ଭଦ୍ରକ, ୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ଡିଜିଟାଲ୍ ଜନଗଣନା ୨୦୨୬ର ପ୍ରଥମ ପର୍ଯ୍ୟାୟ ସ୍ୱୟଂ-ଗଣନା ଆଜି ଆରମ୍ଭ ହୋଇଛି। ଏହି ପ୍ରକ୍ରିୟା ସରକାରୀ ପୋର୍ଟାଲ୍ (ଏସ.ଇସେନସ.ଜିଓଭି.ଇନ) ମାଧ୍ୟମରେ ସମ୍ପନ୍ନ ହେଉଛି। ଆଜିର ଶୁଭାରମ୍ଭରେ ପ୍ରମୁଖ ଜନଗଣନା ଅଧିକାରୀ ଭାବେ ଜିଲ୍ଲାପାଳ ଦିଲୀପ ରାଉତରାଏ, ମୁଖ ଉନ୍ନୟନ ଅଧିକାରୀ ସୁଭେନ୍ଦ୍ର ସାମଲ, ଅତିରିକ୍ତ ସଚିବ କ୍ରୀଡା ବିଭାଗ ଅଶୋକ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ, ଡେପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଳ, ଡେପୁଟି କଲେକ୍ଟର(ଜନଗଣନା)ପ୍ରମିଳା ମଲ୍ଲିକ, ଶ୍ୱେତାଶ୍ରୀ ମହାପାତ୍ର ଓ ବିଭିନ୍ନ ସ୍ତରର ଅଧିକାରୀମାନେ ଅଂଶଗ୍ରହଣ କରିଛନ୍ତି। ଡିଜିଟାଲ୍ ଜନଗଣନାର ଏହି ପ୍ରଥମ ପର୍ଯ୍ୟାୟରେ ଭଦ୍ରକ ଜିଲ୍ଲାର ଉଚ୍ଚପଦସ୍ଥ ଅଧିକାରୀ ସ୍ୱ-ଗଣନାରେ ଅଂଶଗ୍ରହଣ କରିଛନ୍ତି। ଏହି ଡିଜିଟାଲ୍ ଜନଗଣନାର ବିଶେଷତ୍ୱ ହେଉଛି ଯେ, ଗଣନାକାରୀ ଆଇଡି ତୁରନ୍ତ ପ୍ରସ୍ତୁତ କରାଯିବ ଏବଂ ସାଧାରଣ ଜନତା ମୋବାଇଲ୍ ନମ୍ବର ମାଧ୍ୟମରେ ନିଜ ଘରକୁ ଗଣନା କରିପାରିବେ। ଡିଜିଟାଲ୍ ମାଧ୍ୟମରେ ଏହି ଗଣନା ପ୍ରଥମ ଥର ଆରମ୍ଭ ହୋଇଛି। ଯାହାଫଳରେ ଗଣନା ପ୍ରକ୍ରିୟା ଅଧିକ ସହଜ ଏବଂ ସ୍ୱଚ୍ଛ ହେବ। ଏହି ସ୍ୱ-ଗଣନା ପ୍ରକ୍ରିୟା ୧ ଏପ୍ରିଲରୁ ୧୫ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ, ଯେଉଁଠି ସରକାରୀ ପୋର୍ଟାଲ୍ ମାଧ୍ୟମରେ ଗଣନା କାର୍ଯ୍ୟ ଚାଲିବ। ଭଦ୍ରକ ଜିଲ୍ଲା ଅନ୍ତର୍ଗତ ସମସ୍ତ ଉଚ୍ଚପଦସ୍ଥ ଅଧିକାରୀମାନେ ଏହି ଡିଜିଟାଲ୍ ଗଣନାରେ ଅଂଶଗ୍ରହଣ କରି ଏକ ନୂତନ ଉଦାହରଣ ସୃଷ୍ଟି କରିଛନ୍ତି। ଏହି ଡିଜିଟାଲ୍ ଜନଗଣନା ୨୦୨୬ ର ଶୁଭାରମ୍ଭ ଜନଗଣନା ପ୍ରକ୍ରିୟାରେ ଏକ ନୂତନ ଅଧ୍ୟାୟର ଆରମ୍ଭ କରୁଛି।








