ଭଦ୍ରକ, ୨୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ନିର୍ବାଚନମଣ୍ଡଳୀର ସର୍ବାଙ୍ଗୀନ ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବିଭିନ୍ନ ପଂଚାୟତ ପରିଦର୍ଶନ କରି ଅନେକ ଜନହିତକର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଗୋବିନ୍ଦପୁର ଠାରେ କପାଳି ନଦୀ ଉପରେ ଏଲ୍-୭୧ ରୁ ଇଛାପୁର ରାସ୍ତାରେ ନିର୍ମିତ ନୂତନ ସେତୁ ଲୋକାର୍ପିତ ହୋଇଛି। ଏଥିସହ ଗଢ଼ିଆଳି ପଂଚାୟତରେ ରେବ ନଦୀ ଉପରେ ବହୁ ପ୍ରତୀକ୍ଷିତ କାକୁଡ଼ିଗଡ଼ିଆ ସେତୁର ଶିଳାନ୍ୟାସ କରାଯାଇଛି। ଭଟ୍ଟସାହି ପଂଚାୟତରେ ‘ସେତୁ ବନ୍ଧନ ଯୋଜନା’ରେ କଣ୍ଡିଆ ଓ ଗେଙ୍ଗୁଟି ନଦୀ ଉପରେ ଏକାଧିକ ସେତୁ ଏବଂ ନଦୀ ତଟ ସୁରକ୍ଷା ପ୍ରାଚୀର ନିର୍ମାଣ ପାଇଁ ଭିତିପ୍ରସ୍ତର ସ୍ଥାପନ ହୋଇଛି। ଏହି ପ୍ରକଳ୍ପଗୁଡ଼ିକ ଅଂଚଳରେ ଶିକ୍ଷା ଓ ବାଣିଜ୍ୟର ବିକାଶ ସହ ହଜାର ହଜାର ଲୋକଙ୍କ ଗମନାଗମନ ସମସ୍ୟାର ସ୍ଥାୟୀ ସମାଧାନ କରିବ।ବିଶ୍ୱ ଜଳ ଦିବସ ଅବସରରେ ଖପରପଦା ପଂଚାୟତରେ ‘ଜଳ ଜୀବନ ମିଶନ’ ଅଧୀନରେ ୧.୫ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ପାଣିଟାଙ୍କିର ଉଦଘାଟନ ହୋଇଛି। ‘ଜଳ ଅର୍ପଣ’ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତିଟି ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ସରକାରଙ୍କ ଲକ୍ଷ୍ୟ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ସେହିପରି ଖଡ଼ିପଦା ପଞ୍ଚାୟତରେ ପାଣି ଟାଙ୍କି ଉଦଘାଟନ ସହ ଜଳ ଅର୍ପଣ ଦିବସ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ କୋଠାର ପଞ୍ଚାୟତ ଯାତ୍ରୀ ବିଶ୍ରାମାଗାରଠାରେ ଶୀତଳ ପାନୀୟ ଜଳ ବ୍ୟବସ୍ଥାର ମଧ୍ୟ ଶୁଭାରମ୍ଭ କରାଯାଇଛି। ଗ୍ରାମାଂଚଳରେ ଗୁଣାତ୍ମକ ଚିକିତ୍ସା ପାଇଁ ଅସୁରାଳିଠାରେ ୭୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ‘ଆୟୁଷ୍ମାନ ଆରୋଗ୍ୟ ମନ୍ଦିର’ ଉଦଘାଟିତ ହୋଇଛି। ଏହାସହ ଖଡ଼ି ମାହାରା ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ ଗୃହ ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଛି। ଏହି ସମସ୍ତ କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟଙ୍କ ସମେତ ବିଭାଗୀୟ ଅଧିକାରୀ ଓ ବହୁ ସଂଖ୍ୟାରେ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ। ବିକଶିତ ଧାମନଗର ଗଠନ ଦିଗରେ ଏହି ଅଭିଯାନ ନିରନ୍ତର ଜାରି ରହିବ ବୋଲି ମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସଂଧ୍ୟାରେ ଦୋବଲ କାଳୀ ପଡିଆ ଠାରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ।







