ଭଦ୍ରକ, ୨୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଲ୍ୟବିବାହ ଭଳି କୁପ୍ରଥାର ଉଚ୍ଛେଦ ନିମନ୍ତେ ଚରମ୍ପା ବାଳିକା ବିଦ୍ୟାଳୟ ପରିସରରେ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭଦ୍ରକ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ପୁଣ୍ୟଶ୍ଲୋକ ରଥ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବାଲ୍ୟବିବାହ ଆଇନଗତ ଅପରାଧ ବୋଲି ଉଲ୍ଲେଖ କରିବା ସହିତ ଶିଶୁଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ଭବିଷ୍ୟତ ଉପରେ ବାଲ୍ୟବିବାହର କୁପ୍ରଭାବ ସମ୍ପର୍କରେ ଗଭୀର ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ସୁବ୍ରତ ବିଶ୍ୱାଳ ଶିଶୁ ସୁରକ୍ଷା ପ୍ରତ୍ୟେକ ପରିବାର ଓ ସମାଜର ସାମୂହିକ ଦାୟିତ୍ୱ ବୋଲି କହିଥିଲେ। ମୁଖ୍ୟ ବକ୍ତା ଭାବେ ଶିଶୁ ସୁରକ୍ଷା ଆଇନ ଅଧିକାରୀ ସୁବ୍ରତ ଦାସ ବାଲ୍ୟବିବାହ ନିଷେଧ ଆଇନ, ଶିଶୁ ଅଧିକାର ଓ ସହାୟତା ବ୍ୟବସ୍ଥା ସମ୍ପର୍କରେ ଛାତ୍ରୀମାନଙ୍କୁ ଅବଗତ କରିଥିଲେ। ସମସ୍ୟା ଦେଖିଲେ କିମ୍ବା ଅନୁଭବ କଲେ (୧୦୯୮) ନିଃଶୁଳ୍କ ନମ୍ୱର ରେ ଅଭିଯୋଗ କରିବାକୁ ସେ ଆହ୍ୱାନ ଦେଇଥିଲେ। ମଂଚ ନିମନ୍ତ୍ରଣ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଏଏଲ୍ ଡିଏସ୍ କରିଥିବାବେଳେ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭାମାମଣୀ ଦାସ ସଚେତନ କାର୍ଯ୍ୟକ୍ରମ ପିଲାମାନଙ୍କ ପାଇଁ ଆବଶ୍ୟକ ବୋଲି ଉଲ୍ଲେଖ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟତ୍ରୀମାନେ ଉପସ୍ଥିତ ରହିଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣ ର କର୍ମୀ ଗଣ ପରିଚାଳନା ରେ ସହଯୋଗ କରିଥିଲେ। ପରିଶେଷରେ ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ସ୍ୱାଇଁ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।








