ଭଦ୍ରକ, ୨୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାନୁଆରୀ ମାସ ଶେଷ ହେବାକୁ ବସିଲାଣି। ଧାନକ୍ରୟ ପାଇଁ ଜିଲାର ସମସ୍ତ ମଣ୍ଡି ଖୋଲା ହୋଇଯାଇଛି। ଯୋଗାଣ ବିଭାଗର ସୂଚନା ଅନୁଯାୟୀ ଜିଲାରେ ୮୦ ହଜାର ଟୋକନ ଇସ୍ୟୁ କରାଯାଇଛି। ଦୋକାନ ଗୁଡିକର ଅବଧି ଶେଷ ହେବାକୁ ବସିଲାଣି। ଚାଷୀ ମଣ୍ଡିରେ ଧାନ ଜମା କଲେଣି। ଆଜି ସୁଦ୍ଧା କୌଣସି ମଣ୍ଡିରେ ଧାନ କ୍ରୟ ହୋଇପାରିନାହିଁ। ମିଲରମାନେ ଧାନ ନେଉନଥିବାରୁ ମଣ୍ଡିରେ ଚାଷୀଙ୍କ ଧାନବସ୍ତା ଗଦା ଗଦା ହୋଇ ପଡିରହିଛି। ଏଫଏକ୍ୟୁ ମାନର ଧାନ ନହେଲେ ଧାନ ଉଠାଇବେ ନାହିଁ ମିଲରମାନେ ନିଜ ଜିଦ୍ରେ ଅଟଳ ଅଛନ୍ତି। ଏଭଳି ପରିସ୍ଥିତିରେ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଜିଲାର ସବୁ ପ୍ରାନ୍ତରେ ଏହି ଅସନ୍ତୋଷ ଚାଷୀ ଆନ୍ଦୋଳନର ଦାନା ବାନ୍ଧିବାକୁ ଲାଗିଛି। ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ଜିଲା ପ୍ରଶାସନ ପକ୍ଷରୁ ଦୁଇ ଥାକିଆ ବୈଠକ ସଦ୍ଭାବନା ଗୃହରେ ଅନୁଷ୍ଠିତ ହୋଇଛି। ମଧ୍ୟାହ୍ନରେ ପ୍ରଥମ ବୈଠକ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜିଲା ଧାନ ସଂଗ୍ରହ କମିଟିର ସଦସ୍ୟ ଓ ଚାଷୀ ପ୍ରତିନିଧିମାନେ ଯୋଗ ଦେଇଥିଲେ। ଧାନ ସଂଗ୍ରହ କମିଟିର ସଦସ୍ୟ ଓ ଚାଷୀ ପ୍ରତିନିଧିମାନେ ମଣ୍ଡିରୁ ଧାନ ଉଠୁନଥିବା ସଂପର୍କରେ ଓ ଟୋକନ ଲାପ୍ସ ହୋଇଯାଉଥିବାରୁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲା ପ୍ରଶାସନ ପକ୍ଷରୁ ଟୋକନର ଅବଧି ବୃଦ୍ଧି କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଅପରାହ୍ନରେ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅତିରିକ୍ତ ଜିଲାପାଳ ସରୋଜ ଦତ, ଉପଜିଲାପାଳ ସୌରଭ ଚକ୍ରବର୍ତୀଙ୍କ ସହ ଜିଲା ଯୋଗାଣ ଅଧିକାରୀ ମନମୋହନ ପଟ୍ଟନାୟକ, ଅତିରିକ୍ତ ଯୋଗାଣ ଅଧିକାରୀ ଅସିତ୍ ମହାନ୍ତି, ଆରଏମ୍ସି ସଂପାଦକ ମୃତ୍ୟୁଞ୍ଜୟ ପଣ୍ଡା, ଚାନ୍ଦବାଲି ଆରଏମ୍ସି ସଂପାଦକ ନିରଞ୍ଜନ ମାଝୀ, ଡିଆରସିଏସ୍ ଦୁଖିଆ ଟୁଡୁ, ଏଡିସ୍ନାଲ ଡିଆରସିଏସ୍ ପ୍ରାଚିକା ଜେନାଙ୍କ ସମେତ ମିଲର ଆସୋସିଏସନ୍ର ସଭାପତି ସନ୍ତୋଷ ଅଗ୍ରୱାଲ, ଶେଖର ମହାପାତ୍ର ଓ ବହୁ ମିଲର ଏବଂ ସମସ୍ତ ବ୍ଲକ୍ର ମାର୍କେଟିଂ ଇନ୍ସିପେକ୍ଟର ଯୋଗ ଦେଇଥିଲେ। ଏହାବ୍ୟତୀତ ଚାଷୀ ପ୍ରତିନିଧି ଓ ଡିଏଲ୍ପିସି କମିଟିର ସଦସ୍ୟମାନଙ୍କ ମଧ୍ୟରେ ଉପେନ୍ଦ୍ର ରାଉଳ, ଶଙ୍କର୍ଷଣ ଜେନା, ଚାଷୀ ପ୍ରତିନିଧି ସୁରେଶ ସାମଲ ଓ ଅମୂଲ୍ୟରତ୍ନ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠିତ ବୈଠକରେ ମିଲରମାନଙ୍କର ସେହି ଗୋଟିଏ କଥା ଥିଲା ଏଫଏକ୍ୟୁ ମାନର ଧାନ ନହେଲେ ମଣ୍ଡିରୁ ଧାନ ଉଠାଇବେ ନାହିଁ। ବିଭିନ୍ନ ମଣ୍ଡିରେ ପଡିରହିଥିବା ଧାନର ଗୁଣାତ୍ମକ ମାନ ପରୀକ୍ଷା କରାଯାଇଥିଲା। ସେଥିରୁ ମାତ୍ର ୨୦ ପ୍ରତିଶତ ଧାନ ଏଫଏକ୍ୟୁ ମାନର ଥିବା କଥା ମିଲରମାନେ ବୈଠକରେ ଦର୍ଶାଇଥିଲେ। ଅପରପକ୍ଷରେ ଆସନ୍ତା ଶୁକ୍ରବାର ଠାରୁ ଯେଉଁ ମଣ୍ଡିଗୁଡିକରେ ସମସ୍ତ ଏଫଏକ୍ୟୁ ମାନର ଧାନ ଥିବ, ସେ ସବୁକୁ ଉଠାଇନେବେ ବୋଲି ବୈଠକରେ ପ୍ରତିଶ୍ରୁତି ଦେଇଥିଲେ। ନିମ୍ନମାନର ଧାନ ଉଠାଇବେ ନାହିଁ ବୋଲି ସ୍ପଷ୍ଟ ଭାବେ କହିଥିଲେ। ଏଥିପାଇଁ ଚାଷୀମାନଙ୍କୁ ଏଫଏକ୍ୟୁ ମାନର ଧାନ ମଣ୍ଡିକୁ ଆଣିବା ପାଇଁ ସଚେତନତା ସୃଷ୍ଟି କରାଯାଉ ବୋଲି ମିଲରମାନେ କହିଥିଲେ। ଅନ୍ୟପକ୍ଷରେ ଯେଉଁ ଚାଷୀ ଉନ୍ନତମାନର ଧାନ ଆଣିବ, ସେମାନଙ୍କୁ ମିଲରଙ୍କ ତରଫରୁ ପୁରସ୍କୃତ କରାଯିବ ବୋଲି କହିଥିଲେ।
Home ଜିଲ୍ଲା ପରିକ୍ରମା ମଣ୍ଡିରୁ ଧାନ ଉଠାଇବା ପାଇଁ ପ୍ରଶାସନ ପକ୍ଷରୁ ଦୁଇଥାକିଆ ବୈଠକ,ଏଫଏକ୍ୟୁ ମାନର ଧାନ ଉଠାଇବାକୁ ମିଲର...








