Home ଜିଲ୍ଲା ପରିକ୍ରମା ବାରିକପୁର ଜଳସେଚନ ବିଭାଗର ମହାଦୁର୍ନୀତି,ଠିକାଦାର-ଯନ୍ତ୍ରୀ ମଧୁ ଚନ୍ଦ୍ରିକାରେ ୨ କୋଟିର ସରକାରୀ ଅର୍ଥ ହରିଲୁଟ ଉଦ୍ୟମ,ବିନା...

ବାରିକପୁର ଜଳସେଚନ ବିଭାଗର ମହାଦୁର୍ନୀତି,ଠିକାଦାର-ଯନ୍ତ୍ରୀ ମଧୁ ଚନ୍ଦ୍ରିକାରେ ୨ କୋଟିର ସରକାରୀ ଅର୍ଥ ହରିଲୁଟ ଉଦ୍ୟମ,ବିନା ସୂଚନା ଫଳକ ରେ ଚାଲିଛି କାମ, ଜନ ଅସନ୍ତୋଷ 

21

ଭଦ୍ରକ, ୨୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଖୁଆପଦା ଜଳସେଚନ ବିଭାଜନ ଅଧୀନସ୍ଥ ବାରିକପୁର କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବେ ଦୁର୍ନୀତିର ପେଣ୍ଠସ୍ଥଳୀ ପାଲଟିଛି। ଚନ୍ଦ୍ରପୁର ଠାରୁ ବଡ଼ଦାଣ୍ଡ ଇଚ୍ଛାପୁର ପୋଲ ପର୍ଯ୍ୟନ୍ତ କେନାଲ ରାସ୍ତା ରେ ଚାଲିଥିବା ଉନ୍ନତିକରଣ କାର୍ଯ୍ୟରେ ନିୟମକୁ ଜଳାଞ୍ଜଳି ଦେଇ ବ୍ୟାପକ ପାଣ୍ଠି ହେରଫେର ହେଉଥିବା ଅଭିଯୋଗ ହୋଇଛି। ୨ କୋଟି ୧୩ ଲକ୍ଷ ଟଙ୍କାର ଏହି ବୃହତ ପ୍ରକଳ୍ପ ଏବେ “ଠିକାଦାର ପୋଷା” ଯୋଜନାରେ ପରିଣତ ହୋଇଛି।ଅନାବନା ଗଛ ଉପରେ ପଡୁଛି ମାଟି,ରାସ୍ତା ନିର୍ମାଣ ପୂର୍ବରୁ ବୁଦା ସଫା କରିବା ଓ ବେସ୍ ପ୍ରସ୍ତୁତ କରିବା ନିୟମ ଥିବାବେଳେ, ଠିକାଦାର ରାକେଶ ରଂଜନ ଭୋଇ ସମସ୍ତ ନୀତି ନିୟମକୁ ବେଖାତିର କରିଛନ୍ତି। କେନାଲ ହୁଡ଼ାରେ ଥିବା ଛୋଟ ଛୋଟ ଅନାବନା ଗଛକୁ ନକାଟି ଏବଂ ତଳ ଭାଗରୁ ମାଟି ସଠିକ ଭାବେ ଡ୍ରେସିଂ ନକରି ତା’ ଉପରେ ସିଧାସଳଖ ମାଟି ପକା ଯାଉଛି। ଏଭଳି “ଉପର ଚିକ୍କଣ ଭିତରେ ଫାଙ୍କା” କାମ ଯୋଗୁଁ ଆଗାମୀ ବର୍ଷାରେ ରାସ୍ତା ଧୋଇଯିବା ନିଶ୍ଚିତ ବୋଲି ସ୍ଥାନୀୟ ଲୋକେ ବିରୋଧ ପ୍ରଦର୍ଶନ କରିଛନ୍ତି। ଯନ୍ତ୍ରୀଙ୍କ “ଅଜ୍ଞତା” ନା ମିଛ ବାହାନା! ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, କ୍ଷେତ୍ର ପରିଦର୍ଶନ କରି କାମର ତଦାରଖ କରିବା ପରିବର୍ତେ କନିଷ୍ଠ ଯନ୍ତ୍ରୀ ତପସ୍ୱିନୀ ସାହୁ ନିଜ ଦାୟିତ୍ୱ ରୁ ଖସିଯିବାକୁ ଚେଷ୍ଟା କରୁଛନ୍ତି। ସେ କହିଛନ୍ତି ଯେ, “ମୁଁ ନୂଆ ଆସିଛି, ପୁରୁଣା ଯନ୍ତ୍ରୀ ଏଷ୍ଟିମେଂଟ କରିଛନ୍ତି, ମୋ ପାଖରେ ତଥ୍ୟ ନାହିଁ ଏବଂ ଠିକାଦାର ମୋତେ ନଜଣାଇ କାମ କରୁଛି।” ଜଣେ ଦାୟିତ୍ୱବାନ ଅଧିକାରୀ କିଭଳି କହିପାରୁଛନ୍ତି, ଯେ ତାଙ୍କ ଅଧିନରେ ୨ କୋଟି ଟଙ୍କାର କାମ ହେଉଛି କିନ୍ତୁ ସେ ଜାଣିନାହାନ୍ତି। ଏହା କୌଣସି ବଡ଼ ଧରଣର ପ୍ରଶାସନିକ ସଲା ସୁତୁରା ନା ଅପାରଗତା, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ପ୍ରକଳ୍ପ ସ୍ଥଳରେ କୌଣସି ସୂଚନା ଫଳକ ନଲଗାଇ କାମ କରିବା ଠିକାଦାରଙ୍କ ବେଆଇନ ମନୋଭାବକୁ ସ୍ପଷ୍ଟ କରୁଛି। ସାଧାରଣ ଲୋକଙ୍କୁ ଅନ୍ଧାରରେ ରଖି କାର୍ଯ୍ୟ ଶେଷ କରି ଟଙ୍କା ହଡ଼ପ କରିବା ପାଇଁ ଏହା ଏକ ସୁଚିନ୍ତିତ ଚକ୍ରାନ୍ତ ବୋଲି ଅଭିଯୋଗ ହେଉଛି। ୩ ମିଟର ୬୦ ସେଂଟିମିଟର ଚଉଡ଼ା ରାସ୍ତାରେ ଯେଉଁ ମାନର କାମ ହେବା କଥା, ତାହା କେଉଁଆଡେ ଗଲା। ଏହି ନିମ୍ନମାନର କାମକୁ ନେଇ ଅଂଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଜନସାଧାରଣଙ୍କ ଟିକସ ଟଙ୍କାକୁ ଠିକାଦାର ଓ ଅଧିକାରୀ ମିଶି ବାଂଟିବାକୁ ବିରୋଧ କରାଯାଇଛି। ଯଦି ତୁରନ୍ତ ଏହି କାର୍ଯ୍ୟର ଉଚ୍ଚସ୍ତରୀୟ ତଦନ୍ତ କରାନଯାଏ ଏବଂ ନିୟମାନୁଯାୟୀ କାମ ନହୁଏ, ତେବେ ଆଗାମୀ ଦିନରେ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏ ଦିଗରେ ବିଭାଗୀୟ ଅଧିକାରି,ଭଦ୍ରକ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଚି,ସବୁଠାରୁ ବଡ କଥା ନିକଟରେ ଉକ୍ତ କେନାଲ ରାସ୍ତା ର ଉନ୍ନତିକରଣ ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ଶିଳାନ୍ୟାସ କରିଥିଲେ ।ଏବେ ସେହି କାମ ନିମ୍ନମାନର ସହ ବିଭାଗୀୟ ଅଧିକାରି ଓ କର୍ମଚାରୀ ଙ୍କ ଅନୁପସ୍ଥିତ ରେ ହେଉଥିବା କାମ ସ୍ଥାୟିତ୍ୱ ନେଇ ସାଧାରଣ ରେ ଚର୍ଚ୍ଚାର ବିଷୟ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.