Home ଜିଲ୍ଲା ପରିକ୍ରମା ଧାମନଗରରେ ଜଳାଶୟ ଓ ନଇଁଜୁର ଜବରଦଖଲ, ଜଳ ନିଷ୍କାସନରେ ସାଜୁଛି ବାଧକ

ଧାମନଗରରେ ଜଳାଶୟ ଓ ନଇଁଜୁର ଜବରଦଖଲ, ଜଳ ନିଷ୍କାସନରେ ସାଜୁଛି ବାଧକ

5

ଭଦ୍ରକ, ୧୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ବିଭିନ୍ନ ସ୍ଥାନ ରେ ଏବେ ଜବର ଦଖଲ ବଡିବା ଦ୍ୱାରା ଜଳ ନିଷ୍କାସନ ହେବାରେ ବାଧକ ସାଜିଛି।ଫଳରେ ଦିନକୁ ଦିନ ଗଡ଼ିଆ, ପୋଖରୀ ଓ ଜଳାଶୟ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଧାମନଗରରେ ୩ ପ୍ରତିଶତ ଜଳାଶୟ ହ୍ରାସ ପାଇଛି। ଅନ୍ୟ ଅର୍ଥରେ କହିବାକୁ ଗଲେ ଏହି ପରିମାଣର ଜମିରେ ଉର୍ବରତା କମିଛି ଓ ପଡ଼ିଆ ପଡିଛି। ବିଭିନ୍ନ ସ୍ଥାନରେ କମ୍ୟୁନିଟି ସେଂଟର, ଖେଳ ପଡ଼ିଆ, ଦୋକାନ ଘର ଆଦି ନିର୍ମାଣ ଲାଗି ଜଳାଶୟ ଗୁଡ଼ିକୁ ପୋତି ଦିଆଯାଉଥିବା ଦେଖିବାକୁ ମିଳିଛି। ସେହିପରି ଦୀର୍ଘବର୍ଷ ଧରି ଆର୍ଦ୍ର ଭୂମି ଭାବେ ଜଣାଶୁଣା ଜାଗାକୁ ବି ପୋତି ଦିଆ ଗଲାଣି। ଖଡ଼ିପଦା ଛକରୁ ଦୋବଲ ରାସ୍ତାରେ ଏକାଧିକ ସ୍ଥାନରେ ଜଳାଶୟ ପୋତି ଦିଆଯାଇଛି। ବଡ଼ ପୋଲ ପାଖରେ କିଛି ବ୍ୟକ୍ତି ଆର୍ଦ୍ରଭୂମିକୁ ପୋତି ଦୋକାନ ନିର୍ମାଣ ଆରମ୍ଭ କରିଛନ୍ତି। ସେହିପରି ଦକ୍ଷିଣ କୁରୁଆ ଛକରେ ମଧ୍ୟ ଜଳାଶୟ ପୋତି ଦୋକାନ ଘର ନିର୍ମାଣ କରୁଛନ୍ତି। ଧାମନଗର ରୁ ଫଳପୁର ରାସ୍ତାରେ ଥିବା ନୟନ ଜୋରି କୁ ଅନେକ ସ୍ଥାନରେ ପୋତି ଘର କରି ଦିଆଗଲାଣି। ନୟନଜୋରିଟି ଏ ଅଞ୍ଚଳର ଜଳ ନିଷ୍କାସନ ପାଇଁ ମହତ୍ୱପୂର୍ଣ୍ଣ। ହେଲେ ତହସିଲ ପ୍ରଶାସନର ସ୍ଥାଣୁତା ଓ ଅବହେଳା ଯୋଗୁଁ ସରକାରୀ ଜମିରେ ଥିବା ନୟନଜୋରି ଜଳାଶୟ ପୋତି ଲୋକେ ଘର, ଦୋକାନ ଘର କରିଦେଲେଣି। ବିଶେଷ କରି ବିରୁହାଁ, ଜାହାଙ୍ଗୀର ଅଞ୍ଚଳରେ ବହୁ ଅଂଶ ପୋତି ଦିଆଯାଇଛି। ସେହିପରି ଧାମନଗର ରୁ ଚୁଡ଼ାକୁଟି ରାସ୍ତାରେ ମଧ୍ୟ ନୟନଜୋରି ପୋତି ଦୋକାନ ଘର, ଠାକୁର ଘର, କମ୍ୟୁନିଟି ସେଂଟର ନିର୍ମାଣ ହୋଇଛି। ଧାମନଗର ବିଜ୍ଞାପିତ ଅଂଚଳରେ ଏହି ସଂଖ୍ୟା ସର୍ବାଧିକ। ବ୍ଲକ ଛକରୁ ଧାମନଗର କୋର୍ଟ ରାସ୍ତାରେ ଉଭୟ ପାର୍ଶ୍ୱରେ ଥିବା ଖାଲ, ଗଡ଼ିଆ ଓ ପାଣି ନାଳ ପୋତି ଦିଆଗଲାଣି। ଏନ୍‌ଏସି କର୍ତୃପକ୍ଷଙ୍କ ଅବହେଳା ଓ ଭୁଲ୍ ଟାଉନ ପ୍ଲାନିଂ ଯୋଗୁଁ ବଢୁଥିବା ଧାମନଗର ସହର ଜଳାଶୟ ମୁକ୍ତ ହୋଇଗଲାଣି। ଫଳରେ ବର୍ଷାଦିନେ ପାଣି ନିଷ୍କାସନ ଏକ ବଡ଼ ସମସ୍ୟା ହୋଇ ଉଭା ହେବ। ପୂର୍ବରୁ ମଧ୍ୟ ଥରେ ଏଭଳି ହୋଇଛି। ଜଗୁ ସାଗର ଚାରିପାଖ ଜବରଦଖଲ ହୋଇଯିବାରୁ ପାଣି ନିଷ୍କାସନ ରାସ୍ତା ବନ୍ଦ ହୋଇଯାଇଥିଲା। ବର୍ଷାଦିନେ ଚାରି ଦିନ ଧରି ଧାମନଗର ଥାନା ଓ ବଡ଼ବଜାର ଛକ ମଝିରେ ମୁଖ୍ୟ ରାସ୍ତାରେ ବନ୍ୟା ପାଣି ଭଳି ବର୍ଷା ପାଣିର ସୁଅ ଛୁଟିଲା। ସହର ମଝିରେ ଆଣ୍ଠୁଏ ଉଚ୍ଚର ପାଣି ଚାଲିଲା। ଜଳାଶୟ ହ୍ରାସ ପାଇବା ଦ୍ୱାରା ଭୟଙ୍କର ପରିବେଶଗତ, ସାମାଜିକ ଏବଂ ଅର୍ଥନୈତିକ ସଙ୍କଟ ସୃଷ୍ଟି ହେଉଛି। ଏହାର ମୁଖ୍ୟ ପ୍ରଭାବଗୁଡ଼ିକ ମଧ୍ୟରେ ଜୈବ ବିବିଧତାର ବ୍ୟାପକ କ୍ଷତି, ମରୁଭୂମିକରଣର ବେଗ ବୃଦ୍ଧି, କୃଷି ଉତ୍ପାଦନ ହ୍ରାସ ଏବଂ ଜଳ ବିବାଦ ଭଳି ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ଏନେଇ ଧାମନଗର ତହସିଲଦାର ସାଇଶ୍ରୀ ଲୋକନାଥ ପ୍ରସାଦ ସେଠୀଙ୍କ କହିବା କଥା ଯେ, କର୍ମଚାରୀ ଅଭାବ ଆମକୁ ଜବରଦଖଲ ଉପରେ ପଦକ୍ଷେପ ନେବାରେ ସମସ୍ୟା ସୃଷ୍ଟି କରୁଛି। ତଥାପି ଜଳାଶୟଗୁଡ଼ିକ ଜବରଦଖଲ ମୁକ୍ତ କରିବାକୁ କଡ଼ା ପଦକ୍ଷେପ ନିଆଯାଉଛି। ଏ ଦିଗରେ ପ୍ରଶାସନ ଆଗୁଆ ପଦକ୍ଷେପ ନ ନେଲେ ବର୍ଷା ଦିନେ ଅନେକ ସମସ୍ୟା ସୃଷ୍ଟି ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.