ଭଦ୍ରକ, ୨୫୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଭଗବାନପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ପଳିକିରି ଅଂଚଳରେ ଏକ ନୂତନ ରାସ୍ତା ନିର୍ମାଣକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଭାଗୀୟ ଭୁଲ୍ ନିଷ୍ପତି ଓ ଭୁଲ୍ ସର୍ଭେ ଯୋଗୁଁ ସାଧାରଣ ଜନତା ଉପକୃତ ହେବା ପରିବର୍ତେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରି ଅଂଚଳବାସୀ ଭଦ୍ରକ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଅଂଚଳବାସୀଙ୍କ କହିବା ଅନୁଯାୟୀ, ପିବି ହାଇସ୍କୁଲଠାରୁ ଚିଲପଦୀ ଭାୟା ପଦ୍ମପୋଖରୀ ପର୍ଯ୍ୟନ୍ତ ପ୍ରାୟ ୫ କିଲୋମିଟର ରାସ୍ତା ପାଇଁ ୪ କୋଟି ଟଙ୍କା ମଞ୍ଜୁର ହୋଇଛି। ମାତ୍ର ବିଭାଗୀୟ ଅଧିକାରୀମାନେ ପଦ୍ମପୋଖରୀର ଏକ ବୃହତ ଜଳାଶୟ ଉପରେ ଅନାବଶ୍ୟକ ଭାବେ ରାସ୍ତା ନିର୍ମାଣ ପାଇଁ ଯୋଜନା କରିଛନ୍ତି, ଯାହା ପରିବେଶ ଓ ଜନସାଧାରଣଙ୍କ ସ୍ୱାର୍ଥ ବିରୋଧୀ।ପ୍ରସ୍ତାବିତ ନୂତନ ମାର୍ଗଟି ଏକ ନିଛାଟିଆ ଅଂଚଳ ଦେଇ ଯାଉଥିବାରୁ ଏହା ଅସାମାଜିକ ଲୋକଙ୍କ ଆଡ୍ଡା ସ୍ଥଳୀ ପାଲଟିବା ସହ ଚୋରି ଓ ରାହଜାନୀ ଭଳି ଘଟଣା ବଢ଼ିବାର ଆଶଙ୍କା ରହିଛି।ଗ୍ରାମବାସୀମାନେ ଏକ ବିକଳ୍ପ ରାସ୍ତାର ପ୍ରସ୍ତାବ ଦେଇଛନ୍ତି, ଯାହା ପଳିକିରି ପୁରୁଷୋତମ ଘର ମାଝୀ ସାହିଠାରୁ ଆରମ୍ଭ ହୋଇ ହନୁମାନ ଛକ, ମହାଦେବ ଚିହ୍ନ ଓ ଚିଆଁ ବଜାର ଦେଇ ଦାସ ସାହି ପର୍ଯ୍ୟନ୍ତ ଯିବ। ଏହି ମାର୍ଗରେ ରାସ୍ତା ନିର୍ମାଣ ହେଲେ ପ୍ରାୟ ୧୨ଟି ଗ୍ରାମର ୩୦ଟି ସାହିର ୩୦୦୦ରୁ ଅଧିକ ଜନସାଧାରଣ ସିଧାସଳଖ ଉପକୃତ ହୋଇପାରିବେ। ସାଧାରଣ ଜନତାଙ୍କ ସୁବିଧା ପାଇଁ ପୂର୍ବରୁ ହୋଇଥିବା ପ୍ରସ୍ତାବିତ ସର୍ଭେକୁ ପରିବର୍ତନ କରି ଜନଗହଳିପୂର୍ଣ୍ଣ ସ୍ଥାନ ଦେଇ ନୂତନ ରାସ୍ତା ନିର୍ମାଣ ପାଇଁ ଅଂଚଳବାସୀ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଛନ୍ତି। ଯଦି ଏହି ଦାବି ପୂରଣ ନହୁଏ, ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବାର ସମ୍ଭାବନା ରହିଛି। ସ୍ମାରକପତ୍ର ପ୍ରଦାନ ସମୟରେ ସୁଦର୍ଶନ ମାଝୀ, ପ୍ରଭାକର ବାରିକ, ଅନନ୍ତ ପ୍ରଧାନ, ଗୌରାଙ୍ଗ ଦାଶଙ୍କ ସମେତ ବହୁ ଅଂଚଳବାସୀ ଉପସ୍ଥିତ ଥିଲେ।
Home ଜିଲ୍ଲା ପରିକ୍ରମା ଭୁଲ୍ ସର୍ଭେ ଯୋଗୁଁ ବିବାଦରେ ପଳିକିରି ରାସ୍ତା ନିର୍ମାଣ, ମାର୍ଗ ପରିବର୍ତନ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ...





