Home ଜିଲ୍ଲା ପରିକ୍ରମା ନଦୀବନ୍ଧ ସୁରକ୍ଷା ପାଚେରୀ ନିର୍ମାଣ,ବିଭାଗୀୟ ଅଧିକାରୀ ଅନୁପସ୍ଥିତ, ବୈଷୟିକ ମାନଦଣ୍ଡକୁ ଜଳାଞ୍ଜଳି

ନଦୀବନ୍ଧ ସୁରକ୍ଷା ପାଚେରୀ ନିର୍ମାଣ,ବିଭାଗୀୟ ଅଧିକାରୀ ଅନୁପସ୍ଥିତ, ବୈଷୟିକ ମାନଦଣ୍ଡକୁ ଜଳାଞ୍ଜଳି

3

ଭଦ୍ରକ, ୨୬ା୪(ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ବ୍ଲକ ଆନନ୍ଦପୁର ପଂଚାୟତ ମଲ୍ଲିମାହାରା ଏସକେପର ପଶ୍ଚିମ ପାର୍ଶ୍ୱ ନଦୀବନ୍ଧର ବାମ ପଟେ ଜଳ ସମ୍ପଦ ବିଭାଗ ପକ୍ଷରୁ ଚାଲିଥିବା ସୁରକ୍ଷା ପାଚେରୀ ନିର୍ମାଣରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ୨୦ ମିଟର ଲମ୍ବର ପ୍ଲେନ୍ କଂକ୍ରିଟ ଗ୍ରାଭିଟି ରିଟେନିଂ ୱାଲରେ ବୈଷୟିକ ଜ୍ଞାନକୌଶଳକୁ ଅଣଦେଖା କରି ନିର୍ମାଣ କରାଯାଉଥିବା ଦେଖିବାକୁ ମିଳିଛି। ମଲ୍ଲିମାହାରା ଏସକେପ୍ ଦେଇ ବର୍ଷା ଦିନେ ହଜାର ହଜାର ଘନଫୁଟ୍ ବନ୍ୟା ଜଳ ପ୍ରବାହିତ ହୋଇଥାଏ। ଅତୀତରେ ଜଳର ପ୍ରଖର ସ୍ରୋତ ଯୋଗୁଁ ଏସକେପ୍‌ର ଆବଟମେଂଟ ୱାଲ ବାରମ୍ବାର ଭୁଶୁଡ଼ିଛି। ନିକଟରେ ଏଠାରେ ଏକ କଂକ୍ରିଟ ପୋଲ ନିର୍ମାଣ ହୋଇଥିଲେ ସୁଦ୍ଧା ଜଳର ପ୍ରବାହ ଓ ବିପଦ ସମାନ ରହିଛି। ଏଭଳି ଏକ ସମ୍ବେଦନଶୀଳ ସ୍ଥାନରେ ନଦୀବନ୍ଧ ସୁରକ୍ଷା ପାଇଁ ନିର୍ମାଣ ହେଉଥିବା ପାଚେରୀ ଅତି ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି। ସୂଚନାଯୋଗ୍ୟ ଯେ, ଏହି ସ୍ଥାନରେ ଜଳର ସ୍ରୋତ ଓ ଚାପକୁ ସହିବା ପାଇଁ ଅତିକମରେ ଏମ୍‌-୨୫ ଗ୍ରେଡ୍ କଂକ୍ରିଟ୍ ମିଶ୍ରଣ ବ୍ୟବହାର ହେବା କଥା। ମାତ୍ର କ୍ଷେତ୍ରସ୍ଥଳରେ ଠିକାଦାର ମନମୁଖୀ ଭାବେ ୧:୪:୬ (ସିମେଂଟ, ବାଲି ଓ ଚିପ୍ସ) ଅନୁପାତରେ କାମ କରୁଛନ୍ତି, ଯାହା ଗ୍ରାଭିଟି ୱାଲ୍‌ର ସ୍ଥିରତା ପ୍ରତି ବିପଦ ସୃଷ୍ଟି କରୁଛି। ରବିବାର ସରକାରୀ ଛୁଟି ଦିନରେ କାମ ଚାଲିଥିବା ବେଳେ ସେଠାରେ କୌଣସି ବିଭାଗୀୟ ଯନ୍ତ୍ରୀ କିମ୍ବା କର୍ମଚାରୀ ଉପସ୍ଥିତ ନଥିବା ଜଣାପଡ଼ିଛି। ଏପରିକି ନିର୍ମାଣସ୍ଥଳରେ କୌଣସି ସୂଚନା ଫଳକ ମଧ୍ୟ ଲଗାଯାଇ ନାହିଁ। ବୈଷୟିକ ମାନଦଣ୍ଡ ଅନୁଯାୟୀ ଏଭଳି ଜଳ ପ୍ରବାହିତ ଅଂଚଳରେ ଏମ୍‌-୨୫ ଗ୍ରେଡ୍ (୧:୧:୨) କିମ୍ବା ଅତିକମରେ ଏମ୍‌-୨୦ ଗ୍ରେଡ୍ (୧:୧.