ଭଦ୍ରକ, ୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାଙ୍ଗ ସାଥୀଙ୍କ ଗହଣରେ ଭୋଜି କରିବାକୁ ଯାଇଥିବା ବେଳେ ସାଳନ୍ଦୀ ନଦୀ ବନ୍ଧର ଗଭୀର ପାଣିରେ ବୁଡି ଫାର୍ମାସି ଛାତ୍ରଙ୍କ ମୃତ୍ୟୁ ବରଣ ପରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ହାଟଡିହି ବ୍ଲକ ହଦଗଡ ନଦୀ ବନ୍ଧର ସାଳନ୍ଦୀ ଅବବାହିକାକୁ ଆଜି ସକାଳେ ୧୫ ରୁ ୧୭ ଜଣ ସାଙ୍ଗ ଏକ ବୋଲେରୋ ଓ ବାଇକ ଯୋଗେ ଭୋଜି କରିବାକୁ ଯାଇଥିଲେ । ତାଙ୍କ ସହ ବନ୍ତ ବ୍ଲକ ନିଳୋକ ଗ୍ରାମର ଶାନ୍ତନୁ ନାୟକଙ୍କ ପୁଅ ଦେବାଶିଷ (୨୭) ଥିଲେ । ହସ, ଖୁସି, ମଜା ମସ୍ତି ମଧ୍ୟରେ ଖାଉଥିବା ବେଳେ ହଠାତ୍ ବର୍ଷା,ପବନ ସାଙ୍ଗକୁ ବିଜୁ ମାରିଥିଲା । ପାଖରେ କୌଣସି କିଛି ଘରଦ୍ୱାର ନଥିବାରୁ ସମସ୍ତେ ନିକଟସ୍ଥ ହଦଗଡ ବଜାରକୁ ଧାଇଁଥିଲେ । ହେଲେ ଦେବାଶିଷ ଜୋତା ଆଣିବାକୁ ଯିବା ବେଳେ ଅସାବଧାନତା ବଶତଃ ନଦୀ ତଟରେ ଥିବା ଗାର୍ଡ ୱାଲରେ ବାଡେଇ ହୋଇ ଗଭୀର ପାଣିରେ ପଡି ଯାଇଥିଲେ । ତାଙ୍କୁ ମୁର୍ମଷ ଅବସ୍ଥାରେ ସାଙ୍ଗ ମାନେ ଏକ କାର ଯୋଗେ ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଚାଂଇ ଥିଲେ । ସେଠାରେ କାର୍ଯ୍ୟରତ ଡାକ୍ତର ଦେବାଶିଷଙ୍କୁ ମୃତ ଘୋଷଣା କରିଥିଲେ । ଦେବାଶିଷ ବିଟେକ୍ ପରେ ଫାର୍ମାସି କରି ଘରେ ଥିବା ବେଳେ ଆଜିର ଏହି ଦୁଖଃଦ ଖବର ପ୍ରଚାରିତ ହେବା ପରେ ନିଜ ଗ୍ରାମ ନିଳୋକ ଏବଂ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଅନ୍ୟ ପକ୍ଷରେ ଏକମାତ୍ର ପାଠ ପଢୁଆ ପୁଅକୁ ଅସମୟରେ ହରାଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି । ତେବେ ଦେବାଶିଷଙ୍କ ମୃତ୍ୟୁର କାରଣ ସନ୍ଦେହ ଘେରରେ ରହିଥିବା ବେଳେ ପ୍ରକୃତ ତଥ୍ୟ ଲୋକ ଲୋଚନକୁ ଆଣିବାକୁ ପରିବାର ଲୋକେ ଦାବି କରିଛନ୍ତି । ସନ୍ଧ୍ୟାରେ ଦେବାଶିଷଙ୍କ ମରଶରୀରକୁ ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଯାଇଛି ।








