Home ଜିଲ୍ଲା ପରିକ୍ରମା ଧାମନଗରରେ ଉତ୍କଟ ହେଉଛି ଟ୍ରାଫିକ ସମସ୍ୟା, ପ୍ରଶାସନ ନିଦ୍ରାରେ, ଜନଜୀବନ ଅସ୍ତବ୍ୟସ୍ତ

ଧାମନଗରରେ ଉତ୍କଟ ହେଉଛି ଟ୍ରାଫିକ ସମସ୍ୟା, ପ୍ରଶାସନ ନିଦ୍ରାରେ, ଜନଜୀବନ ଅସ୍ତବ୍ୟସ୍ତ

5

ଭଦ୍ରକ, ୧୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ସହର ଓ ଏହାର ଆଖପାଖ ଅଂଚଳରେ ଟ୍ରାଫିକ ବ୍ୟବସ୍ଥା ଏବେ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ବଜାରରେ ଅସମ୍ଭାଳ ଭିଡ଼ ସାଙ୍ଗକୁ ବେଆଇନ ପାର୍କିଂ ଏବଂ ଜବରଦଖଲ ଯୋଗୁଁ ସାଧାରଣ ଲୋକଙ୍କ ଯାତାୟାତ ଏକ ପ୍ରକାର ଦୁର୍ବିସହ ହୋଇପଡ଼ିଛି। ସବୁ ଜାଣି ମଧ୍ୟ ସ୍ଥାନୀୟ ପ୍ରଶାସନ ନିରବଦ୍ରଷ୍ଟା ସାଜିବା ଅଂଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।ସୂଚନା ଅନୁଯାୟୀ, ବଜାରର ମୁଖ୍ୟ ରାସ୍ତା ଉପରେ ଦୋକାନୀମାନେ ନିଜର ପସରା ମେଳାଇ ଦେଉଥିବାରୁ ରାସ୍ତା ସଂକୀର୍ଣ୍ଣ ହୋଇଯାଉଛି। ଏହା ବ୍ୟତୀତ, ଅନେକ ସ୍ଥାନରେ ଗାଡ଼ି ମାଲିକମାନେ ନିଜ ଯାନବାହନକୁ ବେଆଇନ ଭାବେ ଘଂଟା ଘଂଟା ଧରି ରାସ୍ତା ଉପରେ ରଖୁଛନ୍ତି। ବିଶେଷ କରି ମାଲବାହୀ ଗାଡ଼ିଗୁଡ଼ିକ ରାସ୍ତା ମଝିରେ ଛିଡ଼ା ହୋଇ ମାଲ୍ ଅନଲୋଡ କରୁଥିବାରୁ ପରିସ୍ଥିତି ଅଧିକ ଜଟିଳ ହେଉଛି। ଦୋବଲ ବଜାର ଅଞ୍ଚଳରେ ଡ୍ରେନ ନିର୍ମାଣ ହୋଇଚି ଯାହା ଫଳରେ ରାସ୍ତାରେ ଯାତାୟାତ ପାଇଁ ସ୍ଥାନ ଅଭାବ ପଡ଼ୁଛି। ଫଳରେ ଦୈନିକ ହଜାର ହଜାର ଯାତ୍ରୀ ଓ ଯାନବାହନ ଘଂଟା ଘଂଟା ଧରି ଟ୍ରାଫିକ ଜାମ ରେ ଫସି ରହୁଛନ୍ତି।ଧାମନଗର ଦେଇ ଦୈନିକ ଜିଲ୍ଲା ତଥା ଜିଲ୍ଲା ବାହାରକୁ ଶତାଧିକ ଘରୋଇ ଓ ସରକାରୀ ବସ୍ ଯାତାୟାତ କରିଥାଏ। ତେବେ ରାସ୍ତାରେ ଶୃଙ୍ଖଳିତ ଟ୍ରାଫିକ ବ୍ୟବସ୍ଥା ନଥିବାରୁ ବସ୍ ଗୁଡ଼ିକ ଯିବା ଆସିବା ସମୟରେ ବଡ଼ ଧରଣର ଜାମ୍ ସୃଷ୍ଟି ହେଉଛି। ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ମଧ୍ୟ ଅନେକ ସମୟରେ ଏହି ଭିଡ଼ରେ ଅଟକି ରହୁଥିବା ଦେଖିବାକୁ ମିଳୁଛି।ଅଂଚଳବାସୀଙ୍କ ଅଭିଯୋଗ ଅନୁସାରେ, ଏହି ସମସ୍ୟା ବାବଦରେ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା ସ୍ଥାନୀୟ ପ୍ରଶାସନ କିମ୍ବା ପୋଲିସ ବିଭାଗ ପକ୍ଷରୁ କୌଣସି କଠୋର ପଦକ୍ଷେପ ନିଆଯାଉନାହିଁ। ଥାନାରେ ଆବଶ୍ୟକ ଷ୍ଟାପ ନଥିବାରୁ ଟ୍ରାଫିକ ସମସ୍ୟା କୁ ରୋକି ହେଉନାହିଁ ତେବେ ଖୁବ୍ ଶୀଘ୍ର ସ୍ୱତନ୍ତ୍ର ବେବସ୍ତା କରା ଯିବ ବୋଲି ଧାମନଗର ଥାନା ଅଧିକାରୀ ସୁବ୍ରଜିତି ଦାଶ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.