Home ଜିଲ୍ଲା ପରିକ୍ରମା ଜିଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ,ମଣ୍ଡିରୁ ଧାନ ଉଠିବା ସହ ଚାଷୀଙ୍କ ସମସ୍ୟାର ସମାଧାନ ନହେଲେ...

ଜିଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ,ମଣ୍ଡିରୁ ଧାନ ଉଠିବା ସହ ଚାଷୀଙ୍କ ସମସ୍ୟାର ସମାଧାନ ନହେଲେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ଚେତାବନୀ

4

ଭଦ୍ରକ, ୨୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ମଣ୍ଡିରୁ ଧାନ କିଣାରେ ଅହେତୁକ ବିଳମ୍ବ ଓ ଏଫ୍‌ଏକ୍ୟୁ ବାହାନାରେ ଚାଷୀଙ୍କୁ ଶୋଷଣ କରିବା ନେଇ ଜିଲ୍ଲା କଂଗ୍ରେସ ସଭାପତି ନଳିନୀ କାନ୍ତ ମହାନ୍ତି ଆଜି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ମିଲର ଓ ପ୍ରଶାସକଙ୍କ ଆସାଧୁ ମେଳି ପାଇଁ ଚାଷୀ ହତାଶ ହେବା ସହିତ କିଭଳି ଧାନକିଣା ନିୟମ ତାଙ୍କର ଦୁର୍ଦ୍ଦଶାକୁ ଦ୍ୱିଗୁଣିତ କରିଛି ସେଥିନେଇ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି। ବିଶେଷକରି କିଭଳି ଚାଷୀଙ୍କ ଧାନ ନେବାକୁ ପ୍ରଶାସନ ଲୁଚକାଳି ଖେଳୁଛି ଏବଂ ଏଫଏକ୍ୟୁ ବାହାନାରେ ସରକାର ଅନଭିଜ୍ଞ ଘରୋଇ ସଂସ୍ଥାକୁ କ୍ୱାଲିଟୀ ଆନାଲାଇଜରଙ୍କ ଦ୍ୱାରା ଧାନର ମାନ ନିର୍ଧାରଣ କରିବାକୁ ଦିଆଯାଇଛି, ତାହା ଗଣମାଧ୍ୟମକୁ ସୂଚାଇଥିଲେ। ଏବେ ୫ ତାରିଖ ରୁ ମଣ୍ଡିରେ କଂଟା ପୂଜା ସାରିଦେଇ ସରକାର ହାତ ବାନ୍ଧି ବସିଛନ୍ତି । ଜିଲ୍ଲା ରେ ୮୦ ହଜାର ଟୋକନ୍ ଇସୁ ହେଇଛି, କିଛି ଟୋକନ ର ଅବଧି ଫେବୃଆରୀ ୫ ତାରିଖ ରେ ସରୁଛି । ମିଲର ଧାନ ନ କିଣିବାରୁ ମଣ୍ଡି ଓ ଖଳାରେ ଧାନ ବସ୍ତା ଗଦା ଗଦା ହୋଇ ପଡ଼ି ରହିଛି । ଚାଷୀ ହତାଶ ହୋଇ ନିଜର ଅତ୍ୟାବଶ୍ୟକ ସମସ୍ୟା ମେଂଟାଇବା ନିମନ୍ତେ ବାଧ୍ୟହୋଇ ନିର୍ଦ୍ଧାରିତ ମୂଲ୍ୟର ଅଧା ଦରରେ ୧୪୦୦ ରୁ ୧୬୦୦ ଟଙ୍କାରେ ଧାନ ବିକୁଛନ୍ତି, ଯାହା ଦୁଃର୍ଭାଗ୍ୟ ଜନକ। ସରକାର ଜାଣିଶୁଣି ମିଲରଙ୍କୁ ଖୁସି କରିବା ପାଇଁ ଧାନ ସୁଖିଗଲେ କିଣିବାର ଯୋଜନା କରିଛନ୍ତି। ପୂର୍ବରୁ ନଭେମ୍ୱର ରୁ ଡିସେମ୍ବର ମଧ୍ୟରେ ମଣ୍ଡି ଖୋଲୁଥିବାବେଳେ ଏଥର ବିଳମ୍ବରେ ଜାନୁୟାରୀ ୫ ରେ ଖୋଲିଥିଲେ ମଧ୍ୟ ଅଦ୍ୟାବଧି ଗୋଟେ କେଜି ବି ଧାନ କିଣି ନାହାନ୍ତି । ପରିସ୍ଥିତ ଏପରି ହୋଇଛି ଧାନ ଚାଷ ଓ ଅମଳ କଷ୍ଟ ଠାରୁ ଧାନ ବିକ୍ରୀର କଷ୍ଟ ଚାଷୀଙ୍କ ପାଇଁ ଦ୍ୱିଗୁଣିତ ହୋଇଛି । ଜିଲା ମହୋତ୍ସବ ନାଁରେ ଜିଲାର ସମ୍ମାନକୁ କେମିତି ଦଳି ଦିଆଗଲା ସେଇଟା ସାରା ଓଡିଶା ଦେଖିଲା। ଶାସକ ଦଳର