Home ଜିଲ୍ଲା ପରିକ୍ରମା ଚାନ୍ଦବାଲିର ଏକମାତ୍ର ନାବିକ ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ଆଦାନୀ ହାତକୁ ଟେକିଦେବେ ରାଜ୍ୟ ସରକାର, ଆନ୍ଦୋଳନାତ୍ମକ ପନ୍ଥା...

ଚାନ୍ଦବାଲିର ଏକମାତ୍ର ନାବିକ ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ଆଦାନୀ ହାତକୁ ଟେକିଦେବେ ରାଜ୍ୟ ସରକାର, ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବେ ବୁଦ୍ଧିଜୀବୀ

3

ଭଦ୍ରକ, ୧୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ଥାନୀୟ ଚାନ୍ଦବାଲିରେ ଥିବା ଓଡ଼ିଶାର ଏକମାତ୍ର ସରକାରୀ ନାବିକ ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ଘରୋଇକରଣ କରିବାକୁ ମନସ୍ଥ କରିଛନ୍ତି ରାଜ୍ୟ ସରକାର। ଏହାର ସମସ୍ତ ଦାୟିତ୍ୱ ଆଦାନୀ କମ୍ପାନୀକୁ ଦେବାକୁ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରସ୍ତୁତିର ଶେଷ ପର୍ଯ୍ୟାୟରେ ପହଂଚିଛି। ଗତ ଫେବ୍ରୁଆରୀ ୨୦ରେ ଚିଠି ନଂ ୮୧୧/୨୬ ବଳରେ ନାବିକ ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ଆଦାନୀ ହାତକୁ ଟେକିଦିଆଯିବ ବୋଲି ସ୍ପଷ୍ଟ ଉଲ୍ଲେଖ କରାଯାଇଛି। ରାଜ୍ୟ ସରକାର ଓ ଆଦାନୀ ମଧ୍ୟରେ ଏମ୍‌ଓୟୁ ସରିଥିବା ମଧ୍ୟ ଜଣାପଡିଛି। ଆଦାନୀ ସ୍କିଲ ଡେଭଲଫି ସେଂଟର (ଏଏସ୍‌ଡିସି) ପବ୍ଲିକ୍ ପ୍ରାଇଭେଟ ପାର୍ଟନରସିପ୍‌(ପିପିପି) ମୋଡ୍‌?ରେ ଅଧିଗ୍ରହଣ କରାଯିବ ବୋଲି ଏଥିରେ ସ୍ପଷ୍ଟ ଉଲ୍ଲେଖ ରହିଛି। ଏନେଇ ଡାଇରେକ୍ଟୋରେଟ ଅଫ ପୋର୍ଟ ଏଣ୍ଡ ଇନ୍‌ଲ୍ୟାଣ୍ଡ ୱାଟର ଟ୍ରାନ୍ସପୋର୍ଟ ଓଡ଼ିଶା ପକ୍ଷରୁ ଉଦ୍ୟମ କରାଯାଇଛି। ୧୯୭୯ ମସିହାରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲା ଓ ବର୍ଭମାନ ଭଦ୍ରକ ଜିଲ୍ଲା ଅନ୍ତର୍ଗତ କଳିଙ୍ଗ ପ୍ରବେଶ ପଥ ବନ୍ଦର ସହର ଚାନ୍ଦବାଲିରେ ଏହି ନାବିକ ପ୍ରଶିକ୍ଷଣ ପ୍ରତିଷ୍ଠାନ ସ୍ଥାପିତ ହୋଇଥିଲା। ଏଠାରୁ ପ୍ରଶିକ୍ଷଣ ନେଇ ଓଡ଼ିଶାର ବିଭିନ୍ନ ଅଂଚଳର ପ୍ରଶିକ୍ଷାର୍ଥୀ ଟ୍ରଲର, ମୋଟର ଲଂଚ, ଜାହାଜ ଆଦିରେ ଚାକିରି କରି ଜୀବନ ଜୀବିକା ନିର୍ବାହ କରିଆସୁଛନ୍ତି। ପ୍ରାକୃତିକ ଦୂର୍ବିପାକରେ ମଧ୍ୟ ଏଠାରୁ ପ୍ରଶିକ୍ଷଣ ନେଇଥିବା ବ୍ୟକ୍ତିମାନେ ବିଭିନ୍ନ ପ୍ରଶମନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଏହି ସଂସ୍ଥାର ପ୍ରମାଣପତ୍ର