ଭଦ୍ରକ, ୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ରାଧାବଲ୍ଲଭପୁର ଗ୍ରାମରେ ବୁଧବାର ମହାବୀର ହନୁମାନ ନୂତନ ମନ୍ଦିର ସହ ବିଘ୍ରର ପ୍ରାଣପ୍ରତିଷ୍ଠା ଉତ୍ସବ ଅତ୍ୟନ୍ତ ଆଡମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି। ଏଥିଲାଗି ପୂରା ଗ୍ରାମ ଧାର୍ମିକ ଉତ୍ସାହରେ ମହିମାମୟ ହୋଇଯାଇଥିଲା। ଏହି ପବିତ୍ର ଅବସରରେ ୩ ଜଣ ବ୍ରାହ୍ମଣଙ୍କ ଦ୍ୱାରା ବେଦିକ ମନ୍ତ୍ରୋଚ୍ଚାରଣ ସହ ମଙ୍ଗଳମୟ ପୂଜାର୍ଚ୍ଚନା ଓ ଯଜ୍ଞାନୁଷ୍ଠାନ ଶାସ୍ତ୍ରୋକ୍ତ ଭାବେ ସମ୍ପନ୍ନ ହୋଇଥିଲା। ମନ୍ତ୍ରଧ୍ୱନି ଓ ଘଂଟନାଦରେ ସମଗ୍ର ପରିବେଶ ଆଧ୍ୟାତ୍ମିକ ମାହୋଲରେ ମଗ୍ନ ହୋଇପଡ଼ିଥିଲା। ଉତ୍ସବର କର୍ତା ଭାବେ ଚନ୍ଦ୍ରମଣି ସାହୁ ଓ ତାଙ୍କ ସ୍ତ୍ରୀ ଅହଲ୍ୟା ସାହୁ ନିଷ୍ଠାର ସହିତ ସମସ୍ତ କାର୍ଯ୍ୟ ସମ୍ଭାଳିଥିଲେ। ସେମାନଙ୍କର ପ୍ରୟାସ ଓ ଗ୍ରାମବାସୀଙ୍କ ସହଯୋଗରେ ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା। ଏହି ଅବସରରେ ବହୁ ସଂଖ୍ୟକ ଭକ୍ତମାନେ ଯୋଗଦେଇ ମହାବୀର ହନୁମାନଙ୍କ ଆଶୀର୍ବାଦ ଲାଭ କରିଥିଲେ। ଶେଷରେ ପ୍ରସାଦ ବଂଟନ ସହ ଉତ୍ସବର ସମାପନ ହୋଇଥିଲା।








