Home ଜିଲ୍ଲା ପରିକ୍ରମା କବିଶେଖର ଚିନ୍ତାମଣିଙ୍କ ୧୫୯ତମ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ,ଓଡ଼ିଆ ସାହିତ୍ୟର ଇତିହାସରେ କବିଶେଖର ଚିନ୍ତାମଣିଙ୍କ ସ୍ୱାକ୍ଷର ଅମ୍ଳାନ

କବିଶେଖର ଚିନ୍ତାମଣିଙ୍କ ୧୫୯ତମ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ,ଓଡ଼ିଆ ସାହିତ୍ୟର ଇତିହାସରେ କବିଶେଖର ଚିନ୍ତାମଣିଙ୍କ ସ୍ୱାକ୍ଷର ଅମ୍ଳାନ

4

ଭଦ୍ରକ, ୧୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଓଡ଼ିଆ ଭାଷା ସାହିତ୍ୟର ଇତିହାସ ଚିରକାଳ ପାଇଁ କବିଶେଖର ଚିନ୍ତାମଣି ମହାନ୍ତିଙ୍କ ପ୍ରତିଭା ଓ ସାଧନାକୁ ସମ୍ମାନ ଦେଉଥିବ । ଅଣ ଓଡ଼ିଆଙ୍କ କବଳରେ ଓଡ଼ିଆ ଭାଷା ଯେତେବେଳେ ତଳିତଳାନ୍ତ ହୋଇଯିବାକୁ ବସିଥାଏ, ସେତେବେଳେ ଓଡ଼ିଆ ଭାଷାର ମର୍ଯ୍ୟାଦା ବଜାୟ ରଖିବା ଦିଗରେ ଭାଷାପ୍ରେମୀ ସାରସ୍ୱତ ସାଧକ କବିଶେଖର ଚିନ୍ତାମଣିଙ୍କ ଭୂମିକା ଥିଲା ଅତୁଳନୀୟ । ବିଭିନ୍ନ ପତ୍ରପତ୍ରିକା ସଂପାଦନା ଓ ସାମ୍ବାଦିକତା ସମୟରେ ସେ ଓଡ଼ିଆ ଭାଷାର ତ୍ରାଣକର୍ତ୍ତା ଭାବେ ଯେଭଳି ଅଣ୍ଟା ଭିଡ଼ିଥିଲେ, ତାହା ସ୍ମରଣୀୟ । ଲେଖକ ଜୀବନର ଆଦ୍ୟ କାଳରେ ଅନେକ ରସୋତ୍ତୀର୍ଣ୍ଣ କାବ୍ୟକୁ ରଚନା କଲାପରେ ଟଙ୍କାଗଛ, ଯୁଗଳମଠ, ଶନିସପ୍ତାହ, ବୁଲାଫକୀର ଓ ରୁପାଚୁଡ଼ି ଭଳି ଉପନ୍ୟାସ ଲେଖି ପ୍ରଖ୍ୟାତ ଔପନ୍ୟାସିକ ଭାବେ ଓଡ଼ିଆ ସାହିତ୍ୟରେ ପ୍ରତିଭାତ ହୋଇଥିଲେ । ତାଙ୍କ ସୃଷ୍ଟ ୫୨ଟି କାବ୍ୟରେ ଓଡ଼ିଶାର ଭୂଗୋଳ, ଇତିହାସ, ପ୍ରକୃତି ଓ ସଂସ୍କୃତିର କାବ୍ୟୋଚିତ ସ୍ଫୁରଣ ଘଟିଥିଲା ବେଳେ ମହାଭାରତୀୟ ଆଦର୍ଶର ଯେପରି ସମନ୍ୱୟ ଘଟିଛି, ଉପନ୍ୟାସ ରାଜିର ଅବକ୍ଷୟମୁଖୀ କୁସଂସ୍କାରପୂର୍ଣ୍ଣ ସମାଜବ୍ୟବସ୍ଥାକୁ ସଂସ୍କାରିତ କରିବାର ଲେଖକୀୟ ଅଭିପସା ପ୍ରତ୍ୟକ୍ଷ କରିହୁଏ ବୋଲି କବିଶେଖର ଚିନ୍ତାମଣି ମହାନ୍ତିଙ୍କ ୧୫୯ତମ ଜୟନ୍ତୀ ସମାରୋହରେ ମତ ପ୍ରକାଶ ପାଇଛି । ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଭଦ୍ରକ ପୂଜ୍ୟପୂଜା ସଂସଦ ଆନୁକୂଲ୍ୟରେ ସଂସ୍କୃତି ଭବନଠାରେ ଅନୁଷ୍ଠିତ ଏହି ସମାରୋହକୁ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ଉଦ୍‌?