ନୌବାଣିଜ୍ୟ, ପ୍ରତିରକ୍ଷା, ବନ୍ଦର ବିଭାଗର ବିଭିନ୍ନ ଚାଳକ ଶିକ୍ଷାଗତ ଯୋଗ୍ୟତାର ଏକମାତ୍ର ମାପକାଠି ସଦୃଶ ପରିଗଣିତ ହେଇ ଆସୁଥିଲା। ଦୀର୍ଘ ୪୭ ବର୍ଷଧରି ଏହି ପ୍ରତିଷ୍ଠାନ ବେକାର ଯୁବକ ଯୁବତୀ ମାନଙ୍କର ଜୀବନ ଜୀବିକାର ଏକମାତ୍ର ସାହାରା ପାଲଟିଥିଲା। ଏଠାରେ ରୋଜକାରକ୍ଷମ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରଦାନ କରାଯାଏ। ଏଠାରେ ଗ୍ରୀଷ୍ମକଳୀନ ୩ ମାସିଆ କୋର୍ସରେ ୨୦ ଜଣ ଓ ୧୦ ମାସିଆ କୋର୍ସରେ ୩୦ ଜଣଙ୍କୁ ପ୍ରଶିକ୍ଷଣ ଦିଆଯାଇଥାଏ। ପ୍ରଶିକ୍ଷଣ ନେଉଥିବା ପ୍ରଶିକ୍ଷାର୍ଥୀଙ୍କୁ ଆଗରୁ ମାତ୍ର ଶହେଟଙ୍କା ଷ୍ଟାଇପେଂଟ ମିଳୁଥିବାବେଳେ ଏବେ ଏହାର ପରିମାଣ ୨ ହଜାର ଟଙ୍କା ମାସିକ ବୃଦ୍ଧି କରାଯାଇଛି। ମାତ୍ର ଏଠାରେ ସ୍ଥାୟୀ ଅଧକ୍ଷ ନଥିବା ବେଳେ ବିଭିନ୍ନ ଅଧାପକ ପଦବି ଖାଲିପଡ଼ିଛି । ଆସ୍ଥାୟୀ ଭାବରେ ମାତ୍ର ୫ ଜଣ ଅସ୍ଥାୟୀ ଅଧ୍ୟାପକଙ୍କୁ ନିଯୁକ୍ତି ମିଳିଛି। ବିଭିନ୍ନ ସମୟରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାରଙ୍କ ନୌବାଣିଜ୍ୟ ଓ ପରିବହନ ବିଭାଗ ଏଠାରେ ତିରେକ୍ଟର ଜେନେରାଲ ଅଫ୍ ସିପିଂ (ଡି.ଜି.ସି.ପିଂ) କୋର୍ସ ପାଠ୍ୟକ୍ରମ ପ୍ରଚଳନ ପାଇଁ ସରକାରୀ ପଦକ୍ଷେପ ନେଇ ପ୍ରାୟ ୧୦ ଏକର ଜମି ପାଇକରାପୁର ମୌଜାରେ ଯୋଗାଇ ଦେଇ ପ୍ରାଚୀର ନିର୍ମାଣ କରିଛନ୍ତି। ଭିତିଭୂମିର ବିକାଶ ପୂର୍ଣ୍ଣାଙ୍ଗ ନ ହେଉଣୁ ଓ ଡି.ଜି ଫି କୋର୍ସ ଆରମ୍ଭ ପୂର୍ବରୁ ୨୦୨୫ ମସିହାରେ ଆଦାନୀ କମ୍ପାନୀକୁ ଦାୟିତ୍ୱ ହସ୍ତାନ୍ତର କରିବାକୁ ମସୁଧା ଆରମ୍ଭ କରିଥିଲେ। ରାଜ୍ୟ ସରକାର ଆଦାନୀ ସହିତ ଚୁକ୍ତିପତ୍ର ମଧ୍ୟ କରିଥିବା ଜଣାଯାଇଛି। ଆସନ୍ତା ଶିକ୍ଷାବର୍ଷଠାରୁ ଆଦାନୀ କମ୍ପାନୀ କର୍ତୃପକ୍ଷଙ୍କୁ ଶିକ୍ଷା ଓ ଶୈକ୍ଷିକ ବ୍ୟବସ୍ଥା ଆରମ୍ଭ କରାଯିବ ବୋଲି ଚୁକ୍ତି ପତ୍ରରେ ଉଲ୍ଲେଖ କରାଯାଇଛି। ଅପରପକ୍ଷରେ ଏହି ଚୁକ୍ତିପତ୍ର ବାତିଲ କରିବା ପାଇଁ ଚାନ୍ଦବାଲି ଅଂଚଳର ଐତିହ୍ୟ ବିଶାରଦ, ବୁଦ୍ଧିଜୀବୀ, ସମାଜସେବୀ, ଶିକ୍ଷାବିତ୍ ଓ ଚାନ୍ଦବାଲିର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ । ଆମ୍ବେଦକର ଦଳିତ ଓ ଅନଗ୍ରସର ମଂଚର ସମ୍ପାଦକ ପ୍ରଫୁଲ୍ଲ କୁମାର ଦାସ ମତବ୍ୟକ୍ତ କରିଛନ୍ତି। ରାଜ୍ୟ ସରକାରଙ୍କ ନିଷ୍ପତି ପ୍ରତ୍ୟାହାର କରିବାକୁ ଚାନ୍ଦବାଲି ବାସୀଙ୍କ ପକ୍ଷରୁ ଦୃଢ଼ ଦାବି କରାଯାଉଛି. ଆବଶ୍ୟକ ପଡିଲେ ଚାନ୍ଦବାଲିର ସ୍ୱାର୍ଥ ପାଇଁ ଆନ୍ଦୋଳନ କରାଯିବ ବୋଲି ସୂଚନା ମିଳିଛି। ଚାନ୍ଦବାଲି ବିଧାୟକ ଡ.