
ଭଦ୍ରକ, ୨୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସୁଖ ଓ ଦୁଃଖକୁ ଯେଉଁ ମଣିଷ ଜୀବନର ଶେଷ ପର୍ଯ୍ୟନ୍ତ ସମଦୃଷ୍ଟିରେ ଦେଖି ସର୍ବଦା ହସୁଥାଏ, ସେ ହିଁ ଜଣେ ସଫଳ ବ୍ୟକ୍ତିତ୍ୱ ବୋଲି ଆଜି ଭଦ୍ରକ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଓଡ଼ିଶା ଅବସରପ୍ରାପ୍ତ ଡିପ୍ଲୋମା ଇଂଜିନିୟରିଂ ଉତରାଂଚଳ ମହାମଣ୍ଡଳ ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଜିଲାପାଳ ଦିଲ୍ଲୀପ ରାଉତରାଏ କହିଛନ୍ତି। ବିଶେଷକରି ଏହି ସଂଘକୁ ମଜବୁତ କରିବା ସହ ଅବସରପ୍ରାପ୍ତ ଇଂଜିନିୟରମାନଙ୍କ ମଧ୍ୟରେ ସଂପର୍କର ସେତୁ ବାନ୍ଧିବା ଏହି ସମ୍ମିଳନୀର ପ୍ରୟାସକୁ ସେ ପ୍ରଶଂସା କରିଥିଲେ। ଓଡ଼ିଶା ଡିପ୍ଲୋମା ଇଂଜିନିୟର ଭଦ୍ରକ ଶାଖାର ସଭାପତି ଡ. ଇଂ ଅମ୍ବିକା ବଲ୍ଲଭ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀ ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ସମ୍ମିଳନୀର ଅଧ୍ୟକ୍ଷ ଇଂ ବସନ୍ତ କୁମାର ପାଣିଗ୍ରାହୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କାଳରେ ଏଭଳି ଏକ ବନ୍ଧୁତ୍ୱପୂର୍ଣ୍ଣ ଅଭୁଲା ମୁହୁର୍ତ ସମସ୍ତଙ୍କ ପାଇଁ ଅବିସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ। ଏହାପରେ ଦିବଂଗତ ସଦସ୍ୟମାନଙ୍କ ପାଇଁ ଏକ ମିନିଟ୍ ନୀରବ ପ୍ରାର୍ଥନା ପରେ ମହାମଣ୍ଡଳ ସଂଯୋଜକ ତଥା ସଂପାଦକ ଇଂ ଡ. ହୃଷିକେଶ ସାହୁ ବିବରଣୀ ପାଠ କରିବା ପରେ ସମ୍ମିଳନୀର ସ୍ମରଣିକା ଅବସର ବାର୍ତାକୁ ମୁଖ୍ୟଅତିଥି ଉନ୍ମୋଚନ କରିଥିଲେ। ଏହି ସମ୍ମିଳନୀରେ ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ପ୍ରାକ୍ତନ ଅଧ୍ୟକ୍ଷ ପବିତ୍ର କୁମାର ପାଣିଗ୍ରାହୀ ମୁଖ୍ୟବକ୍ତା, ଇଂ ଅଖିଳ ପାଢୀ, ରାଜ୍ୟ ସଂଘ ସଭାପତି ଇଂ ହିମାଂଶୁ ଶେଖର ଲେଙ୍କା, ଭଦ୍ରକ ସଂପାଦକ ଇଂ ରମାକାନ୍ତ ପାତ୍ର, ରାଜ୍ୟ ସଂଘର ସାଧାରଣ ସଂପାଦକ ଇଂ ଡମ୍ବରୁଧର କବି ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ୭୫ ବର୍ଷରୁ ଉର୍ଦ୍ଧ୍ୱ ସଦସ୍ୟ ଏବଂ ଡ. ଅମ୍ବିକା ବଲ୍ଲଭ ସ୍ୱାଇଁଙ୍କୁ ଜିଲାପାଳ ସମ୍ବର୍ଦ୍ଧିତ କରିଥିବାବେଳେ ସମ୍ମିଳନୀ ପକ୍ଷରୁ ଜିଲାପାଳ ଶ୍ରୀ ରାଉତରାଏ ଓ ମୁଖ୍ୟବକ୍ତା ଶ୍ରୀ ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ସଂପାଦକ ଇଂ ରମାକାନ୍ତ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।







