Home ଜିଲ୍ଲା ପରିକ୍ରମା ହୁତୁ ହୁତୁ ହୋଇ ଜଳିଗଲା ଗୋରୁ ବୋଝେଇ କାର୍

ହୁତୁ ହୁତୁ ହୋଇ ଜଳିଗଲା ଗୋରୁ ବୋଝେଇ କାର୍

7

ଭଦ୍ରକ, ୨୬ା୪(ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକରେ ଗୋମାଫିଆଙ୍କର ପ୍ରାଦୁର୍ଭାବ ଥମିବା ପରିବର୍ତେ ବଢିବାରେ ଲାଗିଛି। ଏହି ଜିଲାର ବିଭିନ୍ନ ଥାନାରେ ପୂର୍ବରୁ ଦାୟିତ୍ୱରେ ଥିବା ଥାନାଧିକାରୀ ମନୋଜ ରାଉତ ଏବେ ଜିଲା ଆରକ୍ଷୀ ଅଧୀକ୍ଷକ ଭାବେ ଯୋଗଦେବା ପରେ ତାଙ୍କର ପ୍ରଥମ କାର୍ଯ୍ୟାନୁଷ୍ଠାନ ଗୋମାଫିଆଙ୍କ ଉପରେ ଚଡକ ହୋଇଛି। ତେବେ ଶ୍ରୀ ରାଉତଙ୍କ ଆଖିରୁ ବର୍ତିବା ପାଇଁ ଗୋମାଫିଆମାନେ ତେଲ ଟ୍ୟାଙ୍କର ଓ ସୌଖିନ କାରରେ ଏହି ଗୋରୁ ଚୋରା ଚାଲାଣ କରିଆସୁଛନ୍ତି। ଯାହାର ନଜିର ଗତ କିଛିଦିନ ପୂର୍ବେ ବାରିକପୁର ଓ ଭଦ୍ରକରେ ଦେଖିବାକୁ ମିଳିଥିଲା। ଜନସାଧାରଣ ଓ ଗୋରକ୍ଷକଙ୍କର ଅଭିଯୋଗ ମୂଳେ ବିଭିନ୍ନ ଥାନାର ପୁଲିସ୍‌ଙ୍କର କାର୍ଯ୍ୟ ସନ୍ଦେହ ଜନକ ରହୁଥିବାରୁ ଏହା କମିବା ପରିବର୍ତେ ବଢିବାରେ ଲାଗିଛି। ଆଜି ଭୋର ୪ଟା ବେଳେ ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ସହରାଂଚଳ ଥାନା ଅଧୀନସ୍ଥ ଜଗନ୍ନାଥପୁର ଜିଲା ଜଳ ପରୀକ୍ଷାଗାର ଅଫିସ୍ ସମ୍ମୁଖରେ। କେତେକ ସ୍ଥାନୀୟ ଲୋକେ ନିଜର ନାମ ଗୋପନ ରଖି ଯାହା କହିଛନ୍ତି ଓଆର-୧୨ଏଫ-୭୩୯୨ ନମ୍ବରର ଏକ ଧଳା ରଙ୍ଗର ମାରୁତି ସୁଜୁକି ସୁଇଫ୍ଟ ଡିଜାୟାର କାର ଆନନ୍ଦପୁରରୁ ଗୋରୁ ବୋଝେଇ କରି ଭଦ୍ରକ ଆସୁଥିବାବେଳେ କେତେକ ଲୋକ ତାକୁ ଅଟକାଇଥିଲେ। ଏବଂ ଗୋରୁ ଗୁଡିକୁ ଖୋଲିଦେଇ ଗାଡିଟିରେ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣାରେ କାର ଚାଳକ ଫେରାର ହୋଇଯାଇଥିଲା। ପରବର୍ତୀ ସମୟରେ ଖବର ପାଇ ପୁଲିସ୍ ଘଟଣା ସ୍ଥଳରେ ପହଂଚି ଅଗ୍ନିଶମ ବାହିନୀ ସହାୟତାରେ ନିଆଁକୁ ଆୟତ କରିଥିଲେ ମଧ୍ୟ କାରଟି ସଂପୂର୍ଣ୍ଣ ଭାବେ ପୋଡି ପାଉଁଶ ହୋଇଯାଇଥିଲା। ତେବେ ଏହି ଘଟଣା ସଂପର୍କରେ ଏପର୍ଯ୍ୟନ୍ତ କୌଣସି ବ୍ୟକ୍ତି ଥାନାରେ ଅଭିଯୋଗ କରିନଥିବା ବିଷୟ ଥାନାଧିକାରୀ ପ୍ରଭାଂଶୁ ମିଶ୍ର ସୂଚନା ଦେଇଛନ୍ତି। ଏବଂ ଗାଡିଟିର ନମ୍ବରଟିକୁ ଯାଂଚ କରାଯାଇ ତାହାର ମାଲିକ ସଂପର୍କରେ ଅନୁସନ୍ଧାନ କରାଯାଉଥିବାବେଳେ ଗାଡିଟିରେ ଗୋରୁ ଥିଲେ କି ନାହିଁ ଏବଂ ତାହାକୁ କେଉଁମାନେ କେଉଁ ଉଦ୍ଦେଶ୍ୟରେ ଜାଳିଦେଇଛନ୍ତି, ସେ ସଂପର୍କରେ ତଦନ୍ତ ଚାଲିଥିବା ବିଷୟ ଗଣମାଧ୍ୟମକୁ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.