ଭଦ୍ରକ, ୧୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକର ରାମକୃଷ୍ଣପୁର ଗ୍ରାମ ପଂଚାୟତର ସମସ୍ତ ଚାଷୀ ଓ ଭାଗଚାଷୀ ମାନଙ୍କ ଠାରୁ ସରକାର ପ୍ରତ୍ୟେକ୍ଷ ଧାନ କିଣିବା,ଧାନକିଣାରେ କଟଣି ଛଟଣି ବଂଦ କରିବା, ସରକାରୀ ଘୋଷଣା ମୁତାବକ ପ୍ରତ୍ୟେକ ବୃଦ୍ଧ ବୃଦ୍ଧା, ବିଧବା,ଭିନ୍ନକ୍ଷମ ମାନଙ୍କୁ ମାସିକ ଭତା ୩୦୦୦ ଟଙ୍କା ପ୍ରଦାନ କରିବା, ରାମକୃଷ୍ଣପୁର ଗ୍ରାମ ପଂଚାୟତର ସମସ୍ତ ଚାଷଜମିର ଜଳସେଚନ, ବନ୍ତ ବ୍ଲକରେ ଜାଳେଣି ଗ୍ୟାସର କୃତ୍ରିମ ଅଭାବ ବଂଦ କରିବା, ଯୁକ୍ତରାଷ୍ଟ୍ର ଆମେରିକା- ଇସ୍ରାଏଲ ପକ୍ଷରୁ ଇରାନ ଉପରେ ହେଉଥିବା ବର୍ବର ନରହତ୍ୟା ଘଟଣାରେ ଭାରତ ସରକାର ଇରାନ ସପକ୍ଷରେ ନିଜର ମତ ସ୍ପଷ୍ଟ କରିବା, ଯୁକ୍ତରାଷ୍ଟ୍ର ଆମେରିକା ପାଖରୁ ଭାରତର ସାର୍ବଭୌମତ୍ୱକୁ ସୁରକ୍ଷା ଦେବା ଆଦି ଦାବି ନେଇ ଓଡିଶା କୃଷକ ସଭା ପକ୍ଷରୁ ଏକ ସାଧାରଣ ବୈଠକ କୃଷକ ନେତା ପଦ୍ମନାଭ ତିଆଡିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଓଡିଶା କୃଷକ ସଭା ରାଜ୍ୟ ଯୁଗ୍ମ ସଂପାଦକ ବିକାଶ ନାଥ, ଜିଲ୍ଲା ସଭାପତି ଚନ୍ଦ୍ରଶେଖର ନାୟକ, ଜିଲ୍ଲା ସଂପାଦକ ପ୍ରଭାସ ମହାପାତ୍ର, କୃଷକ ନେତା ବୀରସେନ ଯେନା ପ୍ରମୁଖ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷୀ ବିରୋଧୀ ନୀତି ବିରୁଦ୍ଧରେ ଆଲୋଚନା କରିଥିଲେ । ଗତ ୧୨ ବର୍ଷ ଭିତରେ ପୁଞ୍ଜିପତି ମାନଙ୍କୁ ମୋଦି ସରକାର ୧୬ ଲକ୍ଷ କୋଟି ଟଙ୍କା ଋଣଛାଡ଼ କରିଥିବା ବେଳେ ଚାଷୀ ମାନଙ୍କୁ ଟଙ୍କାଟିଏ ଋଣଛାଡ଼ କରିନଥିବାରୁ ଚାଷୀମାନେ ଋଣଯନ୍ତାରେ ପଡି ଋଣସୁଝିନପାରିବାରୁ ୩ ଲକ୍ଷ ୨୮ ହଜାର ଚାଷୀ ଆତ୍ମହତ୍ୟା କରିଛନ୍ତି ବୋଲି କୃଷକ ନେତା ମାନେ ପ୍ରକାଶ କରିଥିଲେ । ଚାଷୀ ଆତ୍ମହତ୍ୟା ରୋକିବା ପାଇଁ ସରକାର ଚାଷୀ ଓ ଭାଗଚାଷୀ ମାନଙ୍କ ସମସ୍ତ କୃଷି ଋଣ ଓ ମହାଜନୀ ଋଣ ଛାଡ କରିବାକୁ ବୈଠକ ମାଧ୍ୟମରେ ନିବେଦନ କରିଥିଲେ । ଓଡିଶାରେ ୨୦୨୪ ଫେବୃଆରୀ ରୁ ୨୦୨୬ ଫେବୃଆରୀ ପର୍ଯ୍ୟନ୍ତ କୃଷି ଋଣ ସୁଝି ନପାରି ପ୍ରାୟ ୬୦୦ ଚାଷୀ ଆତ୍ମହତ୍ୟା କରିଛନ୍ତି ବୋଲି ଚାଷୀ ନେତା ମାନେ ପ୍ରକାଶ କରିଥିଲେ । ଆଗାମୀ ଦିନରେ ଚାଷୀ ମାରଣ ନୀତି ବିରୁଦ୍ଧରେ ରାମକୃଷ୍ଣପୁର ଗ୍ରାମ ପଂଚାୟତର ସମସ୍ତ ଚାଷୀ ଓ ଭାଗଚାଷୀ ମାନେ ଓଡିଶା କୃଷକ ସଭା ବ୍ୟାନର ତଳେ ଏକଜୁଟ ହୋଇ ଲଢେଇ କରିବାକୁ ଚାଷୀ ନେତୃବୃନ୍ଦ ଆହ୍ୱାନ ଜଣାଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଚାଷୀ ରବିନ୍ଦ୍ର ଜେନା, ସୂର୍ଯ୍ୟମଣି ଦାସ, ଭୀମସେନ ମାଝୀ, ଖଗେଶ୍ୱର ବେହେରା, ଅଚ୍ୟୁତାନନ୍ଦ ସେଠୀ, ଚକ୍ରଧର ବେହେରା, ଅଜୟ ଦାସ, ଆନନ୍ଦ ବାରିକ୍, ସୁଦର୍ଶନ ମାଝୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।