କନ୍ଦଳ ପାଇଁ ମହୋତ୍ସବକୁ ଗୋଟିଏ ଦିନ ବନ୍ଦ କରି ଦିଆଗଲା। ଏବେ ସେଥିରେ ପ୍ୟାଚ ପକାଇବାକୁ ଜିଲା ପ୍ରଶାସନ ମାତିଛି। ଏପଟେ ହଜାର ହଜାର ଚାଷୀ ଧାନ ବିକି ନପାରି କାନ୍ଦୁଛନ୍ତି। ଏଥିନେଇ କଂଗ୍ରେସ ଦଳ ଏକ ନୀତିଗତ ଦାବି ରଖୁଛି। ଜିଲାପାଳ ଏକ ସ୍ପେଶାଲ ସ୍କ୍ୱାର୍ଡ ଗଠନ କରନ୍ତୁ, ମିଲରଙ୍କ ଗୋଦାମ ଯାଂଚ କରନ୍ତୁ । କେଉଁ ମିଲରେ କେତେ ଧାନ ଅଛି ତାହା ଦେଖନ୍ତୁ। ସେହିସବୁ ଧାନ ଚାଷୀଙ୍କର ନା ଦଲାଲ ଆଗୁଆ ମିଲରେ ରଖିଛନ୍ତି ତାର ତଦନ୍ତ ହେଉ। ସବୁକଥାରେ ପ୍ରଚାରକୁ ଗୁରୁତ୍ୱ ଦେଉଥିବା ପ୍ରଶାସନ ଏହି ଚଢଉ ମଧ୍ୟ ମିଡିଆ ବନ୍ଧୁଙ୍କୁ ସାଥିରେ ନେଇ କରନ୍ତୁ। ସେହିଭଳି ପ୍ରତି ଧାନକିଣା କେନ୍ଦ୍ରରେ ସିସିଟିଭି ଲାଗିବାର ନିୟମ ରହିଛି। ପ୍ରତିଦିନ ପ୍ରତି ଧାନକିଣା କେନ୍ଦ୍ରର ସିସିଟିଭି ଫୁଟେଜ ପ୍ରଶାସନ ନିଜ ୱେବସାଇଟରେ ଅପଲୋଡ କରୁ। କେଉଁ ସୋସାଇଟିରେ ଦୈନିକ କେତେ ଧାନକିଣା ହେଲା, ମିଲର ଗାଡି କେତେ ଧାନ ଉଠାଇଲା ସେସବୁ ଆପକୁ ଆପେ ଜଣାପଡିବ। ଭଦ୍ରାୟଣୀର ନାଚଗୀତକୁ ଅପଲୋଡ କରିବାର ବ୍ୟବସ୍ଥା କରିଥିବା ପ୍ରଶାସନ ଚାଷୀଙ୍କ ପାଇଁ ତଥା ଧାନକିଣାରେ ସ୍ୱଛତା ରକ୍ଷା ପାଇଁ ଏହା କରୁ। ଏହା ନକଲେ ମିଲର-ଦଲାଲ-ପ୍ରଶାସନ ଓ ଶାସକଦଳ ନେତାଙ୍କ ମଧ୍ୟରେ ଅସାଧୁ ମେଂଟ ରହିଛି ବୋଲି ଧରାଯିବ। ଏହାସହିତ ଶ୍ରୀ ମହାନ୍ତି ପ୍ରଶାସନ ନିକଟରେ ବିଭିନ୍ନ ଦାବି ଉତ୍‌ଥାପନ କରିଥିଲେ ଯଥା,ଚାଷୀଙ୍କ ଟୋକନ ଅବଧି ବଢା ଯାଉ, ଏଫଏକ୍ୟୁ ବାହାନାରେ ଚାଷୀଙ୍କୁ ଶୋଷଣ କରାନଯାଉ ,ପଞ୍ଜୀକୃତ ସମସ୍ତ ଚାଷୀଙ୍କ ଠାରୁ ଧାନ କିଣା ଯାଉ ,କଟନି ଛଟନି ବନ୍ଦ କରାଯାଉ। ଯେହେତୁ ସରକାର କୌଣସି ଇନପୁଟ ସବସିଡି ଦେଇନାହାନ୍ତି,ଯାହା ଘୋଷଣା କରିଥିଲେ ପାଳନ କରନ୍ତୁ। ଯେଉଁଠି ମଣ୍ଡି ଖୋଲା ଯାଇନି ତୁରନ୍ତ ଖୋଲା ଯାଉ । ସରକାର ତୁରନ୍ତ ମଣ୍ଡିରୁ ଧାନ କିଣିବା ସହିତ ଚାଷୀଙ୍କ ସମସ୍ୟା ର ସମାଧାନ ଓ ଉପରୋକ୍ତ ଦାବି ଗୁଡ଼ିକ ପୁରଣ ନକଲେ ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାନ ବସ୍ତା ରଖି ଘେରାଉ କରିବ। ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ଦେବରୁପ ମହାନ୍ତି, ଟାଉନ ସଭାପତି ମୋକିତ ଖାନ, ଦେବେନ୍ଦ୍ର ମହାନ୍ତି, ପୀତବାସ ଧଳ, ଅମିତାବାଳା ଆଚାର୍ଯ୍ୟ,ରାଜେନ୍ଦ୍ର ପ୍ରସାଦ ଜେନା,ପ୍ରଦ୍ୟୁମ୍ନ ଦାସ, ଶର୍ମିଷ୍ଠା ପଣ୍ଡା,ବିଜୟ ବାରିକ,ମନୋଜ ମଲ୍ଲିକ, ସୁଧାଂଶୁ ଶେଖର ନାୟକ, ସବିର ଖାନଙ୍କ ସମେତ ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.