Home ଜିଲ୍ଲା ପରିକ୍ରମା କାଗଜପତ୍ରରେ ଗାଁ କଲ୍ୟାଣ ସମିତି, ମିଥ୍ୟା ବିଲ୍ ଓ ଫଟୋରେ ଅନୁଦାନ ହରିଲୁଟ୍

କାଗଜପତ୍ରରେ ଗାଁ କଲ୍ୟାଣ ସମିତି, ମିଥ୍ୟା ବିଲ୍ ଓ ଫଟୋରେ ଅନୁଦାନ ହରିଲୁଟ୍

15

ଭଦ୍ରକ, ୧୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରୀ ଅନୁଦାନକୁ ହଡ଼ପ କରିବା ପାଇଁ ମିଥ୍ୟା ବିଲ୍ ଏବଂ ଫଟୋ ସର୍ବସ୍ୱ କାର୍ଯ୍ୟକ୍ରମ ଏବେ ଧାମନଗର ବ୍ଲକରେ ଚର୍ଚ୍ଚାର ବିଷୟ ପାଲଟିଛି। ଗ୍ରାମାଂଚଳରେ ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଗଠିତ ‘ଗାଁ କଲ୍ୟାଣ ସମିତି’ ଏବଂ ‘ରୋଗୀ କଲ୍ୟାଣ ସମିତି’ ନିଜର ଲକ୍ଷ୍ୟ ପୂରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ୱାର୍ଡ ମେମ୍ବର, ଅଙ୍ଗନବାଡ଼ି କର୍ମୀ ଏବଂ ଆଶା କର୍ମୀଙ୍କ ମଧ୍ୟରେ ଲାଗି ରହିଥିବା ଅନ୍ତଃକନ୍ଦଳ ଓ ସମନ୍ୱୟର ଅଭାବ ଯୋଗୁଁ ସରକାରୀ ଯୋଜନା ବାଟବଣା ହେଉଥିବା ବେଳେ ସାଧାରଣ ଲୋକେ ସର୍ବନିମ୍ନ ସ୍ୱାସ୍ଥ୍ୟ ସେବାରୁ ବଂଚିତ ହେଉଛନ୍ତି।ଅଭିଯୋଗ ହେଉଛି ଯେ, ବ୍ଲକର ଅଧିକାଂଶ ଗାଁ କଲ୍ୟାଣ ସମିତିରେ କୌଣସି ବାସ୍ତବ କାର୍ଯ୍ୟ ହେଉନାହିଁ। କେବଳ କେତୋଟି ସ୍ଥାନରେ ଫଟୋ ଉଠାଇ ଏବଂ ନକଲି କାଗଜପତ୍ର ପ୍ରସ୍ତୁତ କରି ବାର୍ଷିକ ୧୦,୦୦୦ ଟଙ୍କାର ଅନୁଦାନ ହରିଲୁଟ୍ କରାଯାଉଛି। ଧାମନଗର ବ୍ଲକର ୩୧୬ଟି ସମିତି ପାଇଁ ଆସିଥିବା ପ୍ରାୟ ୩୧ ଲକ୍ଷ ଟଙ୍କା କେଉଁ କାମରେ ଲାଗୁଛି, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗାଁର ନାଳନର୍ଦ୍ଦମା ସଫା କିମ୍ବା ବ୍ଲିଚିଂ ପାଉଡର ପକାଇବା ପାଇଁ ଉଦ୍ଦିଷ୍ଟ ଅର୍ଥକୁ କେବଳ ଚା’ ଜଳଖିଆ ଏବଂ ମିଥ୍ୟା ବୈଠକ ଦର୍ଶାଇ ଖର୍ଚ୍ଚ କରାଯାଉଛି। ସମିତିର ତିନି ମୁଖ୍ୟ ସ୍ତମ୍ଭ ସଭାପତି (ୱାର୍ଡ ମେମ୍ବର), ସମ୍ପାଦିକା (ଅଙ୍ଗନବାଡ଼ି କର୍ମୀ) ଏବଂ ସମନ୍ୱୟକାରୀ (ଆଶା କର୍ମୀ)ଙ୍କ ମଧ୍ୟରେ ଅଧିକାର ଓ ଅର୍ଥ ଖର୍ଚ୍ଚକୁ ନେଇ ବିବାଦ ତୀବ୍ର ହୋଇଛି। ଅନେକ ସ୍ଥାନରେ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ମଧ୍ୟରେ ପଡୁ ନଥିବାରୁ ବୈଠକ ବସିପାରୁନାହିଁ। ଏପରିକି ୱାର୍ଡ ମେମ୍ବର ଙ୍କ ଅଜାଣତରେ ବିଲ୍ ପାସ୍ କରାଯାଉଥିବା ବେଳେ କେଉଁଠି ୱାର୍ଡ ମେମ୍ବର ମାନେ ଅନୁଦାନ ଅର୍ଥ ଉପରେ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଚେଷ୍ଟା କରୁଛନ୍ତି। ଏହି ତ୍ରିକୋଣୀୟ ଲଢ଼େଇ ଯୋଗୁଁ ଗାଁର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ସେହିପରି ଡାକ୍ତରଖାନା ଗୁଡ଼ିକରେ ରୋଗୀଙ୍କ ସୁବିଧା ପାଇଁ କାର୍ଯ୍ୟ କରୁଥିବା ‘ରୋଗୀ କଲ୍ୟାଣ ସମିତି’ ମଧ୍ୟ ନାମକୁ ମାତ୍ର ଚାଲିଛି। ଡାକ୍ତରଖାନାର ଭିତିଭୂମି ବିକାଶ, ବିଶୁଦ୍ଧ ପାନୀୟ ଜଳ ଏବଂ ସଫେଇ ପାଇଁ ଲକ୍ଷ ଲକ୍ଷ ଟଙ୍କାର କର୍ପସ ଫଣ୍ଡ ରହିଥିଲେ ମଧ୍ୟ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଫ୍ୟାନ ମରାମତି ଠାରୁ ଆରମ୍ଭ କରି ବେଡସିଟି ବଦଳାଇବା ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ସଠିକ୍ ସମୟରେ ହେଉନାହିଁ। ଅପରିଷ୍କାର ପରିବେଶ ଓ ଔଷଧର ଅଭାବ ଏହି ସମିତିର ବିଫଳତାକୁ ପଦାରେ ପକାଇଛି। ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ମନ୍ମୟ ସାମନ୍ତସିଂହାର ଏହି ସମସ୍ୟା ଉପରେ ତଦନ୍ତ କରିବେ ବୋଲି କହୁଥିଲେ ମଧ୍ୟ ବାସ୍ତବରେ କୌଣସି ସମିତି ବିରୋଧରେ ଦୃଢ଼ ପଦକ୍ଷେପ ନିଆଯାଇ ନାହିଁ। ଯଦି ତୁରନ୍ତ ଏହି ମିଥ୍ୟା ବିଲ୍ କାରବାରର ଅଡିଟ କରାଯାଏ ଏବଂ ନିଷ୍କ୍ରିୟ ସମିତି ଗୁଡ଼ିକୁ ଭଙ୍ଗ କରାଯାଏ, ତେବେ ହିଁ ସରକାରୀ ଅର୍ଥର ସଠିକ୍ ବିନିଯୋଗ ହୋଇପାରିବ। ଏ ଦିଗରେ ସଠିକ ତଦନ୍ତ ପାଇଁ ଜିଲ୍ଲାପାଳ ନିର୍ଦେଶ ଦେବାକୁ ମଧ୍ୟ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.