ବ୍ୟୋମକେଶ ରାୟ ରାଜ୍ୟ ସରକାରଙ୍କ ନିଷ୍ପତି ବିରୋଧରେ ଓଡ଼ିଶା ବିଧାନସରରେ ପ୍ରଶ୍ନ କରିବା ସଙ୍ଗେ ସଙ୍ଗେ ଆଦାନୀକୁ ନ ଦେବାକୁ ଉଦ୍ୟମ କରିବେ ବୋଲି କହିଛନ୍ତି.ବାଣିଜ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଦୀର୍ଘ ଦିନ ହେବ ଏହି ନାବିକ ପ୍ରଶିକ୍ଷଣ ପ୍ରତିଷ୍ଠାନ ଅବହେଳିତ ହୋଇ ପଡ଼ିଥିଲା. ଡି.ଜି.ସି.ଫି ବିଭାଗ ଅନୁଯାୟୀ ସମସ୍ତ କାର୍ଯ୍ୟ ହେବାପରେ ମଧ୍ୟ ସମ୍ପୃକ୍ତ ବିଭାଗ କୌଣସି ପଦକ୍ଷେପ ନେଇନାହିଁ। ଫଳରେ ରାଜ୍ୟ ସରକାର ବାଧ୍ୟ ହୋଇ ଏହି ପ୍ରତିଷ୍ଠାନକୁ ଆଦାନୀ କର୍ତୃପକ୍ଷଙ୍କୁ ପରିଚାଳନା କରିବା ଲାଗି ଚୁକ୍ତିପତ୍ର ସ୍ୱାକ୍ଷରିତ କରିସାରିଛନ୍ତି। ଚଳିତ ମାର୍ଚ୍ଚ ସୁଦ୍ଧା ଏହା ଆଦାନୀ ହାତକୁ ହସ୍ତାକ୍ଷର କରାଯିବ। ମାତ୍ର ଯେଉଁ ପରିଚାଳନା କମିଟି ରହିବ ସେଥିରେ ବାଣିଜ୍ୟ ବିଭାଗ ଓ ଭଦ୍ରକ ଜିଲ୍ଲାପାଳ ପ୍ରମୁଖ ରହିବେ. ଆଦାନୀ କର୍ତୃପକ୍ଷ ଏହି ନାବିକ ପ୍ରଶିକ୍ଷଣ ପ୍ରତିଷ୍ଠାନର ସ୍ଥାୟୀ ପ୍ରଶିକ୍ଷକ ରଖିବା ସହ ଡି.ଜି.ସି.ପିଂ.ର ସମସ୍ତ ପାଠକ୍ରମରେ ପ୍ରଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣ ଦିଆଯିବ। ଏହାଦ୍ୱାରା ପ୍ରଶିକ୍ଷାର୍ଥୀମାନେ ଅନ୍ତରାଷ୍ଟ୍ରୀୟ ଜାହାଜ କମ୍ପାନୀର ନାବିକ ହୋଇପାରିବେ। ଆଦାନୀ କର୍ତୃପକ୍ଷ ସ୍ଥାନୀୟ ଅଂଚଳର ଉନ୍ନତି ପାଇଁ ନାବିକ ପ୍ରଶିକ୍ଷଣ ପ୍ରତିଷ୍ଠାନର ସମସ୍ତ ଦାୟିତ୍ୱ ସୁଚାରୁ ରୂପେ ତୁଲାଇବେ ବୋଲି କହିଛନ୍ତି। ତେବେ ଅବହେଳା ପାଇଁ ଦାୟୀ କିଏ ଓ ଦାୟିତ୍ୱ କାହାର ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି। ଅତିଥି ଅଧ୍ୟାପକ ଭାବରେ ଯେଉଁ ମାନଙ୍କୁ ରଖାଯାଉଛି ବାସ୍ତବରେ ସେମାନେ ଦିନ ମଜୁରିଆ ଭାବରେ କାର୍ଯ୍ୟ କରୁଛନ୍ତି। ରେଷେୟା ଜଣେ, ସୁଇପର, ଜଗୁଆଳୀ, ଅବସରପ୍ରାପ୍ତ କିରାଣୀଙ୍କ ଭଳି ମାତ୍ର ୩ ଜଣ ସ୍ଥାୟୀ କର୍ମଚରୀ ଅଛନ୍ତି। ଜଣେ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ କାର୍ଯ୍ୟ ନିର୍ବାହ କରୁଛନ୍ତି। ଏହି ପ୍ରସଙ୍ଗ ଉପରେ ବିଭାଗୀୟ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଦୃଷ୍ଟି ଅକର୍ଷଣ କରାଯିବ ବୋଲି ବୁଦ୍ଧିଜିବୀ ମହଲରେ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.