ଭଦ୍ରକ, ୧୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଅର୍ଜୁନପୁର ପଂଚାୟତ ର ବାଲିପାଟଣା ନିକଟସ୍ତ ମଠସାହି ଗ୍ରାମରେ ପବିତ୍ର ବୈତରଣୀ ନଦୀ କୂଳରେ ଅବସ୍ଥିତ ଶ୍ରୀ ଶ୍ରୀ ବାବା ନାଗେଶ୍ୱର ଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅତ୍ୟନ୍ତ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଶେଷ ହୋଇଯାଇଛି। ଚଳିତ ମାସ ୯ ତାରିଖରୁ ଆରମ୍ଭ ହୋଇ ୧୨ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ଭକ୍ତି ମୟ କାର୍ଯ୍ୟକ୍ରମରେ ସମଗ୍ର ଅଂଚଳ ଉତ୍ସବମୁଖର ହୋଇଉଠିଥିଲା ।୯ ତାରିଖ ପ୍ରଥମ ଦିବସ ଶାସ୍ତ୍ରୀୟ ବିଧି ଅନୁଯାୟୀ ନୀତି ନିର୍ଧାରଣ, ମଣ୍ଡଳଧିବାସ ଓ ଅଙ୍କୁର ରୋପଣ କାର୍ଯ୍ୟ ସହ ଅଧିବାସ କର୍ମ ସମ୍ପନ୍ନ ହୋଇଥିଲା।୧୦ ତାରିଖ ଦ୍ୱିତୀୟ ଦିବସ ଏକ ଭକ୍ତିମୟ ପରିବେଶରେ ସଂକୀର୍ତନ ମାଧ୍ୟମରେ ମହିଳାମାନଙ୍କ ଦ୍ୱାରା ଭବ୍ୟ କଳସ ଯାତ୍ରା ଓ ଗ୍ରାମ ପରିକ୍ରମା କରାଯାଇଥିଲା। ପରେ ମନ୍ଦିର ପରିସରରେ ଦେବଦେବୀଙ୍କ ସ୍ନାନ ଓ ଶୟନ ନୀତି କରାଯାଇଥିଲା।୧୧ ତାରିଖ ତୃତୀୟ ଦିବସ ମନ୍ତ୍ରୋଚ୍ଚାରଣ ମଧ୍ୟରେ ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା।୧୨ ତାରିଖ ଶେଷ ଦିବସ ଭକ୍ତମାନେ ପ୍ରଭୁଙ୍କ ‘ନବ ଯୌବନ ଦର୍ଶନ’ କରିବା ସହ ପୂର୍ଣ୍ଣାହୁତିରେ ଅଂଶଗ୍ରହଣ କରିଥିଲେ।ପ୍ରତ୍ୟେକ ଦିନ ଭଜନ କୀର୍ତନ ଓ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଯାହା ଶ୍ରଦ୍ଧାଳୁଙ୍କ ମନରେ ଭକ୍ତିଭାବ ଜାଗ୍ରତ କରିଥିଲା। ଏହି ଅବସରରେ ଅଂଚଳର କିଛି ବିଶିଷ୍ଟ ବ୍ୟକ୍ତିଙ୍କୁ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ସମସ୍ତ କାର୍ଯ୍ୟକ୍ରମକୁ ମଠସାହି ର ଗ୍ରାମବାସୀଙ୍କ ସହଯୋଗରେ ସଭାପତି କୈଳାଶ ଦାସ,ସମ୍ପାଦକ ପ୍ରମୋଦ ଦାସ,କେଶୀୟର କେଦାର ଦାସ,ସଭ୍ୟ ଅଜୟ ଦାସ, ଆନନ୍ଦ ଦାସ, ଦୀନବନ୍ଧୁ ଦାସ, ସୁରେନ୍ଦ୍ର ଦାସ ଓ ଶଶି କାନ୍ତ ଦାସ ସକ୍ରିୟ ଭାବେ ପରିଚାଳନା କରିଥିଲେ। ସମାଜସେବୀ ଅକ୍ଷୟ ନାୟକ ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁରୂପେ ସଂଚାଳନ କରିଥିଲେ। ଏହି ଉତ୍ସବ ବୈତରଣୀ କୂଳରେ ଏକ ନୂତନ ଆଧ୍ୟାତ୍ମିକ ଜାଗରଣ ସୃଷ୍ଟି କରିଥିଲା।








