ଭଦ୍ରକ, ୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଆ ପକ୍ଷ ପାଳନ ଅବସରରେ ଭଦ୍ରକ ସ୍ଥିତ ପିଏମ୍ ଶ୍ରୀ ବିନ୍ଦୁ ମାଧବ ବାଗୁରାଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ “ବିଦ୍ୟାଳୟ ପ୍ରବେଶ ଓ ଖଡ଼ିଛୁଆଁ ଉତ୍ସବ” ଉତ୍ସାହ ଓ ଆନନ୍ଦମୟ ପରିବେଶରେ ପାଳିତ ହୋଇଯାଇଛି। ଜାତୀୟ ଶିକ୍ଷାନୀତି–୨୦୨୦ ଅନୁସାରେ ପାଂଚବର୍ଷ ବୟସର ଶିଶୁମାନେ ନୂତନ ଭାବେ ଆରମ୍ଭ ହୋଇଥିବା ‘ଶିଶୁ ବାଟିକା’ ଶ୍ରେଣୀରେ ନାମ ଲେଖାଇବାକୁ ଉତ୍ସାହିତ ହେଉଥିବା ବେଳେ ଶିକ୍ଷାବର୍ଷ ଆରମ୍ଭରେ ସେମାନଙ୍କ ମନରେ ବିଦ୍ୟାଳୟ ପ୍ରତି ଆକର୍ଷଣ ଓ ଆଗ୍ରହ ସୃଷ୍ଟି ପାଇଁ ଏହି ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ କୁମାର ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ଭର୍ତି ହୋଇଥିବା ଶିଶୁମାନଙ୍କୁ ପୁଷ୍ପଗୁଚ୍ଛ ସହ ଷ୍ଟଡି କିଟ୍ ବଂଟନ କରିଥିଲେ। ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ ଜଗବନ୍ଧୁ ସାହୁ ସଭାପତିତ୍ୱ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ ଓ ରବିନାରାୟଣ ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମଧୁସ୍ମିତା ମହାପାତ୍ର, ପୌର ଅଧ୍ୟକ୍ଷା ଗୁଲମକୀ ଦଲୱାଜି ହବିବ, ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍କା, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ, ଗୋଷ୍ଠୀ ଶିକ୍ଷାଧିକାରୀ ଚକ୍ରଧର ମଲ୍ଲିକ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ହିମାଦ୍ରୀ ବିଶ୍ୱାଳ, ଡିପିସି ସଂଯୋଜିକା ଇତିଶ୍ରୀ ମ୍ୟାଡାମ୍ ଓ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଉତ୍ସବର ଗୁରୁତ୍ୱ ଉପରେ ଆଲୋକ ପାତ କରିଥିଲେ। ନୂତନ ଭର୍ତି ହୋଇଥିବା ଶିଶୁମାନଙ୍କୁ ଆକର୍ଷଣ ଓ ଉତ୍ସାହ ବୃଦ୍ଧି ପାଇଁ ‘ଖେଳ ଘର’, ‘ରଙ୍ଗ ପସରା’ ଓ ‘ଗପ ରାଇଜ’ ନାମରେ ତିନୋଟି ଷ୍ଟଲ୍ ଖୋଲାଯାଇଥିଲା। ଏହାସହିତ ପାଠପଢ଼ା ଛାଡ଼ିଥିବା ଶିଶୁମାନଙ୍କୁ ପୁନଃ ଶିକ୍ଷାର ମୁଖ୍ୟ ସ୍ରୋତରେ ଆଣିବା ପାଇଁ ‘ଆସ ସ୍କୁଲ୍ ଯିବା–୨.୦’ ଅଭିଯାନ ଅନୁଷ୍ଠିତ ହୋଇ ସେମାନଙ୍କୁ ପାଠ୍ୟପୁସ୍ତକ ବଂଟନ କରାଯାଇଥିଲା। ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ଶିକ୍ଷାକର୍ମଚାରୀ, ଛାତ୍ରଛାତ୍ରୀ, ପିତାମାତା, ଅଭିଭାବକ ଓ ସ୍ଥାନୀୟ ନିବାସୀମାନେ ଯୋଗଦେଇଥିଲେ। ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ବରିଷ୍ଠ ଶିକ୍ଷକ ଶ୍ରୀ ରବିନାରାୟଣ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ ଧନ୍ୟବାଦ ଜଣାଇଥିଲେ। ଶେଷରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ବିଦ୍ୟାଳୟ ପ୍ରବେଶ ଓ ଖଡ଼ିଛୁଆଁ ରଥର ଶୁଭାରମ୍ଭ କରାଯାଇଥିଲା।








