ଭଦ୍ରକ, ୨୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତ ମାତା କୀ ଜୟ, ବନ୍ଦେ ମାତରଂ, ଜୟ ଶ୍ରୀରାମ, ଜୟ ଜଗନ୍ନାଥ ନାରାରେ ଗୁଞ୍ଜରିତ ହୋଇ ଉଠିଥିଲା ଭଦ୍ରକର ଶହୀଦ ସ୍ମୃତି ଭବନ। ଶହ ଶହ ରାଷ୍ଟ୍ର ଭକ୍ତଙ୍କ ସମାଗମରେ ହିନ୍ଦୁତ୍ୱର ଗର୍ଜନ ପ୍ରକମ୍ପିତ ହୋଇଥିଲା। ମଂଚରେ ଅଭିଭାଷଣ ରଖୁଥିଲେ ଦେଶର ଖ୍ୟାତନାମା ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭାରତୀୟ ସଂସ୍କୃତି ଗବେଷକ ପୁଷ୍ପେନ୍ଦ୍ର କୂଳଶ୍ରେଷ୍ଠ। ଭଦ୍ରକର ଜନ ସାଧାରଣ, ବୁଦ୍ଧିଜୀବୀ, ଯୁବ ଛାତ୍ର ସମାଜ ମଧ୍ୟରେ ଦେଶ ଭକ୍ତି, ରାଷ୍ଟ୍ରୀୟ ଚେତନାର ଭାବନା ରହିବା ସହ ଦେଶର ସୁରକ୍ଷା, ରାଷ୍ଟ୍ରର ଅଖଣ୍ଡତା ପାଇଁ ଆମେ ସଂକଳ୍ପ ନେବା ଆବଶ୍ୟକ ବୋଲି କହିଥିଲେ। ଭାରତୀୟ ଭାବନା ରଖୁଥିବା ପ୍ରତିଟି ବ୍ୟକ୍ତି ଙ୍କ ପାଇଁ ହିନ୍ଦୁତ୍ୱ ଓ ରାଷ୍ଟ୍ରବାଦ୍ ନିଶ୍ୱାସ ଏବଂ ବିଶ୍ୱାସ ଭଳି ହେବା ଉଚିତ୍। ଭାରତୀୟ ହିନ୍ଦୁ ସନାତନ ଧର୍ମ ଉପରେ ବିଶେଷ ଆଲୋଚନା କରିବା ସହ ହିନ୍ଦୁ ସମାଜ ମଧ୍ୟରେ ରାଷ୍ଟ୍ରୀୟ ଭାବନା ରହିଛି, ଏହାକୁ ଅଧିକ ତ୍ୱରାନିତ କରିବାର ସମୟ ଆସିଛି ବୋଲି ଆହ୍ୱାନ ଦେଇଥିଲେ କୂଳଶ୍ରେଷ୍ଠ। ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ଭଦ୍ରକର ସମସ୍ତ ସାମାଜିକ, ସାଂସ୍କୃତିକ, ଆଧ୍ୟାତ୍ମିକ ସଙ୍ଗଠନ ସାମିଲ ହୋଇଥିଲେ। ଓଡ଼ିଶା ସରକାରଙ୍କର ମାନ୍ୟବର ମନ୍ତ୍ରୀ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସୂର୍ଯ୍ୟବଂଶୀ ସୂରଜ ଶ୍ରୀ କୂଳଶ୍ରେଷ୍ଠଙ୍କୁ ସ୍ୱାଗତ କରିବା ସହ ନିଜର ଅଭିଭାଷଣରେ ସାଂସ୍କୃତିକ ଭାରତ ଉପରେ ତଥ୍ୟ ପ୍ରଦାନ କରିଥିଲେ। ଅମୃତ ଦର୍ଶନର ସମ୍ପାଦକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟଙ୍କ ସଂଯୋଜନାରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ସ୍ୱାଗତ ସମିତିର ସମସ୍ତ ସଦସ୍ୟ ଏବଂ ରାଷ୍ଟ୍ରବାଦୀ କାର୍ଯ୍ୟକର୍ତା ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଶେଷରେ ମାନସ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
Home ଜିଲ୍ଲା ପରିକ୍ରମା ଦେଶର ଅଖଣ୍ଡତା ଓ ଏକତା ପାଇଁ ହିନ୍ଦୁ ସମାଜ ବ୍ରତୀ ରହୁ: ପୁଷ୍ପେନ୍ଦ୍ର କୂଳଶ୍ରେଷ୍ଠ ,ହିନ୍ଦୁତ୍ୱ...








