯୁଦ୍ଧ ପରବର୍ତୀ ପରିସ୍ଥିତିରେ ସାରା ଦେଶରେ ତୈଳ ଆମଦାନୀ ହ୍ରାସ ପାଇଥିବା ଚର୍ଚ୍ଚା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଓ ଡିଜେଲ ସଙ୍କଟ ଦେଖାଦେଇଛି। କେତେକ ସ୍ଥାନରେ ପେଟ୍ରୋଲ ପମ୍ପ ବନ୍ଦ ରହୁଥିବା ବେଳେ, ଧାମନଗର ଅଂଚଳରେ ମଧ୍ୟ ତୈଳ ଅଭାବକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ରାଜ୍ୟ ସରକାରଙ୍କ ଯୋଗାଣ ମନ୍ତ୍ରୀ ଓ ବିଭାଗୀୟ ସଚିବ ରାଜ୍ୟରେ ଯଥେଷ୍ଟ ପରିମାଣରେ ତେଲ ମହଜୁଦ ଥିବା ଏବଂ ସରକାରଙ୍କ ପକ୍ଷରୁ କୌଣସି ସୀମିତ ବିତରଣ ନୀତି ଲାଗୁ କରାଯାଇନଥିବା କହୁଥିବା ବେଳେ, ଧାମନଗରରେ ତାହାର ସଂପୂର୍ଣ୍ଣ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ଶୁକ୍ରବାର ସକାଳୁ ଧାମନଗର ସହରାଂଚଳର ଦୁଇଟି ପ୍ରମୁଖ ପେଟ୍ରୋଲ ପମ୍ପରେ ଭିଡ଼ ପରିଲକ୍ଷିତ ହୋଇଥିଲା। ଏକ ଇଣ୍ଡିଆନ ଅଏଲ ପମ୍ପରେ ତେଲ ନଥିବା ବେଳେ, ଭାରତ ପେଟ୍ରୋଲିୟମ ପମ୍ପରେ ଲମ୍ବା ଲାଇନରେ ଗ୍ରାହକ ଘଂଟା ଘଂଟା ଧରି ଅପେକ୍ଷା କରୁଥିଲେ। ଏଠାରେ ପ୍ରତ୍ୟେକ ବାଇକକୁ ମାତ୍ର ୧୦୦ ଟଙ୍କାର ପେଟ୍ରୋଲ ଦିଆଯାଉଥିବାରୁ ଗ୍ରାହକମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ବର୍ତମାନର ଦର ଅନୁଯାୟୀ ୧୦୦ ଟଙ୍କାରେ ଏକ ଲିଟରରୁ କମ ପେଟ୍ରୋଲ ମିଳୁଥିବାରୁ ବାଇକ ଚାଳକମାନେ ଦୂର ଯାତ୍ରା କରିବାରେ ସମସ୍ୟାରେ ପଡ଼ୁଛନ୍ତି। ବର୍ତମାନ ବିବାହ ଓ ଅନ୍ୟାନ୍ୟ ସାମାଜିକ ଉତ୍ସବର ସମୟ ଚାଲିଥିବା ବେଳେ, ତୈଳ ସଙ୍କଟ ବାଇକ ଆରୋହୀ ଓ ସାଧାରଣ ଲୋକଙ୍କ ଦୈନନ୍ଦିନ ଯାତାୟାତକୁ ପ୍ରଭାବିତ କରିଛି। ଏନେଇ ପେଟ୍ରୋଲ ପମ୍ପ ମାଲିକମାନେ କହିଛନ୍ତି ଯେ, ଆବଶ୍ୟକ ପରିମାଣରେ ତେଲ ଆସୁନାହିଁ। ଫଳରେ ସେମାନେ ନିରୁପାୟ ହୋଇ ସୀମିତ ପରିମାଣରେ ତେଲ ବିତରଣ କରୁଛନ୍ତି। ପ୍ରଥମେ ଆମ୍ବୁଲାନ୍ସ ଓ ପୋଲିସ ଗାଡ଼ି ପାଇଁ ତେଲ ସଂରକ୍ଷିତ ରଖିବାକୁ ପଡ଼ୁଥିବା ବେଳେ, ପରେ ସାଧାରଣ ଗ୍ରାହକଙ୍କୁ ୧୦୦ ଟଙ୍କାର ପେଟ୍ରୋଲ ଦିଆଯାଉଛି ବୋଲି ସେମାନେ କହିଛନ୍ତି। ଏ ସମ୍ପର୍କରେ ଧାମନଗର ଯୋଗାଣ ଅଧିକାରୀ ପ୍ରୀତିଶ ରଞ୍ଜନ ସାମଲଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ସେ ନୂଆକରି ଦାୟିତ୍ୱ ନେଇଥିବାରୁ ସମସ୍ତ ପରିସ୍ଥିତି ଯାଂଚ କରାଯାଉଛି। ତେଲ ସଙ୍କଟ ନେଇ ସରକାରଙ୍କ ପକ୍ଷରୁ ୧୦୦ ଟଙ୍କାରେ ତେଲ ବିତରଣ ପାଇଁ କୌଣସି ନୀତି ନିର୍ଦ୍ଧାରଣ କରାଯାଇନାହିଁ। ଏହି ଅଭିଯୋଗ ସମ୍ପର୍କରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସହ ଆଲୋଚନା ପରେ ସରକାରୀ ନିୟମ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ସେ ପ୍ରତିକ୍ରିୟାରେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.