ଘାଟନ କରିଥିଲେ । ସାଧକର ଜୀବନ ଦୁଃଖମୟ ଏବଂ ସେହି ବ୍ୟଥାଦଗ୍ଧ ପ୍ରାଣରେ ବି ବିଶ୍ୱପାଇଁ କେତେ ଦରଦ ପ୍ରକାଶ ପାଇପାରେ, ତାହାହିଁ ହେଉଛି ଚିନ୍ତାମଣିଙ୍କ ସାଧନାମୟ ଜୀବନର ସାକ୍ଷ୍ୟ ବୋଲି କହିଥିଲେ । ମୁଖ୍ୟବକ୍ତା ଖ୍ୟାତିସମ୍ପନ୍ନ କଥାକାର ପବିତ୍ର ପାଣିଗ୍ରାହୀ କହିଲେ ଯେ କବିଶେଖର ଚିନ୍ତାମଣି ଯେଭଳି ପ୍ରତିଭାର ଅଧିକାରୀ, ତାଙ୍କୁ ସେତିକି ଉଚ୍ଚ ସମ୍ମାନରେ ବସାଇବା ଓଡ଼ିଶାବାସୀଙ୍କ କର୍ତ୍ତବ୍ୟ । ଅକଥନୀୟ ବେଦନା ଭିତରେ ବି ସାହିତ୍ୟ ସାଧନା କରି ଓଡ଼ିଆ କାବ୍ୟ ସାହିତ୍ୟକୁ ୪୮ ଖଣ୍ଡ କାବ୍ୟ, ଓଡ଼ିଆ କଥା ସାହିତ୍ୟକୁ ୫ଟି ଉପନ୍ୟାସ, ୩ଟି ଦୀର୍ଘ ଗଳ୍ପ ଓ ଜୀବନ ସାହିତ୍ୟକୁ ଅନବଦ୍ୟ ଆତ୍ମଜୀବନୀ ଗ୍ରନ୍ଥ ଦେଇଯାଇଛନ୍ତି । ସମ୍ମାନିତ ବକ୍ତା ଭାବେ ଗବେଷକ ଶିକ୍ଷାବିତ୍ କୃପାସିନ୍ଧୁ ନାୟକ କବିଶେଖର ଚିନ୍ତାମଣିଙ୍କୁ ବହୁମୁଖୀ ପ୍ରତିଭାର ଅଧିକାରୀ ଭାବେ ପ୍ରତିପାଦନ କରି ଓଡ଼ିଆ ଭାଷାର କାବ୍ୟ କବିତା, ଉପନ୍ୟାସ ଓ ପ୍ରବନ୍ଧ କ୍ଷେତ୍ରରେ ସେ ତାଙ୍କ ନିରବଚ୍ଛିନ୍ନ ସାଧନାର ପରିଚୟ ଲିପିବଦ୍ଧ କରିଯାଇଛନ୍ତି ବୋଲି ମତ ଦେଇଥିଲେ । ଅଧ୍ୟାପକ ଦତ୍ତାତ୍ରେୟ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ସମାରୋହରେ ପୂଜ୍ୟପୂଜା ସଂସଦର ସଂପାଦକ ରୂପକ ବିହାରୀ ରାୟ ସ୍ୱାଗତ ଭାଷଣ ପ୍ରସଙ୍ଗରେ କବିଶେଖରଙ୍କ କାଳଜୟୀ ସୃଷ୍ଟି ଆଜିର ଯୁବପିଢ଼ି ପାଇଁ ଆଦର୍ଶ ବୋଲି କହିଥିଲେ । ସହ ସଂପାଦକ ପ୍ରକୃତିବଂଧୁ ବୈକୁଣ୍ଠ ବିଶ୍ୱାଳ ମଂଚ ଆମନ୍ତ୍ରଣ ଓ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ, ଯୁବ ଲେଖକ ସଂଗ୍ରାମ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ । ଅଜୟ ନାୟକ, ଗୋବର୍ଦ୍ଧନ ସାମଲ, ସୁଧାକର ରାଉତ, ପୁରୁଷୋତ୍ତମ ନାଥ, ଦମୟନ୍ତୀ ନାଥ, କୈଳାସ ମହାପାତ୍ର, ପଦ୍ମନ ରାୟ, ମନୋଜ ସ୍ୱାଇଁ, ମନୋରମା ରାୟ, ବାବୁଲାଲ ଦାସ, ରମେଶ ଦାସ, ବିପ୍ଳବ ହୋତା, ଅରୂପାନନ୍ଦ ନାୟକ, ପ୍ରୀତିଲତା ପଣ୍ଡା, ଅଂଶୁମାନ ସ୍ୱାଇଁ, ଶରତ ଜେନା, ଶାନ୍ତନୁ ରାଉତ, ଦୀପ୍ତିମୟୀ ସାହୁ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.