୫:୩) ବ୍ୟବହାର ହେବା ଉଚିତ। ତେବେ ଏଠାରେ ହେଉଥିବା ନିର୍ମାଣ କାମରେ ୧:୪:୬ର ମିଶ୍ରଣ ଅତ୍ୟନ୍ତ ଦୁର୍ବଳ। ନଦୀବନ୍ଧ ନିର୍ମାଣ ପାଇଁ ଉଚ୍ଚ ମାନର ଓପିସି କିମ୍ବା ଅନୁମୋଦିତ ସିମେଂଟ ବ୍ୟବହାର ହେବା କଥା, ମାତ୍ର କଂପୋଜିଟ ସିମେଂଟର ବ୍ୟବହାର ନିର୍ମାଣର ଦୃଢ଼ତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ପ୍ଲେନ୍ କଂକ୍ରିଟ ଗ୍ରାଭିଟି ୱାଲ୍‌ର ବେସ୍ ମାଟିର ଚାପ ଓ ଜଳର ପାର୍ଶ୍ୱ ଚାପକୁ ସହିବା ପାଇଁ ଯଥେଷ୍ଟ ଓସାରିଆ ହେବା ଦରକାର। ନିର୍ମାଣର ସ୍ଥାୟିତ୍ୱ ପାଇଁ ଅତିକମରେ ୧୪ ରୁ ୨୧ ଦିନ ପର୍ଯ୍ୟନ୍ତ କାନ୍ଥକୁ ପାଣି ଦେଇ ଭିଜାଇ ରଖିବା ନିତାନ୍ତ ଆବଶ୍ୟକ, ନଚେତ୍ କଂକ୍ରିଟ୍‌ରେ ଫାଟ ସୃଷ୍ଟି ହେବ। ପାଚେରୀ ପଛପଟେ ଉମ ମାନର ଗୋଡ଼ି ଓ ବାଲି ଦ୍ୱାରା ପ୍ୟାକିଂ କରାଯିବା ଉଚିତ, ଯାହାଦ୍ୱାରା ଜଳ ନିଷ୍କାସନ ସହଜ ହେବ। ସେହିପରି କାନ୍ଥ ମଧ୍ୟରେ ପାଣି ଜମି ରହିବାକୁ ରୋକିବା ପାଇଁ ନିର୍ଦ୍ଧାରିତ ବ୍ୟବଧାନରେ ଛିଦ୍ର ରଖିବା ଜରୁରୀ। ସ୍ଥାନୀୟ ଲୋକଙ୍କ କହିବା କଥା, ଯଦି ସରକାରୀ ଟଙ୍କାରେ ଏଭଳି ନିମ୍ନମାନର କାମ ଜାରି ରହେ, ତେବେ ଆଗାମୀ ବନ୍ୟାରେ ଏହି ପାଚେରୀ ଧୋଇଯିବାର ସମ୍ଭାବନା ଅଧିକ। ଏଥିପ୍ରତି ଜଳ ସମ୍ପଦ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି। ସେପଟେ ନିରୀକ୍ଷଣ ଦାୟିତ୍ୱରେ ଥିବା ଜଳ ସଂପଦ ବିଭାଗ କନିଷ୍ଠ ଯନ୍ତ୍ରୀ ସ୍ୱାଗତ ଦାସ କହିଛନ୍ତି ଯେ, ରବିବାର କାମ କରିବାକୁ ମନା ହୋଇଥିଲା। ତେବେ କାମର ମାନ ଯାଂଚ ପରେ ପରବର୍ତୀ ପଦକ୍ଷେପ ନିଆଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.