ଭଦ୍ରକ, ୧୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ରାଧାବଲ୍ଲଭପୁର ପଂଚାୟତର ବନ୍ଧଟିଆ ଗ୍ରାମରେ ଜମିଜମା ବିବାଦକୁ କେନ୍ଦ୍ର କରି ତଣାତଣି ତୀବ୍ର ଆକାର ଧାରଣ କରିଛି। ଏହି ବିବାଦକୁ ନେଇ ପୂର୍ବତନ ସେନା କର୍ମଚାରୀ ମୁକ୍ତିକାନ୍ତ ବ୍ରହ୍ମଚାରୀଙ୍କ ଘର ଉପରକୁ ବୋମା ମାଡ଼ ହୋଇଥିବା ନେଇ ଧାମନଗର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟ ଓ ଅସନ୍ତୋଷର ପରିବେଶ ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଧାମନଗର ତହସିଲ ଅଧୀନ ରାଧାବଲ୍ଲଭପୁର ରାଜ୍ୱସ ସର୍କଲ ବନ୍ଧଟିଆ ମୌଜାର ଖାତା ନମ୍ବର ୪୯୮/୨୨ ଅନୁଯାୟୀ ପ୍ଲଟ ନମ୍ବର ୧୦୪୮, ୧୦୪୯, ୧୦୫୯ ଓ ୧୦୪୬/୨୩୭୮ ମୋଟ ୨୨ ଡିସିମିଲ ଜମି ଶ୍ରୀଜଗନ୍ନାଥ ବିଜେ, ପୁରୀଙ୍କ ନାମରେ ରେକର୍ଡ ରହିଛି। ଉକ୍ତ ଜମିର ମାର୍ଫତଦାର ଭାବେ ମୁକ୍ତିକାନ୍ତ ବ୍ରହ୍ମଚାରୀ ନିଜକୁ ଦାବି କରିଛନ୍ତି। ସ୍ଥାନୀୟ ସୂଚନା ଅନୁସାରେ, ଏହି ଅଂଚଳରେ ପ୍ରାୟ ୯୯ ଏକର ଜମି ଶ୍ରୀଜଗନ୍ନାଥଙ୍କ ନାମରେ ରହିଥିବାବେଳେ ବର୍ଷୋଧିକ ଧରି ଗ୍ରାମବାସୀମାନେ ମାର୍ଫତଦାର ଭାବେ ବ୍ୟବହାର କରୁଥିବା କୁହାଯାଉଛି। ଅନ୍ୟପଟେ ମୁକ୍ତିକାନ୍ତ ବ୍ରହ୍ମଚାରୀଙ୍କ ଦାବି ଅନୁଯାୟୀ, ଉକ୍ତ ପ୍ଲଟଗୁଡ଼ିକ ପୂର୍ବପୁରୁଷ କାଳରୁ ତାଙ୍କ ବଂଶଜଙ୍କ ଘରବାଡ଼ି ଭାବେ ରେକର୍ଡ ରହିଆସିଛି। କିନ୍ତୁ ବନ୍ଧଟିଆ ଗଣେଶ କମିଟି ଓ ମଠ ପକ୍ଷର କିଛି କର୍ମକର୍ତା ଏହି ଜମିକୁ ମଠର ସମ୍ପତି ବୋଲି ଦାବି କରି ମୁକ୍ତିକାନ୍ତ ନିଜ ନାମରେ କରିନେଇଥିବା ଅଭିଯୋଗ ଉଠାଇଥିବାରୁ ଦୁଇ ପକ୍ଷ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଚାଲିଆସୁଛି। କିଛି ଦିନ ପୂର୍ବେ ଗଣେଶ ମଠ କମିଟି ପକ୍ଷରୁ ମଠ ପରିସରରେ ହୋଇଥିବା ବୈଠକରେ ମୁକ୍ତିକାନ୍ତ ବ୍ରହ୍ମଚାରୀ ଜମି ସମ୍ପର୍କିତ କାଗଜପତ୍ର ପ୍ରଦର୍ଶନ କରିଥିଲେ। କିନ୍ତୁ ବିପକ୍ଷ ପକ୍ଷରୁ କୌଣସି ସ୍ପଷ୍ଟ ପ୍ରମାଣ ଦିଆଯାଇନଥିବା ସତ୍ୱେ ତାଙ୍କ କାଗଜପତ୍ରକୁ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି। ଏହା ପରେ ପରିସ୍ଥିତି ତୀବ୍ର ହୋଇ ଗତ ଦୁଇ ଦିନ ଧରି କିଛି ଅଜଣା ଦୁର୍ବୃର୍ତ ମୁକ୍ତିକାନ୍ତଙ୍କ ବାଡ଼ ଜାଳିଦେବା ସହ ଘର ଉପରକୁ ବୋମା ମାଡ଼ କରିଥିବା ନେଇ ସେ ଅଭିଯୋଗ କରିଛନ୍ତି। ଘଟଣାରେ କେହି ଆହତ ହୋଇନଥିଲେ ମଧ୍ୟ ଗ୍ରାମରେ ଭୟଭୀତ ପରିସ୍ଥିତି ସୃଷ୍ଟି ହୋଇଛି। ଏନେଇ ମୁକ୍ତିକାନ୍ତ ବ୍ରହ୍ମଚାରୀ କହିଛନ୍ତି, “ମୁଁ ଦେଶର ସୀମା ସୁରକ୍ଷା କରି ଫେରିଛି, କିନ୍ତୁ ଆଜି ମୋ ଘର ଓ ଜମିର ସୁରକ୍ଷା ନାହିଁ।” ଘଟଣା ସମ୍ପର୍କରେ ଧାମନଗର ଥାନାରେ ଲିଖିତ ଅଭିଯୋଗ ହୋଇଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ଓ ଅଂଚଳରେ ଶାନ୍ତି ବଜାୟ ରଖିବା ପାଇଁ ପେଟ୍ରୋଲିଂ ବଢ଼ାଇଦିଆଯାଇଛି। ଏହା ସହିତ ମୁକ୍ତିକାନ୍ତ ବ୍ରହ୍ମଚାରୀ ଜିଲ୍ଲା ଅବସରପ୍ରାପ୍ତ ସେନା କର୍ମଚାରୀ ସଂଘକୁ ମଧ୍ୟ ଅବଗତ କରିଥିବା ବେଳେ ସଂଘ ପକ୍ଷରୁ ପୋଲିସ ସହ ଯୋଗାଯୋଗ କରାଯାଇଥିବା ସୂଚନା ମିଳିଛି। ଘଟଣା ପରେ ଅଂଚଳରେ ତଣାତଣି ଜାରି ରହିଥିବାରୁ ପ୍ରଶାସନଙ୍କ ତତ୍କାଳ ହସ୍ତକ୍ଷେପ ଦାବି କରିଛନ୍ତି ସ୍ଥାନୀୟ ଲୋକେ।








