ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ରାଜ୍ୟ ଆଇନ୍ ସେବା ପ୍ରାଧିକରଣ, କଟକଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକଙ୍କ ଦ୍ୱାରା ଏକ ସଚେତନତା କାର୍ଯ୍ୟକ୍ରମ “କାର୍ଯ୍ୟସ୍ଥଳରେ ମହିଳାଙ୍କର ଯୌନ ଉତ୍ପୀଡନ (ନିବାରଣ, ନିଷେଧ ଏବଂ ପ୍ରତିକାର) ଆଇନ, ୨୦୧୩ ସାଳନ୍ଦୀ ଡିଗ୍ରୀ କଲେଜ ପରିସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ପୁଣ୍ୟଶ୍ଲୋକ ରଥ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ଜିଲ୍ଲା ଆଇନସେବା ପ୍ରାଧିକରଣର ଏଏଲ୍ଡିଏସ୍ ସହାୟକ, ଡା ତାପସ କୁମାର ମହାନ୍ତି, ପୁରୁଣାବଜାର ଥାନା ଅଧିକାରୀ, ସୁଶାନ୍ତ କୁମାର ସାହୁ , ମହାବିଦ୍ୟାଳୟର ଅଧ୍ୟକ୍ଷା ରାଜଶ୍ରୀ ନାୟକ, ଅନ୍ୟାନ୍ୟ ଅଧ୍ୟାପକ ଲିପିପୁଷ୍ପା ନାୟକ, ଜ୍ୟୋତିଶ୍ରୀ ଖୁଂଟିଆ ତଥା କଲେଜର ଛାତ୍ରଛାତ୍ରୀ ଗଣ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଥିଲେ ଯେ ଆଧୁନିକ ସମାଜରେ ମହିଳାମାନେ ଘରୁ ବାହାରି ସମାଜର ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ତେବେ କାର୍ଯ୍ୟସ୍ଥଳରେ ସେମାନଙ୍କ ସୁରକ୍ଷା ଏକ ପ୍ରମୁଖ ପ୍ରସଙ୍ଗ। କାର୍ଯ୍ୟସ୍ଥଳରେ ମହିଳାମାନଙ୍କୁ ଯୌନ ଉତ୍ପୀଡ଼ନରୁ ରକ୍ଷା କରିବା ଏବଂ ଏକ ସୁରକ୍ଷିତ କାର୍ଯ୍ୟ ପରିବେଶ ଯୋଗାଇଦେବା ଉଦ୍ଦେଶ୍ୟରେ ଭାରତ ସରକାର ‘କାର୍ଯ୍ୟସ୍ଥଳରେ ମହିଳାଙ୍କ ଯୌନ ଉତ୍ପୀଡ଼ନ (ନିବାରଣ, ନିଷେଧ ଏବଂ ପ୍ରତିକାର) ଆଇନ, ୨୦୧୩ ‘ (ପୋଶ ଆକ୍ଟ) ପ୍ରଣୟନ କରିଛନ୍ତି। ଏହି ଆଇନ ସରକାରୀ, ବେସରକାରୀ, ସଙ୍ଗଠିତ ଏବଂ ଅସଙ୍ଗଠିତ ସମସ୍ତ କ୍ଷେତ୍ରରେ ପ୍ରଯୁଜ୍ୟ। ଏଥିରେ ଶାରୀରିକ ସମ୍ପର୍କ, ଅଶ୍ଳୀଳ ଇଙ୍ଗିତ, ଅଶ୍ଳୀଳ ଟିପ୍ପଣୀ, ପର୍ଣ୍ଣୋଗ୍ରାଫି ଦେଖାଇବା ଏବଂ ଯୌନ ସମ୍ବନ୍ଧୀୟ କୌଣସି ଅବାଞ୍ଛିତ ବ୍ୟବହାର ଅନ୍ତର୍ଭୁକ୍ତ। ୧୦ କିମ୍ବା ତା’ଠାରୁ ଅଧିକ କର୍ମଚାରୀ ଥିବା ପ୍ରତ୍ୟେକ ପ୍ରତିଷ୍ଠାନରେ ଏକ ଓ ଏକ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରିବା ବାଧ୍ୟତାମୂଳକ। ପୋଶ ଆଇନ କେବଳ ଏକ ଆଇନ ନୁହେଁ, ବରଂ ମହିଳାମାନଙ୍କୁ କାର୍ଯ୍ୟସ୍ଥଳରେ ସମ୍ମାନ ଏବଂ ସୁରକ୍ଷା ଦେବାର ଏକ ମାଧ୍ୟମ। କାର୍ଯ୍ୟସ୍ଥଳରେ ଏହାର ସଠିକ୍ ପାଳନ ମହିଳାମାନଙ୍କୁ ସଶକ୍ତ କରିବା ସହ ସେମାନଙ୍କର ଅର୍ଥନୈତିକ ଅଂଶଗ୍ରହଣକୁ ବୃଦ୍ଧି କରିବାରେ ସହାୟକ ହେଉଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ର କର୍ମୀ ଗଣ ପରିଚାଳନା ରେ ସହଯୋଗ କରିଥିଲେ।







