ଭଦ୍ରକ, ୨୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପଡିଆରେ ଆଜି ୭୭ତମ ସାଧାରଣତନ୍ତ୍ର ଦିବସ ଉତ୍ସବ ଆଡମ୍ବରପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି। ଏହି ପବିତ୍ର ଦିବସକୁ ଅଧିକ ଗରିମାମଣ୍ଡିତ କରିବା ପାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଗୃହ ଓ ନଗର ଉନ୍ନୟନ ସହ ସାଧାରଣ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ମନ୍ତ୍ରୀଙ୍କୁ ମଞ୍ଚକୁ ପାଛୋଟି ନେଇଥିଲେ ଭଦ୍ରକ ଜିଲ୍ଲାପାଳ ଦିଲିପ ରାଉତରାଏ। ସାଙ୍ଗରେ ଆରକ୍ଷୀ ଅଧିକ୍ଷକ ମନୋଜ ରାଉତ୍ ମଧ୍ୟ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରି ଉପସ୍ଥିତ ଜନସମୁଦାୟଙ୍କୁ ଉଦ୍ଦେଶ୍ୟ କରି ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ନିଜ ଅଭିଭାଷଣ ରଖିଥିଲେ। ତାଙ୍କ ବକ୍ତବ୍ୟରେ ସେ ଭଦ୍ରକର ସ୍ୱାଧୀନତା ସଂଗ୍ରାମରେ ଅତୁଳନୀୟ ଅବଦାନ ଥିବା କଥା ଉଲ୍ଲେଖ କରି ଇରମ୍ ହତ୍ୟାକାଣ୍ଡ ଉପରେ ଆଲୋକପାତ କରିଥିଲେ। ସେହିପରି ଜିଲ୍ଲାରେ ଚାଲୁଥିବା ବିଭିନ୍ନ ଗୃହ ଓ ନଗର ଉନ୍ନୟନମୂଳକ କାର୍ଯ୍ୟକ୍ରମ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏହି ପବିତ୍ର ଦିବସରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ମୋଟ ୪୦ଟି କଣ୍ଟିଜେଣ୍ଟ ପରେଡ୍ରେ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ସର୍ବୋତ୍କୃଷ୍ଟ ପରେଡ୍ ପ୍ରଦର୍ଶନ କରିଥିବା କଣ୍ଟିଜେଣ୍ଟମାନଙ୍କୁ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ ପୁରସ୍କୃତ କରିଥିଲେ।ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଭଦ୍ରକର ବିଭିନ୍ନ ସଂଗଠନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ତ୍ରୀ ୁ ପୁରସ୍କାର ପ୍ରଦାନ କରିଥିଲେ। ସାଂସ୍କୃତିକ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ପ୍ରତିଯୋଗୀମାନେ ମୁଖ୍ୟ ଅତିଥିଙ୍କ ସମ୍ମୁଖରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ପରେ ଭଦ୍ରକ ଟାଇକୁନ୍ ଆସୋସିଏସନ୍? ପକ୍ଷରୁ ଟାଇକୁନ୍ ପ୍ରଦର୍ଶିତ ହୋଇଥିଲା। ପରବର୍ତ୍ତୀକ୍ରମରେ ମନ୍ତ୍ରୀ ଶିଶୁ ବିବାହ ବିରୋଧୀ ସଚେତନତା ପାଇଁ ସାମୂହିକ ସାଇକେଲ୍ ଯାତ୍ରାର ଶୁଭାରମ୍ଭ କରିଥିଲେ। ଏହାପରେ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉପସ୍ଥିତ ରୋଗୀମାନଙ୍କୁ ଫଳ ଓ ଆହାର ବଣ୍ଟନ କରିଥିଲେ।ଏହାସହିତ ଜିଲ୍ଲା ସଂସ୍କୃତି ଭବନରେ ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀକୁ ପରିଭ୍ରମଣ କରି ମନ୍ତ୍ରୀ ଭୂରିଭୂରି ପ୍ରଶଂସା କରିଥିଲେ।








