ଭଦ୍ରକ, ୨୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ଅଂଚଳରେ ବେଧଡ଼କ ଭାବେ ଚାଲିଥିବା ବେଆଇନ ବାଲି କାରବାର ଓ ପ୍ରଶାସନିକ ନିଷ୍କ୍ରିୟତା ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ଧାମନଗର ପୋଲିସ ଶୁକ୍ରବାର ରାତିରେ ଅତର୍କିତ ଚଢ଼ାଉ କରି ୩ ଟି ବାଲି ବୋଝେଇ ହାଇୱାକୁ ଜବତ କରିଛି। ଆନନ୍ଦପୁର ପଂଚାୟତ ଦେଇ ପ୍ରତି ରାତିରେ ଶହ ଶହ ଓଭର ଲୋଡିଂ ହାଇୱା ବାଲି ନେଇ ଯାଉଥିବାରୁ ଗ୍ରାମ୍ୟ ଉନ୍ନୟନ ରାସ୍ତା ନଷ୍ଟ ହେବା ସହ ଦୁର୍ଘଟଣାର ଆଶଙ୍କା ଉପୁଜିଥିଲା। ଥାନା ଅଧିକାରୀ ରଞ୍ଜନ ସେଠୀଙ୍କ ନେତୃତ୍ୱରେ ପୋଲିସ ଟିମ୍ ଗତକାଲି ରାତିରେ ପାଟ୍ରୋଲିଂ କଡ଼ାକଡ଼ି କରିଥିଲେ। ଧାମନଗର ଓ ବାରିକପୁର ଛକରୁ ପୋଲିସ ୩ ଟି ହାଇୱାକୁ ପିଛା କରି ଅଟକାଇଥିଲା। ପୋଲିସକୁ ଦେଖି ଡ୍ରାଇଭରମାନେ ଗାଡ଼ି ଛାଡ଼ି ଚମ୍ପଟ ମାରିଥିଲେ ମଧ୍ୟ ପୋଲିସ ଗାଡ଼ିଗୁଡ଼ିକୁ ଥାନାକୁ ଆଣିବା ସହ ବେଆଇନ ପରିବହନ ଓ ଓଭରଲୋଡିଂ ଦଫାରେ ମାମଲା ରୁଜୁ କରିଛି।








